କରୋନା ମୁକାବିଲାର ରଣନୀତି ବଦଳିବ

ଭୁବନେଶ୍ୱର () ଆରମ୍ଭ ହେଲା ବିମାନ ସେବା ଓ ରେଳ ସେବା । ଆସନ୍ତା ୧୫ ଦିନରୁ ମାସେ ଯାଏଁ ରାଜ୍ୟ ପାଇଁ ବଢିବ ଚ୍ୟାଲେଂଜ । କିଭଳି ବୃତ୍ତିଗତ ଭାବେ ବୈଜ୍ଞାନିକ ପଦ୍ଧତ୍ତିରେ କରୋନାର ମୁକାବିଲା କରାଯିବ । ସେନେଇ ନୂଆ ଷ୍ଟ୍ରାଟେଜି ପ୍ରସ୍ତୁତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲାର ନୂଆ ରଣନୀତି ନେଇ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

କରୋନା ସଂକ୍ରମଣ ଓ ଦୁଇ ମାସର ଲକଡାଉନରୁ ମିଳିଛି ଅନେକ ଶିକ୍ଷା । ବୈଜ୍ଞାନିକ, ସମାଜିକ ତଥା ପ୍ରଶାସନିକ ସ୍ତରରେ ମିଳିଛି ଅନେକ ଉପଲବ୍ଧି । ଏହାକୁ ଭିତ୍ତିକ କରି ଭବିଷ୍ୟତ ପାଇଁ ତିଆରି ହେଲା ନୂଆ ରଣକୌଶଳ । ଯାହାଦ୍ୱାରା ସଂକ୍ରମଣ ନିୟନ୍ତ୍ରଣ ସହ ଜୀବନଜୀବିକା ଓ ଅର୍ଥନୈତିକ କାର୍ଯ୍ୟକ୍ରମ ସ୍ୱାଭାବିକ ହେବ । କରୋନା ମୁକାବିଲାରେ ମିଳିଥିବା ଅନୁଭୁତି ଅନୁଯାୟୀ ମାସ୍କ ବ୍ୟବହାର, ସାମାଜିକ ଦୂରତା ଏବଂ ବାରମ୍ବାର ହାତ ଧୋଇବା ଦ୍ୱାରା ହିଁ ମିଳିବ ସଫଳତା । ଅନୁଭୂତି କହୁଛି ବୟସ୍କ ଲୋକ ଏବଂ ଗୁରୁତ୍ତର ରୋଗରେ ପୀଡିତ ଲୋକଙ୍କ ଅଧିକ ଯତ୍ନର ଆବଶ୍ୟକତା ରହିଛି । ତେଣୁ ଏହି ଆସନ୍ତା ୧୫ ଦିନ ବ୍ୟାପୀ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

କରୋନା ଏକ ଲମ୍ବା ଯୁଦ୍ଧ । ବତ୍ର୍ତମାନ ଯାଏଁ ମିଳିଥିବା ସଫଳତା ଆଧାରରେ ମୁକାବିଲା କୌଶଳର ପୁନଃନିର୍ଦ୍ଦାରଣ କରାଯିବ । ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ଆରମ୍ଭ ହୋଇଛି ସଂକ୍ଷିପ୍ତ ସାର୍ଟିଫିକେଟ କୋର୍ସ । ଏହା ଭବିଷ୍ୟତ ଆହ୍ୱାନକୁ ସଫଳତାର ସହ ମୁକାବିଲା କରିବାରେ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ସାମାଜିକ ଦୂରତା, ସାମାଜିକ ବାସନ୍ଦ ନୁହେଁ । ତେଣୁ ବ୍ୟାପକ ସଚେତନତା ସହ କଠୋର ଶୃଙ୍ଖଳା ବତ୍ର୍ତମାନ ପରିସ୍ଥିତିର ଆବଶ୍ୟକତା । ଏହା ହିଁ ଚଳିତ ସପ୍ତାହର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିମାନ ଓ ରେଳସେବା ଆରମ୍ଭ ହେବା ଦ୍ୱାରା ଆଗାମୀ ଏକ ମାସ ରାଜ୍ୟ ପାଇଁ ଅଧିକ ଆହ୍ୱାନମୂଳକ ହେବ । ତେଣୁ ମାନବିକତାକୁ ଆଗରେ ରଖି ବୃତ୍ତିଗତ ଦକ୍ଷତାର ସହ ପରିସ୍ଥିତିର ମୁକାବିଲା କରିବାକୁ ନବୀନ ଆହ୍ୱାନ ଦେଇଛନ୍ତି ।

