ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି : ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତର ମାନ୍ୟତା

ଭୁବନେଶ୍ବର () ବନ୍ଦେ ଉତ୍କଳ ଜନନୀ, କୀର୍ତ୍ତିମାଳିନୀ ଉତ୍କଳ ଜନନୀଙ୍କର ପବିତ୍ର ଆବାହନୀ ସଙ୍ଗୀତ  । ଓଡିଆ ଜାତିର ଅସ୍ମିତା ଓ ସ୍ବାଭିମାନର ସଙ୍ଗୀତ  । ନୈସର୍ଗିକ ପ୍ରାକୃତିକ ଶୋଭା, ଅନନ୍ୟ କୀର୍ତ୍ତିରାଜି ଓ ଉତ୍କୃଷ୍ଟ କଳା ବିମଣ୍ଡିତ, ଉତ୍କଳ ଜନନୀଙ୍କର ଜୟଗାନ ଏହି ସଙ୍ଗୀତକୁଅମୃତମୟ କରିବା ସହ କୋଟି କୋଟିଓଡିଆଙ୍କୁ ଜାତି ପ୍ରେମର ସୁଦୃଢ ବନ୍ଧନରେ ବାନ୍ଧି ରଖିବା ସହ ଓଡିଶାର ଗୌରବକୁ ବିଶ୍ବବ୍ୟାପୀ କରିବା ପାଇଁ ପ୍ରରଣା ଦେଇଆସିଛି  । ଦେଶାତ୍ମବୋଧ ଓ ଜାତୀୟତାବୋଧ ହେଉଛି ଏହି ସଙ୍ଗୀତର ଅନ୍ତଃସ୍ବର  ।

କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ 2020 ମେ 30 ତାରଖ ଶନିବାର ସନ୍ଧ୍ୟା 5ଟା30 ମନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନରେ ଦେଶ ବିଦେଶର କୋଣ ଅନୁକୋଣରେ ରହୁଥିବା ଓଡିଆ ଭାଇଭଉଣୀମାନେ ଯେଭଳି ଏକତାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ଜାତି ପ୍ରେମର ନିଦର୍ଶନ ଦେଖାଇଛନ୍ତି ତାହା ଅତୁଳନୀୟ  । ଉତ୍କଳ ଜନନୀଙ୍କ ବନ୍ଦନାରେ ସେଦିନ ଗାଁ, ସହର, ନଗର, ପଲ୍ଲୀ ମୁଖରିତ ହୋଇଉଠିଥିଲା  । ସାଢେ ଚାରିକୋଟି ଓଡିଆଙ୍କ କଣ୍ଠରେ ଥିଲା ଗୋଟିଏ ସ୍ବର, ଉତ୍କଳ ଜନନୀଙ୍କ ଜୟଗାନ । ବନ୍ଦେ ଉତ୍କଳ ଜନନୀ  । ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟ ଓଡିଶା ସମେତ ଦେଶବିଦେଶରେ ରହୁଥିବା ଆମ ଓଡିଆ ଭାଇଭୁଉଣୀଙ୍କୁ ଧନ୍ୟବାଦ ଜଣାଇଛି । ବର୍ତ୍ତମାନର କଠିନ ପରିସ୍ଥିତିରେ ଏହି ସଙ୍ଗୀତ ଆମ ସଙ୍କଳ୍ପକୁ ଆହୁରି ଦୃଢ କରିବା ସହିତ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଛି  । ସାରା ଓଡିଶା ଆଜି ଏହି ସଙ୍ଗୀତ ତାନରେ ଏକଜୁଟ ହୋଇଛି  । ଏ ଜାତି ଏକ ମନ, ଏକ ପ୍ରାଣ ହୋଇ ଜାଗି ଉଠିଛି  ।

