ରାଜ୍ୟରେ ପ୍ରତିଷ୍ଠା ହେବ ଲଘୁ ଖଣିଜ ସମ୍ପଦ ନିର୍ଦ୍ଦେଶାଳୟ

ଭୁବନେଶ୍ୱର () ରାଜ୍ୟରେ ବୃଦ୍ଧି ପାଉଥିବା ଲଘୁ ଖଣିଜ ସମ୍ପଦ ଚୋରୀ ଅଭିଯୋଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲଘୁ ଖଣିଜ ସମ୍ପଦ ନିର୍ଦ୍ଦେଶାଳୟ ପ୍ରତିଷ୍ଠା କରିବେ । ଏହି ବିଭାଗ ରାଜସ୍ୱ ବିଭାଗ ଅଧିନରେ ପରିଚାଳିତ ହେବ । ଏହି ନିର୍ଦ୍ଦେଶାଳୟଟି ରାଜ୍ୟରେ ଲଘୁ ଖଣିଜ ସମ୍ପଦର ଲିଜ ଠାରୁ ଆରମ୍ଭ କରି ଏହାର ପରିଚାଳନା ଏବଂ ଚୋରୀ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବ । ଆଜି ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବକୁ ମଂଜୁରୀ ମିଳିଛି । ଏହାଭିନ୍ନ ଅନ୍ୟ ୧୩ଟି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଂଜୁରୀ ଦେଇଛି ।

ବିଧାନସଭାର ବଜେଟ ଅଧିବେଶନ ଚାଲୁଥିବାରୁ ଚିରାଚରିତ ଭାବେ କ୍ୟାବିନେଟ ବୈଠକ ସଂପର୍କରେ ମୁଖ୍ୟ ଶାସନ ସଚିବ ନିଷ୍ପତ୍ତି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି କୌଣସି ତଥ୍ୟ ଦେଇନାହାଁନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ରାଜ୍ୟ ସରକାର ଲଘୁ ଖଣିଜ ସମ୍ପଦ ଆଇନ ପ୍ରଣୟନ କରିଥିଲେ । ଏହି ଆଇନରେ ଲଘୁ ଖଣିଜ ସମ୍ପଦର ଚୋରୀକୁ ରୋକିବା ଦିଗରେ ବିଭିନ୍ନ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ତଥାପି ବେଆଇନ ଲଘୁ ଖଣିଜ ସମ୍ପଦ ଚୋରୀ ଏବଂ କାରବାରକୁ ରୋକାଯାଇପାରୁନି । ଏହାକୁ ଦୃଷ୍ଟିରେ ରଖି ସରକାର ଏକ ନିର୍ଦ୍ଦେଶାଳୟ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଥିସହିତ ଏସିଆନ ସ୍କୁଲ ଅଫ ବିଜନେସ ମ୍ୟାନେଜମେଣ୍ଟକୁ ଡିମ୍ଡ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯିବ । ଏ ସମ୍ପର୍କିତ ଏକ ବିଲ ଚଳିତ ଅଧିବେଶନରେ ବିଧାନସଭାରେ ଅଣାଯିବ । ସେହିଭଳି ଉଚ୍ଚଶିକ୍ଷା ଦ୍ୱାରା ରାଜ୍ୟରେ ଏକ ମୁକ୍ତ ବିଶ୍ୱବିଦ୍ୟାଳୟ ଖୋଲାଯିବ । ଏଥିପାଇଁ ମଧ୍ୟ ବିଧାନସଭାରେ ଆସିବ ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ ବିଲ ।

ଏହାଭିନ୍ନ ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ନିଯୁକ୍ତି ଓ ବଜେଟ ଅଧିବେଶନକୁ ମଧ୍ୟ କ୍ୟାବିନେଟ ମଂଜୁରୀ ମିଳିଛି । ସୂଚନା ଅନୁଯାୟୀ ରାଜସ୍ୱ ବିଭାଗର ୫ଟି, ପଂଚାୟତିରାଜ ବିଭାଗର ୩ଟି, ଉଚ୍ଚଶିକ୍ଷା ବିଭାଗର ଦୁଇଟି, ଆଇନ ବିଭାଗ ଓ ସଂସଦୀୟ ବ୍ୟାପାର ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବକୁ କ୍ୟାବିନେଟର ମଂଜୁରୀ ମିଳିଛି ।

Share

Leave a Reply

Your email address will not be published. Required fields are marked *

4 + eighteen =