ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜିଲ୍ଲାର କୃଷି ଅଧିକାରୀଙ୍କ ସହିତ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍‌-୧୯)ର ମୁକାବିଲା କରିବା ଲାଗି ଓଡ଼ିଶା ସମେତ ସାରା ଦେଶରେ ଲକ୍‌ ଡାଉନ୍‌ (ତାଲାବନ୍ଦ) ଜାରି କରାଯାଇଛି । ଏହି କାରଣରୁ ରାଜ୍ୟରେ ସ୍ୱାଭାବିକ କୃଷି କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ପଦକ୍ଷେପ ନେବା ପାଇଁ ଜିଲ୍ଲାସ୍ତରୀୟ କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସାମାଜିକ ଦୂରତ୍ୱକୁ ରକ୍ଷା କରି କୃଷି କାର୍ଯ୍ୟ ଜାରି ରଖିବା ଓ ଖାଦ୍ୟଶସ୍ୟ ଅମଳ ଓ ବିକି୍ରବଟାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀ, ଉଦ୍ୟାନ କୃଷିର ଉପନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ନିୟନ୍ତ୍ରିତ ବଜାର କମିଟିର ସଂପାଦକମାନଙ୍କ ସହ ଆଲୋଚନା କରିଛନ୍ତି । ଏଥି ନିମନ୍ତେ ଜିଲ୍ଲାପାଳମାନଙ୍କ ପରାମର୍ଶ କ୍ରମେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ଼ିଓର ଅବଲମ୍ବନ କରି କୃଷି କାର୍ଯ୍ୟ କରିବା ପାଇଁ ଜିଲ୍ଲା କୃଷି ଅଧିକାରୀମାନଙ୍କୁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଛନ୍ତି । କୃଷି କାର୍ଯ୍ୟ ଯେପରି ଠିକ୍‌ ସମୟରେ ହୋଇପାରିବ ସେଥି ନିମନ୍ତେ ଉଭୟ ସ୍ୱଳ୍ପ ମିଆଦି ଓ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିବା ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱ ଦେଇଛନ୍ତି । 

ଖରିଫ୍‌ ଚାଷ ପାଇଁ ଧାନ ବିହନର ପ୍ରକି୍ରୟାକରଣ ଓ ପରୀକ୍ଷଣର ସଦ୍ୟତମ ସ୍ଥିତି ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଖରିଫ୍‌ ନିମନ୍ତେ ଚାଷୀମାନେ ଯେପରି ସୁବିଧାରେ ବିହନ, ସାର ଓ କୀଟନାଶକ ପାଇପାରିବେ ସେଥି ନିମନ୍ତେ ଆଗୁଆ ପ୍ରସ୍ତୁତି କରିବା ପାଇଁ ମନ୍ତ୍ରୀ କହିଥିଲେ । ପର୍ଯ୍ୟାପ୍ତ ପରିମାଣର ଧାନ ବିହନ ଚାଷୀମାନଙ୍କ ପାଇଁ ବିହନ ବିକ୍ରୟ କେନ୍ଦ୍ରରେ ଉପଲବ୍ଧ କରାଇବା ସହିତ ଆବଶ୍ୟକ ସାର ଓ କୀଟନାଶକ ଔଷଧ ଆଦି ମହଜୁଦ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥି ସହିତ ସମସ୍ତ କୃଷି ଯନ୍ତ୍ରପାତି ଯେପରି ସହଜରେ ଉପଲବ୍ଧ ହୋଇପାରିବ ସେଥି ନିମନ୍ତେ ଆଗୁଆ ପଦକ୍ଷେପ ନେବା ପାଇଁ କୁହାଯାଇଥିଲା ।
ରାଜ୍ୟର ବିଭିନ୍ନ ସ୍ଥାନରେ ଡାଲି, ତୈଳବୀଜ, କପା ଆଦି ରବି ଫସଲର ଅମଳ ସହିତ ଏହାର ସଂଗ୍ରହ ନିମନ୍ତେ ମଣ୍ଡି ଖୋଲିବା ନିମନ୍ତେ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କୃଷିଜାତ ଦ୍ରବ୍ୟ ବିଶେଷ କରି ପନିପରିବା ଯେପରି ଚାଷୀମାନେ ସହଜରେ ବିକି୍ର କରିପାରିବେ ସେଥି ନିମନ୍ତେ ବଜାର ସୁବିଧା ଯୋଗାଇଦେବା ପାଇଁ କୁହାଯାଇଥିଲା । ଚାଷୀମାନଙ୍କ ଉତ୍ପାଦିତ ଦ୍ରବ୍ୟର ସିଧାସଳଖ ବିକି୍ର ସହିତ ଇ-ନାମ ପୋର୍ଟାଲ ଜରିଆରେ ବିକି୍ର ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା । ନିର୍ଦ୍ଧାରିତ ସ୍ଥାନଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଣ ଓ ଏହାର ପରିବହନକୁ ନିଶ୍ଚିତ କରିବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ । ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସମେତ ଅନ୍ୟାନ୍ୟ ଯୋଜନାରେ ଉଦ୍ୟାନ କୃଷି କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଆଲୋଚନା କରାଯାଇଥିଲା । ଏଥି ସହିତ ଫାର୍ମପଣ୍ଡ ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା ।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ମୃର୍ତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

five × 1 =