ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ହେଲେ ପ୍ରକୃତ ହିରୋ

ଭୁବନେଶ୍ବର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସିଂ ଜରିଆରେ କୋଭିଡ ମ୍ୟାନେଜମେଣ୍ଟ ସଂକ୍ରାନ୍ତୀୟ ଏକ ବୈଷୟିକ କର୍ମଶାଳାରେ ଯୋଗ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ବିଭିନ୍ନ ମେଡିକାଲ କଲେଜର ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ତଥା ରାଜ୍ୟର ବିଭିନ୍ନ କୋଭିଡ ହସ୍‌ପିଟାଲର କର୍ମକର୍ତ୍ତା ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହି କର୍ମଶାଳାରେ ମୁଖ୍ୟତଃ କୋଭିଡ ୧୯ ପରିଚାଳନାରେ ନିୟୋଜିତ ସ୍ବାସ୍ଥ୍ୟ କର୍ମଚାରୀ ମାନଙ୍କର ବ୍ୟକ୍ତିଗତ ସ୍ବାସ୍ଥ୍ୟ ନିରାପତ୍ତା ସଂପର୍କିତ ବିଭିନ୍ନ ବିଷୟ ଉପରେ ଆଲୋକପାତ କରାଯାଇଥିଲା।

ରାଜ୍ୟରେ କୋଭିଡ ମୃତ୍ୟୁହାର ସାରା ଦେଶରେ ସର୍ବନିମ୍ନ । ସେହିପରି କୋଭିଡ ରୋଗରୁ ସୁସ୍ଥତା ହାରରେ ମଧ୍ୟ ଓଡିଶା ଭାରତର ଅଳ୍ପ କେତେକ ରାଜ୍ୟ ମଧ୍ୟରୁ ଅନ୍ୟତମ। ତେଣୁ ମୁଖ୍ୟମନ୍ତ୍ରୀ ଏଥିପାଇଁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ସାଧୁବାଦ ଦେବା ସହ ଅଭିନନ୍ଦନ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନେ କେବଳ ଆପଣଙ୍କ ପରିବାର ପାଇଁ ଗୁରୁତ୍ବପୂର୍ଣ୍ଣ ନୁହନ୍ତି, ଆମ ସମସ୍ତଙ୍କ ପାଇଁ ତଥା ସାରା ରାଜ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ । ତେଣୁ ନିଜର ଯତ୍ନ ଠିକ୍‌ ଭାବରେ ନେବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିଥିଲେ।

ଆଗକୁ ମୌସୁମୀ ବର୍ଷା ଆରମ୍ଭ ହେବାକୁ ଯାଉଛି। ମୌସୁମୀ ଋତୁରେ ବିଭିନ୍ନ ସଂକ୍ରାମକ ରୋଗ ହୋଇଥାଏ। ତେଣୁ କୋଭିଡ ନିୟନ୍ତ୍ରଣ କ୍ଷେତ୍ରରେ ଆଗମୀ କିଛି ସପ୍ତାହ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ବିଭାଗ ସାରା ରାଜ୍ୟରେ ଘରକୁ ଘର ବୁଲି ସକ୍ରିୟ କୋଭିଡ ପରିସ୍ଥିତି ପର୍ୟ୍ୟବେକ୍ଷଣ କରିବା ସହିତ ଗୁରୁତର ରୋଗୀ, ଯକ୍ଷ୍ମା, ମ୍ୟାଲେରିଆ ଓ ଡାଇରିଆ ଆଦି ରୋଗ ସଂପର୍କରେ ମଧ୍ୟ ପର୍ୟ୍ୟବେକ୍ଷଣ କରିବା ପାଇଁ ଏକ ସମନ୍ବିତ ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ୧୯ ରୋଗର ପ୍ରତିକାର ନିମନ୍ତେ ବ୍ୟକ୍ତିଗତ ସୁରକ୍ଷା ହେଉଛି ଶ୍ରେଷ୍ଠ ଉପାୟ। ତେଣୁ ଏଥିପ୍ରତି ସମସ୍ତେ ବିଶେଷ ଯତ୍ନବାନ ହେବା ଆବଶ୍ୟକ। ଏହି କଠିନ ପରିସ୍ଥିତିରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଲୋକଙ୍କ ପ୍ରକୃତ ହିରୋ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କର ଏହି ଭରସା ଓ ବିଶ୍ବାସ ସେମାନଙ୍କ ଉପରେ ଅଧିକ ଦାୟିତ୍ବ ଦେଉଛି। ତେଣୁ ସେମାନେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଥିବା ବିଭିନ୍ନ ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ଅନୁପାଳନ କରି ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ଆହ୍ବାନ ଜଣାଇଥିଲେ।

ଏହି ପରିପ୍ରେକ୍ଷୀରେ ସଂକ୍ରମଣ ରୋକିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ତଥା ବ୍ୟକ୍ତିଗତ ସୁରକ୍ଷା ନିୟମାବଳୀ ଯେପରି ସ୍ବାସ୍ଥ୍ୟକର୍ମୀ ମାନଙ୍କ ଦ୍ବାରା ବିଭିନ୍ନ ଚିକିତ୍ସାଳୟରେ ଠିକ୍‌ ଭାବରେ ପାଳନ କରାଯିବ, ତାହା ହେଉଛି ଆମର ସାମୁହିକ ଦାୟିତ୍ବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଆମକୁ ମନେ ରଖିବାକୁ ହେବ, କୋଭିଡ-୧୯ ବିରୁଦ୍ଧରେ ଚାଲିଥିବା ଆମର ଏହି ଯୁଦ୍ଧରେ ଆମର ସ୍ବାସ୍ଥ୍ୟକର୍ମୀ ମାନେ ହିଁ ହେଉଛନ୍ତି ଆମର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି । ତାସହିତ ଏହି ଯୁଦ୍ଧରେ ସେମାନଙ୍କ ଜୀବନ ମଧ୍ୟ ବିପଦସଂକୁଳ ଅଟେ । ତେଣୁ ରାଜ୍ୟ ସରକାର ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ଆବଶ୍ୟକ ଉପକରଣ ଯୋଗାଇଦେବା ସହ ବ୍ୟାପକ ତାଲିମ ଉପରେ ଗୁରୁତ୍ବ ଦେଉଛନ୍ତି। ଏହି ଯୁଦ୍ଧର ସମ୍ମୁଖ ଭାଗରେ ରହି କାମ କରୁଥିବା ଯୋଦ୍ଧାମାନେ ଯେପରି ସଂକ୍ରମିତ ନ ହେବେ, ସେଥିପାଇଁ ଆମକୁ ସୁରକ୍ଷା ନିୟମାବଳୀକୁ କଡାକଡି ଭାବରେ ପାଳନ କରିବାକୁ ହେବ ଏବଂ ଆମର ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଗୁଡିକ ଉପରେ ଜନସାଧାରଣଙ୍କ ବିଶ୍ବାସ ଅତୁଟ ରଖିବାକୁ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ଏହି କର୍ମଶାଳାରେ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିଶନର ଏବଂ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

two × one =