ସବୁ ଉଚ୍ଚ ଶିକ୍ଷାନୁଷ୍ଠାନ ‘ନାକ୍‌’ ମାନ୍ୟତା

ଭୁବନେଶ୍ୱର ()ରାଜ୍ୟରେ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ସରକାରଙ୍କ ପକ୍ଷରୁ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଯେପରି ‘ନାକ୍‌’ ମାନ୍ୟତା ହାସଲ କରିପାରିବେ ସେ ଦିଗରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ସନ୍ଧ୍ୟାରେ ‘ନାକ୍‌’ର ସଦସ୍ୟ ଏବଂ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ନାକ୍‌ ମାନ୍ୟତା ପାଇବା ପାଇଁ ଯେଉଁ ମାନଦଣ୍ଡ ରଖାଯାଇଛି, ସେହି ଆବଶ୍ୟକତାକୁ ପୂରଣ କରିବା ଦିଗରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ପଦକ୍ଷେପ ନେବା ଜରୁରୀ । ରାଜ୍ୟର ସବୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ୨୦୨୨ ସୁଦ୍ଧା ‘ନାକ୍‌’ ମାନ୍ୟତା ପାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲିମନ୍ତ୍ରୀ ଡ. ସାହୁ କହିଥିଲେ । ଏଥି ନିମନ୍ତେ ମନ୍ତ୍ରୀ ଡ. ସାହୁ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ ।

ପ୍ରତି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଇଣ୍ଟରନାଲ୍‌ କ୍ୱାଲିଟି ଆସୁରାନ୍ସ ସେଲ୍‌ ପ୍ରତିଷ୍ଠା କରାଯିବା ସହିତ ଏହାକୁ ସୁଦୃଢ଼ କରାଯିବ । ଏହି ସେଲ୍‌ ଶିକ୍ଷାନୁଷ୍ଠାନର ‘ନାକ୍‌’ ମାନ୍ୟତା ହାସଲ ଦିଗରେ ସମସ୍ତ ଦସ୍ତାବିଜ୍‌ ପ୍ରସ୍ତୁତ କରିବ । ଏଥି ସହିତ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ସ୍ତରରେ କର୍ମଶାଳା ଆୟୋଜନ ସହ ଏକ ମାଷ୍ଟର ଡାଟାବେସ୍‌ ମଧ୍ୟ ପ୍ରସ୍ତୁତ କରାଯାଉଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଏହି ଅବସରରେ ରାଜ୍ୟର ଶିକ୍ଷାନୁଷ୍ଠାନ କିପରି ‘ନାକ୍‌’ ମାନ୍ୟତା ହାସଲ କରିପାରିବେ ସେ ଦିଗରେ ‘ନାକ୍‌’ ସଦସ୍ୟମାନେ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ ଯେ ‘ନାକ୍‌’ ପକ୍ଷରୁ ପ୍ରତ୍ୟେକ ରାଜ୍ୟ ସ୍ତରରେ ରିପୋର୍ଟ ପ୍ରସ୍ତୁତ କରାଯାଉଛି ।

ଓଡ଼ିଶା ଭାରତର ୧୪ତମ ରାଜ୍ୟ ଯାହାର ‘ନାକ୍‌’ ତରଫରୁ ରିପୋର୍ଟ ପ୍ରସ୍ତୁତ କରାଯାଉଛି । ଏଥିରେ ଓଡ଼ିଶାର ଭୌଗୋଳିକ ସ୍ଥିତି, ଉଚ୍ଚ ଶିକ୍ଷାର ମାନ ଏବଂ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ‘ନାକ୍‌’ ମାନ୍ୟତାର ସ୍ଥିତି, ଜାତୀୟ ସ୍ତରରେ ସ୍ଥିତି ଓ ଶିକ୍ଷାନୁଷ୍ଠାନର ‘ନାକ୍‌’ ମାନ୍ୟତାକୁ ବୃଦ୍ଧି ସଂପର୍କରେ ରିପୋର୍ଟରେ ଉଲ୍ଲେଖ କରାଯାଉଛି । ଏହି ରିପୋର୍ଟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ‘ନାକ୍‌’ ମାନ୍ୟତା ପାଇବା ଦିଗରେ ଏକ ମାର୍ଗଦଶର୍କି । ଭାବରେ କାର୍ଯ୍ୟ କରିବ । ବୈଠକ ପ୍ରାରମ୍ଭରେ ମନ୍ତ୍ରୀ ଡ. ସାହୁ ଯୋଗଦେଇଥିବା ସମସ୍ତ କୁଳପତି ଓ ଶିକ୍ଷାବିତ୍‌ମାନଙ୍କୁ ଗୁରୁଦିବସ ଅବସରରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ବୈଠକରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ ଓ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ‘ନାକ୍‌’ର ସଦସ୍ୟମାନେ ଯୋଗଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

5 × 3 =