ପ୍ରାକୃତିକ ବିପର୍ଯ୍ୟୟ ଓ କେନ୍ଦ୍ରୀୟ ଅବହେଳା ଓଡିଶା ପାଇଁ ନିୟମିତ

ପୁଣି ଥରେ ଓଡିଶା ପାଇଁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି

ଭୁବନେଶ୍ବର () ପ୍ରାକୃତିକ ବିପର୍ଯ୍ୟୟ ଏବଂ କେନ୍ଦ୍ରୀୟ ଅବହେଳା ସତେ ଯେମିତି ଓଡିଶାର ଜନ୍ମସିଦ୍ଧ ଅଧିକାରରେ ପରିଣତ ହୋଇଛି । ରାଜ୍ୟ ଯେତେ ଭଲ ପ୍ରଦର୍ଶନ କଲେ ବି କେନ୍ଦ୍ର ସରକାରଙ୍କ ଶୁଭଦୃଷ୍ଟି ପଡୁନି । ଏନେଇ ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଏଥିସହିତ ସେ ପୁଣି ଥରେ ଓଡିଶା ପାଇଁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡିଶା ଚିରାଚରିତ ଭାବେ କେନ୍ଦ୍ରୀୟ ଅବହେଳାର ମଧ୍ୟ ଶିକାର ହେଉଛି । ରେଳ ସଂଯୋଗୀକରଣ ଠାରୁ ଆରମ୍ଭ କରି ସ୍ବତନ୍ତ୍ର ଅନୁଦାନ, ବିମାନ ସେବା, ଟେଲିଫୋନ ନେଟୱର୍କ, ବ୍ୟାଙ୍କିଙ୍ଗ ନେଟୱର୍କ, ଜାତୀୟ ରାଜପଥ ସଂଯୋଗୀକରଣ ସବୁ କ୍ଷେତ୍ରରେ ଓଡିଶା ଅବହେଳିତ ।

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଲେଖିଥିବା ତିନି ପୃଷ୍ଠା ସମ୍ବଳିତ ଚିଠିରେ ଓଡିଶା କିଭଳି ଭାବେ ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ଏବଂ ଏହାର ମୁକାବିଲାରେ କେନ୍ଦ୍ର ସରକାର ଆବଶ୍ୟକ ସହୟତା ଯୋଗାଇ ଦେଉନାହାଁନ୍ତି ତାହା ଉଲ୍ଲେଖ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିକଟରେ ଗତ ଅକ୍ଟୋବର 11 ତାରିଖରେ ଓଡିଶା ତିତଲି ବାତ୍ୟାର ଭୟାବହତାର ଶିକାର ହୋଇଛି । ଏଥିରେ ଓଡିଶାର ବହୁ ଅଂଚଳରେ ବାସଗୃହ ଭାଙ୍ଗିଯାଇଥିବା ବେଳେ ବାତ୍ୟା ପରବର୍ତ୍ତି ବନ୍ୟାରେ ବହୁ ହଜାର ହଜାର ହେକ୍ଟର ଜମିରେ ଚାଷ ଉଜୁଡିଯାଇଛି । ବଡ ବଡ ଗଛ ଉପୁଡି ପଡିଥିବା ବେଳେ ବିଦ୍ୟୁତ ଯୋଗାଯୋଗ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଥିଲା । ରାଜ୍ୟ ସରକାର ଧନଜୀବନ ରକ୍ଷା ସାଙ୍ଗକୁ ଲୋକଙ୍କୁ ରିଲିଫ ଦେବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିଥିଲେ । ତେବେ ଯୋଗାଯୋଗା ବ୍ୟବସ୍ଥାର ପୁନଃସ୍ଥାପନ, ବିଦ୍ୟୁତ ଯୋଗାଯୋଗା ବ୍ୟବସ୍ଥାର ପୁନରୁଦ୍ଧାର, ପାନୀୟ ଜଳଯୋଗାଣ ବ୍ୟବସ୍ଥା ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି ।

