ବାତ୍ୟାରେ 12 ହଜାର କୋଟି ଟଙ୍କାର କ୍ଷୟକ୍ଷତି

ଭୁବନେଶ୍ବର (): ‘ଫନି’ କ୍ଷୟକ୍ଷତି ନେଇ ଆସିଲା ପ୍ରାଥମିକ ଆକଳନ ରିପୋର୍ଟ । ପ୍ରଳୟଙ୍କାରୀ ବାତ୍ୟା ଯୋଗୁଁ ପ୍ରାୟ 12 ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ରିଲିଫ କମିଶନର ଆକଳନର ରିପୋର୍ଟ ଦେଇଛନ୍ତି । ତିନିଦିନିଆ ବାତ୍ୟା କ୍ଷତିଗ୍ରସ୍ଥ ଅଞ୍ଚଳ ପରିଦର୍ଶନରେ ଆସିଥିବା କେନ୍ଦ୍ରୀୟ ଟିମକୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି। ତେବେ ଘରଭଙ୍ଗା ରିପୋର୍ଟ ଆସିନଥିବାରୁ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତି ହୋଇନି । ଖୁବଶୀଘ୍ର କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଦିଆଯିବ ।

ପ୍ରାଥମିକ ଆକଳନ ଅନୁଯାୟୀ ରାଜ୍ୟ ସରକାରଙ୍କ 24ଟି ବିଭାଗ ଏବଂ ଶ୍ରୀଜଗନ୍ନାଥ ମନ୍ଦିରର 5175 କୋଟି 12 ଲକ୍ଷ ଟଙ୍କା କ୍ଷୟକ୍ଷତି ହୋଇଛି । ଏଥିସହ ରିଲିଫ ଓ ପୁନର୍ଗଠନ କାର୍ଯ୍ୟରେ 6 ହଜାର 767 କୋଟି 56 ଲକ୍ଷ ଟଙ୍କା ଖର୍ଚ୍ଚର ଆକଳନ କରାଯାଇଛି। ଏହିପରି ଭାବରେ ସମୁଦାୟ 11 ହଜାର 942କୋଟି 67 ଲକ୍ଷ ଟଙ୍କା କ୍ଷୟକ୍ଷତି ଓ ରିଲିଫ ଆବଣ୍ଟନ ନେଇ କେନ୍ଦ୍ରୀୟ ଟିମକୁ ପ୍ରାଥମିକ ଆକଳନର ରିପୋର୍ଟ।

ପ୍ରାଥମିକ ଆକଳନ ଅନୁଯାୟୀ, ଶକ୍ତି ବିଭାଗର 1159 କୋଟି 80 ଲକ୍ଷ ଟଙ୍କା, ଜଳ ସମ୍ପଦ ବିଭାଗର 373 କୋଟି 1 ଲକ୍ଷ ଟଙ୍କା, ପୂର୍ତ୍ତ ବିଭାଗର 597 କୋଟି 32 ଲକ୍ଷ ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗର 435 କୋଟି 17 ଲକ୍ଷ ଟଙ୍କା, ଗୃହ ଓ ନଗର ଉନ୍ନୟନ ବିଭାଗର 524 କୋଟି 34 ଲକ୍ଷ ଟଙ୍କା, ପଞ୍ଚାୟତରାଜ ବିଭାଗର 587 କୋଟି 3 ଲକ୍ଷ ଟଙ୍କା, କୃଷି ବିଭାଗର 102 କୋଟି 30 ଲକ୍ଷ ଟଙ୍କା, ମତ୍ସ ଓ ପଶୁସମ୍ପଦ ବିଭାଗର 55 କୋଟି 43 ଲକ୍ଷ ଟଙ୍କା, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର 74 କୋଟି 31 ଲକ୍ଷ ଟଙ୍କା, ଉଚ୍ଚଶିକ୍ଷା ବିଭାଗର 296 କୋଟି ଟଙ୍କା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର 12 କୋଟି 76 ଲକ୍ଷ ଟଙ୍କା, ଜଙ୍ଗଲ ବିଭାଗର 537 କୋଟି 80 ଲକ୍ଷ ଟଙ୍କା, ଶିଳ୍ପ ବିଭାଗର 152 କୋଟି 69 ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ 5 କୋଟି 10 ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ରାଜ୍ୟ ସରକାର ଦର୍ଶାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

five − 5 =