ନିରଞ୍ଜନଙ୍କ ଡାଏରୀରେ ଏକାଧିକ ବ୍ୟକ୍ତିଙ୍କ ନାମ, ସମସ୍ତଙ୍କୁ ଜେରା କରିପାରେ କ୍ରାଇମ୍‌ବ୍ରାଞ୍ଚ୍

ବହୁ ଚର୍ଚ୍ଚିତ ମାନସ ସ୍ଵାଇଁ ହତ୍ୟା ମାମଲାରେ ଡାଏରୀ ଖୋଲିବ ଗୁମର। ନିରଞ୍ଜନଙ୍କ ଡାଏରିରୁ କ୍ରାଇମବ୍ରାଞ୍ଚ ପାଇଲା ବହୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ । ଡାଏରୀରେ ରହିଛି ଏକାଧିକ ବ୍ୟକ୍ତିଙ୍କ ନାମ। ସମସ୍ତଙ୍କୁ ମୁଖ୍ୟାଳୟକୁ ଡାକି ଜେରା କରିପାରେ କ୍ରାଇମ୍‌ବ୍ରାଞ୍ଚ୍। ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଶେଷ ଦିନରେ ଶର୍ମିଷ୍ଠାଙ୍କ ଭୁବନେଶ୍ଵର ଫ୍ଲାଟରୁ ନିରଞ୍ଜନଙ୍କ ଡାଏରୀ ଜବତ କରିଥିଲା କ୍ରାଇମବ୍ରାଞ୍ଚ୍।

ସୂଚନା ଅନୁଯାୟୀ, ଶର୍ମିଷ୍ଠାଙ୍କ ଗିରଫଦାରୀକୁ ଏଡ଼ାଇବା ପାଇଁ ପ୍ରତିଟି ପ୍ଲାନ୍‌ ପଛରେ ଥିଲା ନିରଞ୍ଜନଙ୍କ ସମ୍ପୃକ୍ତି । ଶାଶୁ ଘରେ ଲୁଚିବା, ନଣନ୍ଦ ଘରକୁ ଯାଇ ସେଠାରୁ ବାଲେଶ୍ୱରରେ ରହିବା ଏବଂ କୋଲକାତାର ଓୟୋ ରୁମ୍‌ରେ ଆତ୍ମଗୋପନ ସବୁ ନିରଞ୍ଜନଙ୍କ ଇସାରରେ ହେଉଥିଲା । ଏମିତିକି ନୂଆ ସିମ୍‌ କାର୍ଡ କିଣିବାକୁ ନିରଞ୍ଜନ ପ୍ରବର୍ତ୍ତାଇଥିଲେ । ଶର୍ମିଷ୍ଠା ଫେରାର୍‌ ପୂର୍ବରୁ ଚାନ୍ଦବାଲି ଥାନାରେ ବୟାନ ଦେବା ବେଳେ ନିରଞ୍ଜନଙ୍କ ସହ ଫୋନ୍‌ ଲାଇନ୍‌ରେ ଥିଲେ । ତଦନ୍ତକାରୀ ଅଫିସରଙ୍କ ନିକଟରେ କ’ଣ ବୟାନ ରଖିବେ ତାହା ନିରଞ୍ଜନ ହ୍ୱାଟସ୍‌ଆପ୍‌ ମେସେଜ୍‌ରେ ଅବଗତ କରାଉଥିବା ତଦନ୍ତରୁ ଜଣାପଡିଛି । କ୍ରାଇମବ୍ରାଞ୍ଚ ଟିମ୍‌ ଗତକାଲି ଶର୍ମିଷ୍ଠା, ଝୁନା, ନିରଞ୍ଜନ ଏବଂ ରଞ୍ଜନଙ୍କୁ ଚାନ୍ଦବାଲି ଜେଏମଏଫସିରେ ହାଜର କରାଇଥିଲା । ଅଦାଲତରେ ଚାନ୍ଦବାଲି ଥାନାଧିକାରୀ କରୁଣାକର ରାଉତ, ଏସଡିପିଓ ଡି. ପ୍ରତାପ, ସୁନିତା ହେମ୍ବ୍ରମ୍‌ ପ୍ରମୁଖ ଅଧିକାରୀ ପ୍ରସ୍ତୁତ ଥିଲେ । ଶର୍ମିଷ୍ଠା ଓ ଅନ୍ୟ ୩ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷାରେ କୋର୍ଟ ଭିତରକୁ ନିଆଯାଇଥିଲା ।

ପୁଣି ଥରେ ୫ ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଅଦାଲତରେ ଆବେଦନ କରିଥିଲା । କିନ୍ତୁ ବିଚାରପତି କେବଳ ଶର୍ମିଷ୍ଠା ଓ ଝୁନାଙ୍କୁ ୫ ଦିନ ବଦଳରେ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ । ଏହାପରେ ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସେଠୀ ଓ ମୋବାଇଲ ମେକାନିକ୍‌ ରଞ୍ଜନ ନାୟକଙ୍କୁ ଭଦ୍ରକ ଜେଲ୍‌କୁ ପଠାଇ ଦିଆଯାଇଛି । ଶର୍ମିଷ୍ଠାଙ୍କ କାର୍ଯ୍ୟାଳୟରୁ ଯେଉଁ ଡାଏରୀ ମିଳିଛି ସେହି ଡାଏରୀ ଅନେକ ରହସ୍ୟ ଖୋଲିବା ଆଶଙ୍କାରେ ଏବେ ଶର୍ମିଷ୍ଠା ଓ ଝୁନାଙ୍କୁ ଚାନ୍ଦବାଲି କୋର୍ଟରୁ କଟକ ମୁଖ୍ୟ କାର୍ଯ୍ୟାଳୟକୁ କ୍ରାଇମବ୍ରାଞ୍ଚ ଟିମ୍‌ ନେଇଛି ।

Share

Leave a Reply

Your email address will not be published. Required fields are marked *

fifteen + two =