ଜୁନ ୧ ଯାଏଁ ବଢିଲା ଲକଡାଉନ ଅବଧି

ଭୁବନେଶ୍ବର () ପୁଣି ଥରେ ବଢିଲା ରାଜ୍ୟରେ ଲକଡାଉନ୍ ଅବଧି। ଜୁନ ୧ ତାରିଖ ସକାଳ ୫ଟା ଯାଏଁ ବଢିଲା ଲକଡାଉନ ସମୟ ସୀମା । ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପୂର୍ବଭଳି କିନ୍ତୁ ଜାରି ରହିବ ସପ୍ତାହାନ୍ତ ସଟଡାଉନ୍ । ତେବେ ଲକଡାଉନ ୫ ଦିନ ଦୈନିକ ହାଟବଜାର ପାଇଁ ମିଳୁଥିବା ୬ଘଣ୍ଟା ସମୟକୁ ୪ ଘଣ୍ଟାକୁ ହ୍ରାସ କରାଯାଇଛି । ସକାଳ ୭ଟାରୁ ୧୧ ମଧ୍ୟରେ ଲୋକେ ହାଟବଜାର ଯାଇ ଆବଶ୍ୟକ ସାମଗ୍ରୀ କିଣିପାରିବେ । ତେବେ ଘରଠାରୁ ୫୦୦ ମିଟର ମଧ୍ୟରେ ଚାଲିଚାଲି ଯିବାକୁ ପଡିବ । ହାଟବଜାରରେ ରହିବ ପୂର୍ବଭଳି ସାମାଜିକ ଦୂରତା ।

ତେବେ ଅତ୍ୟାବଶ୍ୟକ ସାମଗ୍ରୀ, ମାଲ ପରିବହନକୁ ସମ୍ପୁର୍ଣ୍ଣ କଟକଣା ମୁକ୍ତ ରଖାଯାଇଛି । ବିନା ଜରୁରୀ କାମରେ ଘରୁ ବାହାରକୁ ବାହାରିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ପ୍ରଥମ ଦଫାର ଲକଡାଉନରୁ ଅନେକ ସଫଳତା ମିଳିଛି । ତଥାପି ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହୁଛି । ତେଣୁ ଦୁତୀୟ ଦଫାରେ ଅମାନିଆଙ୍କ ଅଯଥା ଚଳପ୍ରଚର ଉପରେ ଅଙ୍କୁଶ ଲଗାଯିବ ।

ଗ୍ରାମାଞ୍ଚଳରେ କରୋନା ବ୍ୟାପୁଥିବାରୁ ପଞ୍ଚାୟତିରାଜ ସଂସ୍ଥା ଜରିଆରେ ଆଶା କର୍ମୀ ନିଜ ଅଞ୍ଚଳରେ ଅନ୍ୟ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ । ବାହାରୁ ଆସୁଥିବା ଲୋକଙ୍କୁ ହୋମ୍ ଆଇସୋଲେସନରେ ରହିବା ନେଇ ଗୁରୁତ୍ବ ଦିଆଯାଇଛି । ଘରକୁ ଘର ବୁଲି ୩ ମାସ ଯାଏ ସର୍ଭେ କରାଯିବ । ସେହିଭଳି ସରପଞ୍ଚମାନେ ଟିଏମସି ସେଣ୍ଟର ଓ ଲକଡାଇନ ନେଇ ନିଷ୍ପତ୍ତି ନେବେ । ଜିଲ୍ଲାପାଳଙ୍କୁ ଚିଠି ଲେଖି ଏହି ନିଷ୍ପତ୍ତି ନେଇପାରିବେ ସରପଞ୍ଚ । ସରକାରୀ କାର୍ଯ୍ୟାଳୟରେ ମଧ୍ୟ କର୍ମଚାରୀ ସଂଖ୍ୟା ହ୍ରାସ କରାଯିବ ।

ଟେଷ୍ଟିଂ, ଟ୍ରାକିଂ ଓ କଣ୍ଟେନମେଣ୍ଟ ପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନକୁ ଦାୟିତ୍ବ ଦିଆଯାଇଛି । ସଂକ୍ରମଣ ହ୍ରାସ ସହ କୋଭିଡ ହସ୍ପିଟାଲରେ ଆବଶ୍ୟକ ଭିତ୍ତିଭୂମୀ ସୃଷ୍ଟି ସହ ମାଇକ୍ରୋ କଣ୍ଟେନମେଣ୍ଟ ଯୋଜାନା କରିବେ ଜିଲ୍ଲା ପ୍ରଶାସନ । ସଂକ୍ରମଣ ରୋକିବା ସହ ଟିକାକରଣ ଯେପରି ପ୍ରଭାବିତ ନହୁଏ ସେନେଇ ନିଜ ସ୍ତରରେ ଯୋଜନା କରିବେ ଜିଲ୍ଲା ଓ ପୌର ପ୍ରଶାସନ ।

Share

Leave a Reply

Your email address will not be published. Required fields are marked *

14 − 7 =