କୃଷି ପାଇଁ ସହାୟତାରେ ‘କାଳିଆଙ୍କ’ ଦର୍ଶନ କରୁଛନ୍ତି ଚାଷୀ

ଭୁବନେଶ୍ୱର () ଓଡ଼ିଆ ଜାତି ସବୁଠି ଜଗତର ନାଥ ଜଗନ୍ନାଥଙ୍କ ଦେଖେ । ସୁଖ, ଦୁଃଖ, ଯାନୀ ଯାତ୍ରା ସବୁଥିରେ ଜଗନ୍ନାଥଙ୍କ ସ୍ମରଣ କରନ୍ତି । କାଳିଆ ସହାୟତାରେ ଚାଷୀ କାଳିଆଙ୍କ ଦର୍ଶନ କରୁଥିବା କହୁଛନ୍ତି । ଚାଷୀ ସହାୟତାରେ କାଳିଆଙ୍କ ଦର୍ଶନ ଏକ ଆଶୀର୍ବାଦ ଭଳି ହୋଇଛି । ଆଜି କାଳିଆ ଯୋଜନା ସମ୍ପର୍କିତ ମୁଲତବୀ ନୋଟିସ ଉପରେ ଆଲୋଚନା ବେଳେ ଯୋଜନାର ନାମକରଣକୁ ନେଇ ବିରୋଧୀ ଉଠାଇଥିବା ପ୍ରଶ୍ନର ଏଭଳି ଉତ୍ତର ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ।

କାଳିଆ ଯୋଜନାରେ ହିତାଧିକାରୀ ଚୟନ ଓ ଆର୍ଥିକ ସହାୟତା ପ୍ରଦାନରେ ସରକାର ବିଫଳ ହୋଇନାହାନ୍ତି । ଓଡିଶା ଅନ୍ୟ ରାଜ୍ୟକୁ ଅନୁକରଣ କରୁଥିବା ଅଭିଯୋଗର ଉତ୍ତର ଦେଇ କୃଷିମନ୍ତ୍ରୀ କହିଛନ୍ତି ଯେ, ତେଲେଙ୍ଗାନର ରାୟତୁ ବନ୍ଧୁ ଯୋଜନାରେ 4000 ଟଙ୍କାର ସହାୟତା ଦିଆଯାଉଛି । ଏଥିରେ ଭୂମିହୀନ ସାମିଲ ହୋଇନାହାନ୍ତି । ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ପିଏମ କିଷାନ ଯୋଜନା ସହ ମିଳିତ ଭାବେ ଅନ୍ନଦାତା ଯୋଜନା ଲାଗୁ କରିଛନ୍ତି । ପଶ୍ଚିମବଙ୍ଗ ସରକାର ଚାଷୀଙ୍କୁ ଏକର ପିଛା 5000 ଟଙ୍କା ଦେଉଛନ୍ତି । କେନ୍ଦ୍ର ସରକାର କାଳିଆକୁ ଅନୁକରଣ କରି ପିଏମ କିଷାନ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ମଧ୍ୟ କେବଳ ନାମମାତ୍ର ଚାଷୀ ସହାୟତା ପାଇବେ ।

ପଦ୍ମଶ୍ରୀ ଅଶୋକ ଗୁଲାଟି, ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ଓ ବିଶିଷ୍ଟ ସ୍ତମ୍ଭକାର କାଳିଆକୁ ପ୍ରଶଂସା କରିଛନ୍ତି । ଓଡ଼ିଶାର ଚାଷୀ ପ୍ରକୃତରେ ଏହି ସହାୟତା ପାଇଛନ୍ତି କି ନାହିଁ ସେନେଇ ବିରୋଧୀ ଉଠାଇଥିବା ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଆସନ୍ତା ଅଗଷ୍ଟ ମାସରେ ପବ୍ଲିକ ଡୋମେନରେ ବର୍ତ୍ତମାନ ସୁଧା ସହାୟତା ପାଇଥିବା ସମସ୍ତ ଚାଷୀଙ୍କ ତାଲିକା ପ୍ରକାଶ ପାଇବ।

ମନ୍ତ୍ରିସ୍ତରୀୟ କମିଟିର ସୁପାରିଶ, କୃଷି ସଂଗଠନ, ବେସରକାରୀ ସଂଗଠନ, ଅଗ୍ରଣୀ ଚାଷୀ ପ୍ରତିନିଧି ଓ କୃଷିବିତଙ୍କ ମତାମତ ଆଧାରରେ 2018 ଡିସେମ୍ବର 21 ତାରିଖରେ ଏହି ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାର ସୁପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ରାଜ୍ୟସ୍ତରୀୟ କମିଟି, କୃଷି ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରୀ କମିଟି, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କମିଟି ଓ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବ୍ଲକ କମିଟି ଗଠନ କରାଯାଇଛି ।

