ପ୍ରଥମ ଦିନରୁ ପ୍ରଶ୍ନପତ୍ର ଲିକ

ଭୁବନେଶ୍ବର () ମାଟ୍ରିକ ପରୀକ୍ଷା ଆରମ୍ଭରୁ ବିଭ୍ରାଟ । ପ୍ରଥମ ଦିନରୁ ହିଁ ପ୍ରଶ୍ନପତ୍ର ଲିକ ହେଲାଣି । ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା, ତିନି ଥାକିଆ ପ୍ରଶ୍ନପତ୍ର ସିଲ, ସବୁ କିଛି ଫେଲ ମାରିଛି । ସରକାର ଯେତେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରୁଛନ୍ତି, ଚୋର ସେତିକି ଚାଲାକ ହେଉଛନ୍ତି । ଆଜି ପ୍ରଥମ ଦିନ ଓଡିଆ ପରୀକ୍ଷାର ପ୍ରଶ୍ନପତ୍ର ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ପରେ ସୋସିଆଲ ମିଡିଆରେ ବୁଲିବା ଆରମ୍ଭ ହୋଇଛି ।

ଦେଖନ୍ତୁ ଏହି ଦୁଇଯାକ ପ୍ରଶ୍ନପତ୍ରକୁ । ଗୋଟିଏ ପରୀକ୍ଷା ପରେ ଜଣେ ଛାତ୍ରଙ୍କ ଠାରୁ ସଂଗୃହିତ ପ୍ରଶ୍ନର ନକଲ ଏବଂ ଅନ୍ୟଟି ହେଉଛି ପରୀକ୍ଷାର ଏକ ଘଣ୍ଟା ପରେ ଲିକ ହୋଇଥିବା ପ୍ରଶ୍ନପତ୍ରର ନକଲ । ଏହି ପ୍ରଶ୍ନପତ୍ର ପ୍ରକୃତରେ କେଉଁଠାରୁ ଲିକ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନି । କିନ୍ତୁ ଏହି ପ୍ରଶ୍ନପତ୍ର କନ୍ଧମାଳ, ଢେଙ୍କାନାଳ, ନୂଆପଡା ଆଦି ଜିଲ୍ଲାରେ ମଧ୍ୟ ସୋସିଆଲ ମଡିଆରେ ବୁଲିଥିଲା ।

ଚର୍ଚ୍ଚା ହେଉଛି ଜୟପୁର ବନ୍ଧୁଗାଁ ବ୍ଲକର ସରକାରୀ ସ୍କୁଲରେ ପରୀକ୍ଷା ବେଳେ ଲିକ୍ ହୋଇଛି ପ୍ରଶ୍ନପତ୍ର । ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ପ୍ରଶ୍ନପତ୍ର । ତେବେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ବାରଣ ଥିବା ସତ୍ତ୍ବେ କିପରି ପ୍ରଶ୍ନପତ୍ର ଭାଇରାଲ ହେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ଜୟପୁରରେ ନୁହେଁ, କନ୍ଧମାଳ, ନୂଆପଡ଼ା ଓ ଢ଼େଙ୍କାନାଳରେ ପ୍ରଶ୍ନପତ୍ର ଲିକ ହୋଇଛି । ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅସଲି ପ୍ରଶ୍ନପତ୍ର ସହ ମେଳ ଖାଇଛି । ‘ଏ’ ସେଟର ପ୍ରଶ୍ନପତ୍ର ଆଜିର ମାତୃଭାଷା ଓଡ଼ିଆ ‘ଏ’ସେଟ୍ ପ୍ରଶ୍ନପତ୍ର ସହ ମେଳ ଖାଉଛି । ମାତୃଭାଷା ସେଟ ଏର ୩୩ରୁ ୪୪ଯାଏଁ ପ୍ରଶ୍ନପତ୍ର ଅସଲ ପ୍ରଶ୍ନପତ୍ର ସହ ସମାନ ରହିଛି । ବର୍ତମାନ ସୁଦ୍ଧା ଉପଲବ୍ଧ ଭାଇରାଲ ପ୍ରଶ୍ନ ପତ୍ର ଅଂଶ ସହ ଆଜିର ଅସଲି ପ୍ରଶ୍ନପତ୍ର ମେଳଖାଉଛି ।

ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପ୍ରଶ୍ନପତ୍ର ଲିକ ଘଟଣାକୁ ଖଣ୍ଡନ କରିଛି । ସେ ଲିକ୍ ଘଟଣାକୁ ଗୁଜବ ବୋଲି କହିଛନ୍ତି । ପ୍ରଶ୍ନପତ୍ର ଲିକ ହୋଇଥିଲେ ତଦନ୍ତ କରାଯିବ । କଡ଼ା ସୁରକ୍ଷା ବଳୟରେ ପ୍ରଶ୍ନପତ୍ରକୁ ରଖାଯାଇଛି । ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଜାରି ହୋଇଛି । ଗଣଶିକ୍ଷା ବିଭାଗ ଏହାକୁ ଗୁଜବ ବୋଲି କହୁଥିବା ବେଳେ ଆଗକୁ ଅନ୍ୟ ପରୀକ୍ଷା ଉପରେ ଉଠିଛି ପ୍ରଶ୍ନ ।

Share

Leave a Reply

Your email address will not be published. Required fields are marked *

1 + 2 =