ବର୍ତ୍ତମାନର ପରିବେଶ ପରିବର୍ତ୍ତନ ଯୋଗୁଁ ଓଡିଶା ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । 1900 ମସିହାରୁ 2018 ମଧ୍ୟରେ ରାଜ୍ୟ ବାତ୍ୟା, ବନ୍ୟା, ଘୁର୍ଣ୍ଣିଝଡ ଓ ମରୁଡି ପରିସ୍ଥିତି ନିୟମିତ ଭାବେ ସମ୍ମୁଖୀନ ହେଉଛି । ଏପରିକି ଗୋଟେ ଗୋଟେ ବର୍ଷ ଏକାଧିକ ପ୍ରାକୃତିକ ଦୁର୍ବିପାକର ଶିକାର ମଧ୍ୟ ହୋଇଛି ଓଡିଶା । ରାଜ୍ୟର 80 ପ୍ରତିଶତ ଭୌଗୋଳିକ ଅଞ୍ଚଳ ଏବଂ 90 ପ୍ରତିଶତ ଲୋକ ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଓଡିଶା ବିଶେଷ ଭାବେ ବାତ୍ୟା ଓ ବନ୍ୟା ଭଳି ବିପର୍ଯ୍ୟୟର ସମ୍ମୁଖୀନ ହେଉଛି, ଯାହା ଦ୍ବାରା ବ୍ୟାପକ ଧନଜୀବନ ଏବଂ ଫସଲ କ୍ଷତିଗ୍ରସ୍ତ ହେଉଛି । ପୂର୍ବ ଭାରତକୁ ଛୁଉଁଥିବା ବାତ୍ୟାର 35 ପ୍ରତିଶତ ଓଡିଶାକୁ କ୍ଷତିଗ୍ରସ୍ତ କରୁଛି । ବର୍ତ୍ତମାନ ପାଣିପାଗ ପରିବର୍ତ୍ତନର ପ୍ରଭାବରେ ଆଗକୁ ଆହୁରି ଅଧିକ ବାତ୍ୟା ଏବଂ ଅନ୍ୟାନ ବିପର୍ଯ୍ୟୟ ଦ୍ବାରା ପ୍ରଭାବିତ ହେବାର ଆଶଙ୍କା ରହିଛି । ବର୍ତ୍ତମାନର ମରୁଡି ଏକ ଉଦବେଗଜନକ ସ୍ଥିତି ସୃଷ୍ଟି କରୁଛି, କାରଣ କେତେବେଳେ ଏହା ପୂରା ରାଜ୍ୟକୁ ଗ୍ରାସ କରୁଛି ତ କେତେବେଳେ କିଛି ଅଂଚଳ ।

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ) ରହିଛି । ଏହି ପାଣ୍ଠିକୁ ଅନୁଦାନ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ହୋଇଥାଏ । ଏସଡିଆରଏଫ ପାଣ୍ଠିକୁ ଆସୁଥିବା ଅର୍ଥ ତତ୍କାଳ ବିପର୍ଯ୍ୟୟ ମୁକାବିଲା ପାଇଁ ରିଲିଫ ଓ ଥଇଥାନ ପାଇଁ ଉଦ୍ଦିଷ୍ଟ । କିନ୍ତୁ ପୁର୍ନଗଠନ ଏବଂ ଥଇଥାନ ପାଇଁ ଆବଶ୍ୟକ ପଡୁଥିବା ଅର୍ଥ ଏସଡିଆରଏଫ ଏବଂ ଏନଡିଆରଏଫ ପାଣ୍ଠି ବର୍ହିଭୁତ । ବଡ ଧରଣର ବିପର୍ଯ୍ୟୟ ପାଇଁ ଏନଡିଆରଏଫ ପାଣ୍ଠିରୁ ପ୍ରଦାନ କରାଯାଉଥିବା ସହାୟତା ପର୍ଯ୍ୟାପ୍ତ ହେଉନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପ୍ରାକୃତିକ ବିପର୍ଯ୍ୟୟର ତାଡନା ମଧ୍ୟରେ ଓଡିଶା ଗତ କିଛି ବର୍ଷ ମଧ୍ୟରେ ଅର୍ଥନୈତିକ ଓ ସାମାଜିକ ଅଭିବୃଦ୍ଧିରେ ଆଖିଦୃଶିଆ ପ୍ରଗତି କରିଛି । ରାଜ୍ୟର ଜିଏସଡିପି ଗତ 6 ବର୍ଷ ମଧ୍ୟରେ 50 ପ୍ରତିଶତ ବୃଦ୍ଧି ପାଇଛି । 204-05ରୁ 2011-12 ମଧ୍ୟରେ ରାଜ୍ୟର ଦାରିଦ୍ର୍ୟ 24.61 ପ୍ରତିଶତ ହ୍ରାସ ପାଇଛି । ଏହା ସର୍ବଭାରତୀୟ ସ୍ତରରେ ଏକ ରେକର୍ଡ । ସ୍ବାସ୍ଥ୍ୟ ସେବା ପାଇଁ ରାଜ୍ୟ ସରକାର ନିଜସ୍ବ ଯୋଜନା ଆରମ୍ଭ କରିଥିବା ବେଳେ ଟିକାକରଣ, ଶିଶୁ ମୃତ୍ୟୁହାର, ମାତୃମୃତ୍ୟୁହାରକୁ ନିୟନ୍ତ୍ରିତ କରିବା ଏବଂ ଡାକ୍ତରଖାନାରେ ପ୍ରସବ କ୍ଷେତ୍ରରେ ରାଜ୍ୟ ସରକାର ଭଲ ପ୍ରଦର୍ଶନ କରିଛି । ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଦମନ ଏବଂ ମମତା ଆଦି ଯୋଜନା ଦ୍ବାରା ରାଜ୍ୟର ପ୍ରାୟ 31 ଲକ୍ଷ ମହିଳା ଉପକୃତ ହୋଇଛନ୍ତି ।  ମହିଳା ସଶକ୍ତିକରଣ ଦିଗରେ ମଧ୍ୟ ରାଜ୍ୟ ସରକାର 6 ଲକ୍ଷରୁ ଅଧିକ ମହିଳା ସ୍ବୟଂ ସହାୟିକା ଗୋଷ୍ଠି ଗଠନ କରିଥିବା ବେଳେ 70 ଲକ୍ଷ ମହିଳା ଏବେ ଏହାଦ୍ବାରା ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।