2018-19 ରବି ଋତୁରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଏବେ ସୁଦ୍ଧା 36 ଲକ୍ଷ 34 ହଜାର 710 ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ 5000 ଟଙ୍କାର ସହାୟତା ରାଶି ଦିଆଯାଇଛି । ଏଥିରେ 50 ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ସାମିଲ କରାଯିବ ବୋଲି ସେ କହିଛନ୍ତି ।

ସେହିଭଳି ଭୂମିହୀନ କୃଷି ପରିବାରର ଆର୍ଥିକ ବୃଦ୍ଧି ପାଇଁ ଆନୁସଙ୍ଗିକ କୃଷି କାର୍ଯ୍ୟକ୍ରମ ସହାୟତା ବାବଦରେ ତିନୋଟି ପର୍ଯ୍ୟାୟରେ 12500 ଟଙ୍କା ଦିଆଯିବ । ଏଥିରେ 25 ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏବେସୁଧା 14 ଲକ୍ଷ 70 ହଜାର 580 ପରିବାରକୁ ପ୍ରଥମ କିସ୍ତିର 5000 ଟଙ୍କା ସହାୟତା ଦିଆଯାଇଛି ବୋଲି କୃଷିମନ୍ତ୍ରୀ କହିଛନ୍ତି ।

ଯୋଗ୍ୟ ହିତାଧିକାରୀ ଚୟନ ପାଇଁ କୃଷି ବିଭାଗ ଦ୍ଵାରା ପ୍ରସ୍ତୁତ ଡିବିଟି ତାଲିକା ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରଦତ୍ତ ପ୍ରକୃତ ଚାଷୀ ତାଲିକା ପ୍ରାଥମିକ ସ୍ତରରେ ବ୍ୟବହାର କରାଯାଇଥିଲା । ଅଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଆପତ୍ତି ଅଭିଯୋଗ ଓ ସ୍ୱତଃ ପ୍ରବୃତ୍ତ ବଡ ଦେବା ପାଇଁ ଲାଲ ରଙ୍ଗ ଫର୍ମରେ ଦରଖାସ୍ତ ଗ୍ରହଣ କରାଯିବା ସଙ୍ଗେ ସଙ୍ଗେ ପଞ୍ଚାୟତ ନୋଡାଲ ଅଧିକାରୀ ଅଧିକାରୀ ସ୍ୱତଃ ବାଦ ଦେବାକୁ ନିର୍ଦେଶ ଦିଆଯାଇଥିଲା । ଉକ୍ତ ତାଲିକାରେ ଯେଉଁ ମାନଙ୍କ ନାମ ନଥିଲା ସେମାନଙ୍କ ଠାରୁ ସବୁଜ ଆବେଦନ ପତ୍ର ଚାଷୀଙ୍କ ବ୍ୟାଙ୍କ ଖାତାର ବିବରଣୀ ଓ ଆଧାର ତଥ୍ୟ ଗ୍ରହଣ କରାଯାଇଥିଲା । ଏହିପରି ଦୁଇଟି ପର୍ଯ୍ୟାୟରରେ 96 ଲକ୍ଷ ସବୁଜ ଫର୍ମ ଗ୍ରହଣ କରାଯାଇଛି । ଯୋଗ୍ୟ ହିତାଧିକାରୀ ଚୟନ ପ୍ରକ୍ରିୟା ଚାଲୁ ରହିଛି ବୋଲି ସେ ଗୃହକୁ ସୂଚନା ଦେଇଛନ୍ତି ।

ଏଥିସହ ଚୟନ ହୋଇଥିବା ସମସ୍ତ ହିତାଧିକାରୀଙ୍କ ମଧ୍ୟରୁ ଅର୍ଦ୍ଧାଧିକ ରାଜ୍ୟର ପ୍ରମୁଖ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଉପଭୋକ୍ତା ଅଛନ୍ତି । ସେଥିପାଇଁ କାଳିଆ ସହାୟତା ରାଶି ପରିଚାଳନା ନିମନ୍ତେ ସରକାର ଏହି ବ୍ୟାଙ୍କକୁ ଚୟନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × 5 =