ବିଭିନ୍ନ ଜୋନ ନିର୍ଣ୍ଣୟ କେ୍ଷତ୍ରରେ ପଂଚାୟତକୁ ୟୁନିକ କରିବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ । ଓଡିଶାରେ କ୍ୱାରେଣ୍ଟାଇନ ପାଇଁ ଯେତିକି ସୁବିଧା ରହିଛି ତାର ମାତ୍ର ୩୦ ପ୍ରତିଶତ ବ୍ୟବହୃତ ହୋଇଛି । ତେଣୁ ଅଧିକ ପ୍ରବାସୀଙ୍କ ଆସିବାରେ କୌଣସି ଅସୁବିଧା ନାହିଁ । ମନରେଗାରେ ୧୦ ଲକ୍ଷ ଶ୍ରମଦିବସ ସୃଷ୍ଟି ହୋଇଥିବା ବେଳେ ଏହାକୁ ୨୦ ଲକ୍ଷକୁ ବୃଦ୍ଧି କରାଯିବ ବୋଲି ବୈଠକରେ ମୁଖ୍ୟ ଶାସନ ସଚିବ କହିଛନ୍ତି । କୋଭିଡରେ ଓଡିଶାର ସୁସ୍ଥତା ହାର ୪୨.୭୮ ପ୍ରତିଶତ ଥିବା ବେଳେ ମୃତ୍ୟୁହାର ମାତ୍ର ୦.୪୬ ପ୍ରତିଶତ ।

କରୋନା ନିୟମନ୍ତ୍ରଣ ପାଇଁ ଆଗ ଧାଡିରେ ରହି କାମ କରୁଥିବା ବ୍ୟକ୍ତି ଏବଂ ବିପଦଶଙ୍କୁଳ ଜନସାଧାରଣଙ୍କର ସଠିକ ସମୟରେ ପରୀକ୍ଷା କରାଯିବା ଆବଶ୍ୟକ । ଦେଶରେ କରୋନା ପରୀକ୍ଷଣରେ ଓଡିଶା ଏକ ଆଗୁଆ ରାଜ୍ୟ ହୋଇଥିବା ବେଳେ ଆଗାମୀ ଦିନରେ ରାଜ୍ୟର ପ୍ରତେ୍ୟକ ଅଂଚଳରେ ବିକେନ୍ଦ୍ରୀକରଣ ପରୀକ୍ଷା ସୁବିଧା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ ଦେଇଛନ୍ତି । ICMR ସୁପାରିଶ ଆଧାରରେ ରାଜ୍ୟରେ ବାଧ୍ୟତାମୂଳକ ସଂଙ୍ଗରୋଧ ବ୍ୟବସ୍ଥା କରାଯାଇଛି । ଆନୁଷ୍ଠାନିକ ସଙ୍ଗରୋଧକୁ ଆବଶ୍ୟକତା ଭିତ୍ତିରେ ବୃଦ୍ଧି କରିବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି ।

ରାଜ୍ୟରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ବେଶ ଭଲ କାମ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେଗୁଡିକର ଭୂମିକାକୁ ପ୍ରଶଂସା କରିଥିଲେ । ୯୫ ପ୍ରତିଶତ କରୋନା ପଜିଟିଭ କେବଳ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହେବା ଆମ ବ୍ୟବସ୍ଥାର ଦୃଢତା ସହ ସରପଂଚ, ଲୋକପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ନିଷ୍ଠା ଯୋଗୁଁ ସମ୍ଭବ ହୋଇଛି । ଏହି ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ରାଜ୍ୟରେ ଜଣେ ହେଲେ ଅନ୍ୟ ରାଜ୍ୟର ପ୍ରବାସୀ ଚାଲିଚାଲି ଯିବେ ନାହିଁ । ଏହାକୁ ସଫଳତାର ସହ କାର୍ଯ୍ୟକାରୀ କରିପାରିଛି ରାଜ୍ୟ ପୋଲିସ । ବର୍ତ୍ତମାନ ସୁଦ୍ଧା ୧୪ ହଜାର ୬୬୯ ଜଣ ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ ସୁରକ୍ଷିତ ଭାବେ ପଠାଯାଇଥିବାରୁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

କରୋନା ସଂକ୍ରମଣ ଭୟକୁ ଖାତିର ନକରି ସରକାରୀ କର୍ମଚାରୀ ଓ ରାଜ୍ୟବାସୀ ଦୃଢତାର ସହ ଲଢେଇ କରିଛନ୍ତି । ଏହାଦ୍ୱାରା ହିଁ ଜିରୋ କାଜୁଆଲିଟି ଲକ୍ଷ୍ୟ ପୂରଣ ହୋଇଛି । ବାତ୍ୟାର ୨୪ ଘଣ୍ଟା ପରେ କ୍ଷତିଗ୍ରସ୍ତ ରାସ୍ତାର ପୁନରୁଦ୍ଧାର ହୋଇଥିଲା ବେଳେ ୪୮ ଘଣ୍ଟାରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇଛି ।

Share

Leave a Reply

Your email address will not be published. Required fields are marked *

12 − four =