ମାତ୍ର ୧୦ ପ୍ରତିଶତ ଲୋକଙ୍କ ଭୁଲ ଯୋଗୁ ସମସ୍ୟା ୧୦୦ ଗୁଣ ବଢିପାରେ, ତେଣୁ ସତର୍କ ରୁହନ୍ତୁ, ସହଯୋଗ କରନ୍ତୁ

ଭୁବନେଶ୍ବର() ଗତ ୧୦ ଦିନ ତଳେ ମୁଁ ଆପଣମାନଙ୍କ ସହିତ କଥା ହୋଇଥିଲି । ସେତେବେଳେ ଆମ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୬୧ ଥିଲା । ଏବେ ତାହା ଦୁଇ ଗୁଣ ବଢିଗଲାଣି । କିନ୍ତୁ ଡ଼ରିବାର କିଛି ନାହିଁ । ଆମେ ସତର୍କ ରହିଲେ ବିପଦକୁ ଏଡେଇ ପାରିବା ।
ପ୍ରଥମେ ଆମ ପାଇଁ ଚ୍ୟାଲେଞ୍ଜ ଥିଲା ବିଦେଶରୁ ଫେରୁଥିବା ଓଡିଆ ଭାଇଭଉଣୀଙ୍କ ଯତ୍ନ ନେବା । ଓଡିଶା ପ୍ରଥମ ରାଜ୍ୟ, ଯିଏ କି ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ କଲା। ସେତେବେଳେ ସରକାରଙ୍କୁ ସହଯୋଗ କରିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରିଥିଲି । ଆପଣମାନେ ସହଯୋଗ କଲେ। ଆମେ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲେ।


ତା ପରେ ଚ୍ୟାଲେଞ୍ଜ ହେଲା ନିଜାମୁଦିନ୍‌ରୁ ଫେରୁଥିବା ବନ୍ଧୁ ମାନଙ୍କ ଠିକ୍‌ ଭାବରେ ଯତ୍ନ ନେବା। ମୁଁ ପୁଣି ଥରେ ଆପଣମାନଙ୍କୁ ଅନୁରୋଧ କଲି । ଆପଣମାନେ ସହଯୋଗ କଲେ । ଆମେ ଏଥର ମଧ୍ୟ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲେ ।
ଏବେ ଆମର ତୃତୀୟ ଆହ୍ବାନ ହେଉଛି, ପଶ୍ଚିମବଙ୍ଗରୁ ଫେରୁଥିବା ଭାଇଭଉଣୀ ମାନଙ୍କର ଯତ୍ନ । ରାଜ୍ୟରେ ବର୍ତ୍ତମାନ କରୋନା ପଜିଟିଭ ମାନଙ୍କ ମଧ୍ୟରୁ କେବଳ ପଶ୍ଚିମବଙ୍ଗ ଫେରନ୍ତା ହେଉଛନ୍ତି ୫୦ । ଆପଣମାନଙ୍କ ସହଯୋଗରେ ଆମେ ପରିସ୍ଥିତିକୁ ଭଲ ଭାବରେ ମୁକାବିଲା କରିପାରିଛୁ । ପରିସ୍ଥିତି ନିୟନ୍ତ୍ରଣରେ ଅଛି ।
ଆଗାମୀ କିଛି ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଦେଶର ସବୁଠାରୁ ଅଧିକ infected ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ ତଥା ଆମ ପଡୋଶୀ ପଶ୍ଚିମବଙ୍ଗରୁ ବହୁ ଓଡିଆ ଭାଇଭଉଣୀ ରାଜ୍ୟକୁ ଫେରିବେ। ସେମାନେ ଆମ ଘର ଲୋକ। ବିପଦ ସମୟରେ ମା ଓ ମାତୃଭୂମି ଆଗ ଆମ ମନକୁ ଆସିଥାଏ । ସେମାନେ ସମସ୍ତେ ଆମର ପିଲାଛୁଆ । ଆମ ଭାଇଭଉଣୀ । ସେମାନଙ୍କ ଯତ୍ନ ନେବା ଆମର ଦାୟିତ୍ବ। ବାହାରୁ ଲୋକ ଆସିଲେ ପଜିଟିଭ ସଂଖ୍ୟା ବଢିବ। କିନ୍ତୁ ପରିସ୍ଥିତି ନିୟନ୍ତ୍ରଣରେ ରହିପାରିବ, ଯଦି ଆପଣମାନେ ସରକାରକୁ ପୁରା ସହଯୋଗ ଯୋଗାଇ ଦେବେ।
ତେଣୁ ଆମେ ସାବଧାନ ରହିବା । ଧୈର୍ଯ୍ୟ ରଖିବା । ବାହାରୁ ଫେରୁଥିବା ଲୋକଙ୍କ ରେଜିଷ୍ଟ୍ରେସନ କରିବା । ସେମାନଙ୍କୁ quarantineରେ ରଖିବାରେ ସରକାରଙ୍କୁ ପୁରା ସହଯୋଗ କରିବା । ଏହାଦ୍ବାରା ସେମାନେ ସୁସ୍ଥ ରହିବେ । ଆମ ପରିବାର ସୁସ୍ଥ ରହିବ। ଆମ ଗାଁ ଓ ଆମ ସମାଜ ମଧ୍ୟ ସୁସ୍ଥ ରହିବ। ଆପଣମାନଙ୍କର ଟିକିଏ ହେଳା ସମସ୍ତଙ୍କୁ ବିପଦରେ ପକାଇ ପାରେ । ଏହା ହେଉଛି ଜୀବନ ଓ ମୃତ୍ୟୁର କଥା । ଏପରିକି ୧୦ ପ୍ରତିଶତ ଲୋକଙ୍କ ଭୁଲ ଦ୍ବାରା, ସମସ୍ୟା ୧୦୦ ଗୁଣ ବଢିଯିବ।
ଓଡିଶାର ପରିସ୍ଥିତି ଅନ୍ୟ ରାଜ୍ୟମାନଙ୍କ ଠାରୁ ବହୁତ ଭଲ ଅଛି । ଆମେ ଯଦି ସରକାରଙ୍କ ନିୟମ ମାନି ଚଳିବା, ସରକାରଙ୍କୁ ପୁରା ସହଯୋଗ ଯୋଗାଇ ଦେବା, ତେବେ ଓଡିଶା କରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିପାରିବ।

Share

Leave a Reply

Your email address will not be published. Required fields are marked *

13 + 1 =