କେନ୍ଦ୍ରାପଡାରେ ଆରମ୍ଭ ହେଲା ‘ମୋ ପଂଚାୟତ’

କେନ୍ଦ୍ରାପଡା () ମୁଖ୍ୟମନ୍ତ୍ରୀଙ୍କ 5-ଟି ମନ୍ତ୍ରକୁ ତୃଣମୂଳ ସ୍ତରରେ ତ୍ବରାନ୍ବିତ କରିବାକୁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ‘ମୋ ପଂଚାୟତ’ କାର୍ଯ୍ୟକ୍ରମ । ସ୍ଥାନୀୟ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ସହ ସରକାରୀ ଅଧିକାରୀଙ୍କୁ ଲୋକଙ୍କ ପାଖରେ ଉତ୍ତରଦାୟୀ କରିବା କରିବା ଲକ୍ଷରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଏହା ଏକ ପାକ୍ଷିକ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏହାଦ୍ବାରା ତୃଣମୂଳ ସ୍ତରରେ ବିକାଶର ଧାରା ପହଁଚିବାରେ ସାଧାରଣ ଲୋକ ସରକାରୀ ଅଧିକାରୀଙ୍କ ମଧ୍ୟରେ ଯେଉଁ ପ୍ରଭେଦ ରହୁଛି ଦୂର ହେବ । ଏଥିସହିତ ସମସ୍ତଙ୍କ ସହଯୋଗରେ ପଂଚାୟତ ସ୍ତରରେ ପରିବର୍ତ୍ତନର ନୂଆ ଧାରା ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ‘ମୋ ପଂଚାୟତ’ କାର୍ଯ୍ୟକ୍ରମରେ ସାଧାରଣ ଲୋକ ବିଭିନ୍ନ ପ୍ରସଙ୍ଗ ଏବଂ ବିକାଶ କାର୍ଯ୍ୟକ୍ରମ ସଂପର୍କରେ ନିଜର ମତ ରଖିପାରିବାର ଉପଯୁକ୍ତ ଫୋରମ । ଏହାଦ୍ବାରା ପଂଚାୟତ ସ୍ତରରେ ଅଭିଯୋଗ ଶୁଣାଣୀ ପ୍ରକ୍ରିୟା ମଧ୍ୟ ସୁଗମ ହୋଇପାରିବ ।

ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବାକୁ ଯାଇ କେନ୍ଦ୍ରାପଡା ଜିଲ୍ଲାପାଳ ସାମର୍ଥ ବର୍ମା କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କ 5-ଟି ମନ୍ତ୍ରକୁ ସମାଜର ସବୁଠାରୁ ଅନଗ୍ରସର ଲୋକ ପାଖରେ ପହଁଚାଇବାକୁ ପ୍ରତିଶୃତିବଦ୍ଧ । ଏହି କାର୍ଯ୍ୟକ୍ରମୁ ପଂଚାୟତ ଜରିଆରେ ଏବଂ ଲୋକଙ୍କ ସହଯୋଗରେ କାର୍ଯ୍ୟକାରୀ କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରତିମାସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଥର ବୈଠକ ଡକାଯିବ । ପ୍ରତି ମାସ 7 ତାରିଖ ଓ 22 ତାରିଖରେ ପଂଚାୟତ କାର୍ଯ୍ୟାଳୟରେ ବୈଠକ ଡକାଯିବ । ଏହି ବୈଠକକୁ ପଂଚାୟତର ସବୁ ବାସିନ୍ଦା, ସେମାନଙ୍କ ଲୋକ ପ୍ରତିନିଧି, ସରକାରୀ ବିଭାଗର ଅଧିକାରୀ ଓ ବିଭିନ୍ନ ସଂଗଠନଙ୍କୁ ଆମନ୍ତ୍ରଣ କରାଯିବ । ଏହି ବୈଠକରେ ସବୁ ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ପଂଚାୟତ ବିକାଶ ଯୋଜନା ଆରମ୍ଭ ହେବ । ଜିଲ୍ଲାର ସମସ୍ତ 249ଟି ପଂଚାୟତ ପାଇଁ ଏହିଭଳି ଯୋଜନା ପ୍ରସ୍ତୁତ ହେବ ।

ଯୋଜନା ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ପ୍ରତି ଗ୍ରାମ ପଂଚାୟତରେ ସ୍କୁଲର ସର୍ବନିମ୍ନ ମୌଳିକ ଆବଶ୍ୟକତା ପୂରଣ ପାଇଁ 10 ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଏହା ବ୍ୟତିତ ପ୍ରତି ପଂଚାୟତରେ ଦୁଇଟି ମଡେଲ ସ୍କୁଲର ବିକାଶ କରାଯିବ । ଏଥିରେ ପୃଷ୍ଟିକର ଗଛ ବଗିଚା, ସ୍କୁଲ କାନ୍ଥରେ ଚିତ୍ର ଏବଂ ଛାତ୍ରଛାତ୍ରୀଙ୍କୁ ପାଠ ଉପକଣ ଯୋଗାଇ ଦିଆଯିବ ।

ପ୍ରତି ମୋ ପଂଚାୟତ ବୈଠକରେ ଏକ ନିର୍ଦ୍ଧିଷ୍ଟ ବିଷୟବସ୍ତୁ ଉପରେ ଆଲୋଚନା ହେବ । ଆଜିର ମୋ ପଂଚାୟତ ବୈଠକର ବିଷୟବସ୍ତୁ ଥିଲା ଜଳ ସଂରକ୍ଷଣ ଓ ବୃକ୍ଷ ରୋପଣ । ଆଜିର ବୈଠକରେ ଏହି ପ୍ରସଙ୍ଗରେ ହୋଇଥିବା ଆଲୋଚନାକୁ ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ ଲିପିବଦ୍ଧ କରିବା ସହ ପଂଚାୟତ ସ୍ତରରେ ତାର ସମାଧାନ କରାଯିବ । ପଂଚାୟତ ବର୍ହିଭୂତ ପ୍ରସ୍ତାବକୁ ବ୍ଲକ ଓ ଜିଲ୍ଲା ସ୍ତରୀୟ ବୈଠକରେ ଶୁଣାଣୀ କରାଯାଇ ସମାଧାନ କରାଯିବ ।

Share

Leave a Reply

Your email address will not be published. Required fields are marked *

12 − 1 =