ମେ 30 ସନ୍ଧ୍ୟା ସାଢେ 5ଟାରେ ସାରା ବିଶ୍ବର କୋଣ ଅନୁକୋଣ ଉତ୍କଳ ଜନନୀଙ୍କ ବନ୍ଦନାରେ ଝଂକୃତ ହୋଇଥିଲା  । ଏହି ବିରଣ ଉନୁଭବକୁ ସଦା ସତେଜ ରଖିବା ପାଇଁ 10 ଲକ୍ଷରୁ ଉର୍ଦ୍ଧ୍ବ ଓଡିଆ ଭିଡିଓ ମାଧ୍ୟମରେ ଚିତ୍ର ଉତ୍ତୋଳନ କରି ଓଡିଶା ସରକାରଙ୍କ ପାଖକୁ ପ୍ରେରଣ କରି ମୁଖ୍ୟମନ୍ତ୍ରୀଙ୍କ ମହତ ଉଦ୍ଦେଶ୍ୟ ପ୍ରତି ସମର୍ଥନ ପ୍ରଦାନ କରିଥିଲେ । ସେଥିପାଇଁ ରାଜ୍ୟ କ୍ୟାବିନେଟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛି  ।

ଓଡିଆ ସାହିତ୍ୟ ଜଗତର ମଉଡମଣୀ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର କାଳଜୟୀ ସୃଷ୍ଟି ବନ୍ଦେ ଉତ୍କଳ ଜନନୀ  । ଏହି ସଙ୍ଗୀତର ପ୍ରତିଟି ଶବ୍ଦରେ ଭରି ରହିଛି ଦେଶ ଭକ୍ତିର ଅପୁରନ୍ତ ଶକ୍ତି ଓ ସୌନ୍ଦର୍ଯ୍ୟ, ଆଗକୁ ବଢିବାର ଅଦମ୍ୟ ପ୍ରେରଣା  । ବ୍ୟକ୍ତିଗତ ଦୁଃଖ ଓ ଯନ୍ତ୍ରଣାକୁ ପଛରେ ପକାଇ ମାତୃଭୂମୀ, ମାତୃଭାଷା ତଥା ଓଡିଆ ଜାତିକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ତାଙ୍କର ଉଦ୍ୟମ ପାଇଁ ସେ ଚୀର ନମସ୍ୟ  । ଏହି ଅବସରରେ ରାଜ୍ୟ କ୍ୟାବିନେଟ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମର ସ୍ମୃତିପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛି  ।

କାନ୍ତକବିଙ୍କ ଏହି କାଳଜୟୀ ରଚନା 1912 ମସାହିରୁ ଉତ୍କଳ ସମ୍ମିଳନୀର ବିଭିନ୍ନ ଅଦିବେଶରେ ଗାନ କରାଯାଇ ଆସୁଛି  । 1936 ଏପ୍ରିଲ ପହିଲାରେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠିତ ହେବା ସମୟରୁ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତ ଭାବରେ ପ୍ରତିଟି ଓଡିଆଙ୍କ ହୃଦୟରେ ଓ ଭାବନାରେ ରହି ଆସୁଛି  ।

1994 ନଭେମ୍ବର7 ତାରିଖରେ ଜନନାୟକ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ତଥା ବିଧାନସଭାର ତତ୍କାଳୀନ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବନ୍ଦେ ଉତ୍କଳ ଜନନୀକୁ ବିଧାନସଭାର ପ୍ରତି ଅଧିବେଶନରେ ଶେଷ ଦିବସରେ ଉଦଯାପନୀ ସଙ୍ଗିତ ଭାବେ ଗାନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଏବଂ ତାହା ଅଦ୍ୟାବଧି ପାଳିତ ହୋଇଆସୁଛି  । ପରବର୍ତ୍ତୀ ସମୟରେ ବିଧାନସଭାର ବିଭିନ୍ନ ବୈଠକରେ ଏହି ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବା ନେଇ ବିଚାର ବିମର୍ଷ ହୋଇଛି ।

Share

Leave a Reply

Your email address will not be published. Required fields are marked *

5 × three =