ସେବାୟତ ଓ ପୁଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ବର() ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଆଜି ଶୃଙ୍ଖଳାର ସହ ଠିକ ସମୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମସ୍ତଙ୍କୁ ବିଶେଷକରି ସେବାୟତ, ପୁରୀ ଜିଲ୍ଲା ପଶାସନ, ଶ୍ରୀ ମନ୍ଦିର ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ପୁରୀର ଜନସାଧାରଶକୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି।

ଆଜି ଚତୁର୍ଦ୍ଧା ମୁରତିଙ୍କର ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇଥିଲା । ରଥଟଣା ଦିନ ୧୨ଟାରେ ଆରମ୍ଭ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା ଏବଂ ପ୍ରାୟ ସେଇ ସମୟରେ ହିଁ ଆରମ୍ଭ ହୋଇଥିଲା ରଥଟଣା। ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଶତାଧିକ ସେବାୟତ ବଡ଼ଦାଣ୍ଡରେ ଗଡ଼ାଇ ଥିଲେ। ପ୍ରଥମେ ଧୀରେଧୀରେ ତାଳଧ୍ୱଜ ଗଡ଼ିବା ପରେ କ୍ରମଶଃ ବେଗ ବଢ଼ିଥିଲା। ତାଳଧ୍ୱଜ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଟଣା ଆରମ୍ଭ ହୋଇଥିଲା। ଦିନ ପ୍ରାୟ ୧ଟା ସମୟରେ ବଡ଼ଦାଣ୍ଡରୁ ଗୁଣ୍ଡିଚା ଅଭିମୁଖେ ବାହାରି ଥିଲା ଦର୍ପଦଳନ। ଏହାପରେ ଭାଇଭଉଣୀଙ୍କୁ ସାଥୀରେ ଧରି ମଧ୍ୟାହ୍ନ ୨ଟା ପାଖାପାଖି ଶ୍ରୀମନ୍ଦିର ସମ୍ମୁଖରୁ ବାହାରି ଥିଲେ କାଳିଆ ସାଆନ୍ତ।ପ୍ରାୟ ୪ଟାରୁ ୪.୩୦ ମଧ୍ୟରେ ତାଳଧ୍ୱଜ ଓ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛନ୍ତି। ପ୍ରଥମେ ତାଳଧ୍ବଜ ଓ କିଛି ସମୟ ପରେ ଦର୍ପଦଳନ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିବା ଦୃଶ୍ୟମାନ ହୋଇଛି।

Share

Leave a Reply

Your email address will not be published. Required fields are marked *

fifteen + thirteen =