2014-15ରୁ ଏବେ ସୁଦ୍ଧା ରାଜ୍ୟ ସରକାର ବିଭିନ୍ନ ଗ୍ରାମୀଣ ଗୃହ ନିର୍ମାଣ  20 ଲକ୍ଷ ବାସଗୃହ ନିର୍ମାଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର କାର୍ଯ୍ୟକାରିତାରେ ରାଜ୍ୟର 6ଟି ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି । 2017-18ରୁ ଏବେ ସୁଦ୍ଧା ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାରେ 3ଟି ଜାତୀୟ ପୁରସ୍କାର ପାଇଛନ୍ତି । ରାଜ୍ୟରେ ବିଦ୍ୟୁତ ଉପଭୋକ୍ତାଙ୍କ ସଂଖ୍ୟା 2000 ମସିହାରେ 16 ଲକ୍ଷରୁ 72 ଲକ୍ଷକୁ ବୃଦ୍ଧି ପାଇଛି । ଗତ 4 ବର୍ଷ ମଧ୍ୟରେ ଅତିରିକ୍ତ 8 ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ଜଳସେଚନ ସୁବିଧା ଯୋଗାଇଦିଆଯାଇଛି । ଏପ୍ରିଲ ସୁଦ୍ଧା ରାଜ୍ୟ ସରକାର ଦେଇଥିବା ପ୍ରତିଶୃତି ମୁତାବକ 10 ଲକ୍ଷ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ।

ସେହିଭଳି ରାଜ୍ୟର ପ୍ରାକୃତିକ ସମ୍ପଦରୁ ଦେଶ ଲାଭବାନ ହେଉଛି । ରାଜ୍ୟରେ ଗଛିତ ଥିବା ଲୁହାପଥର ଦେଶର ବିକାଶରେ ସହାୟକ ହେଉଛି । ରାଜ୍ୟରେ ଥିବା କୋଇଲା ସମ୍ପଦ ଦେଶର ଶକ୍ତି ସୁରକ୍ଷାକୁ ବହୁମାତ୍ରାରେ ସହଯୋଗ କରୁଛି । ଓଡିଶାରୁ ରେଳବାଇ ଆଖିଦୃଶିଆ ଲାଭ କରୁଛି । ତଥାପି ମଧ୍ୟ ଟେଲିଫୋନ ଯୋଗାଯୋଗ, ରେଳ ସଂଯୋଗୀକରଣ, ବ୍ୟାଙ୍କିଙ୍ଗ ନେଟୱର୍କ, ଜାତୀୟ ରାଜପଥ ଓ ବିମାନ ଯୋଗାଯୋଗ ଭଳି କ୍ଷେତ୍ରରେ ଓଡିଶା କ୍ରମାଗତ ଭାବେ କେନ୍ଦ୍ରୀୟ ଅବହେଳାର ଶିକାର ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି ।

ଏହିଦୃଷ୍ଟିରୁ ରାଜ୍ୟ ସରକାର ବାରମ୍ବାର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରୁଛନ୍ତି । ଏହାଦ୍ବାରା ରାଜ୍ୟର ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ପ୍ରକ୍ରିୟା ଅଧିକ ତ୍ବରାନ୍ବିତ ହୋଇପାରିବ । ଜାତୀୟ ହାର ଠାରୁ ରାଜ୍ୟର ଅଭିବୃଦ୍ଧି ହାର ଅଧିକ ରହୁଥିବା ବେଳେ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଶିଳ୍ପାୟନର ଅଭିବୃଦ୍ଧିରେ ସହଯୋଗ କରିବ । ଏଥିସହିତ ଯୁବକଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × one =