ମୁଖ୍ୟ ରାସ୍ତାରୁ ଆରମ୍ଭ କରି ଗଳିକନ୍ଦି ସବୁଠି ଲାଗିବ ଏଲ୍ଇଡି ଲାଇଟ୍

ରାଜ୍ୟର ୧୧୩ଟି ସହରାଞ୍ଚଳକୁ ଆସନ୍ତା ମେ’ ମାସ ସୁଦ୍ଧା ଆଲୋକୀକରଣ କରାଯିବ । ମୁଖ୍ୟ ରାସ୍ତାରୁ ଆରମ୍ଭ କରି ଗଳିକନ୍ଦି ପର୍ୟ୍ୟନ୍ତ ସବୁଠି ସ୍ମାର୍ଟ ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ଲାଗିବ । ୫ମାସ ମଧ୍ୟରେ ୬୧,୦୭୯ ଏଲ୍ଇଡି ଲାଇଟ୍ ଲାଗିବ। ଏଥିପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ତିନିଟି ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର ହୋଇଛି । ଏହି ଯୋଜନାରେ ୨୬୯.୮୩କୋଟି ଟଙ୍କା ଖର୍ଚ୍ଚ ହେବ । ଷ୍ଟ୍ରିଟ୍ ଲାଇଟ୍ ଲଗାଇବାକୁ ଥିବା ସଂସ୍ଥା ୭ବର୍ଷ ପର୍ୟ୍ୟନ୍ତ ଏହାର ରକ୍ଷଣାବେକ୍ଷଣ କରିବ ।
ଗତକାଲି ଏନେଇ ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ରାଜ୍ୟସ୍ତରୀୟ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷର ହୋଇଛି । ଏଥିରେ ନଗର ଉନ୍ନୟନ ବିଭାଗ, ପୌରସଂସ୍ଥା ଏବଂ ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ଲଗାଇବାକୁ ଥିବା ସଂସ୍ଥା ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି । ଏହି କାର୍ୟ୍ୟକ୍ରମରେ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ଏବେ କୌଣସି ସହରରେ ଅନ୍ଧାରୁଆ ଅଞ୍ଚଳ ରହିବନି ।
ସବୁଠି ଶକ୍ତି ସଞ୍ଚୟକାରୀ ସ୍ମାର୍ଟ ଏଲ୍ଇଡି ଲାଗିବ । ଏଥିରେ ମୁଖ୍ୟତଃ ଯେଉଁ ଅଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ଲାଗିନି ସେଠାରେ ମର୍କ୍ୟୁରି କି ସୋଡିୟମ ଲାଇଟ୍ ନଲଗାଇ ଏଲ୍ଇଡି ଲାଇଟ୍ ଲଗାଯିବ । ଏହାଦ୍ବାରା କମ୍ ବିଦ୍ୟୁତ୍ ଖର୍ଚ୍ଚରେ ସବୁଠି ଆଲୋକୀକରଣ ହୋଇପାରିବ । ସେହିପରି ରିଓଫିଟିଙ୍ଗ୍ ଯୋଜନାରେ ଏବେ ଯେପରି ପୁରୁଣା ସୋଡିୟମ ଲାଇଟ୍ ବଦଳାଇ ସ୍ମାର୍ଟ ଏଲ୍ଇଡି ଲାଗୁଛି ତାହାବି ଲାଗିବ । ଏବେ ୭୫% କାର୍ୟ୍ୟ ଶେଷ ହୋଇଥିବାବେଳେ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଲାଇଟ୍ ବଦଳାଯିବ ।
ସୂଚନାଯୋଗ୍ୟ ଯେ, ସ୍ମାର୍ଟ ଏଲ୍ଇଡି ଲଗାଇବା ପାଇଁ ୧୧୩ଟି ପୌରାଞ୍ଚଳକୁ ୫ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି । ଏଥିରେ କ୍ଲଷ୍ଟର ଏ ଓ ବି ଅଞ୍ଚଳରେ ମୁମ୍ବାଇର କ୍ରମ୍ପଟନ୍ ଗ୍ରିପ୍ସ, କ୍ଲଷ୍ଟର ‘ସି’ରେ ନୂଆଦିଲ୍ଲୀର ସୂର୍ୟ୍ୟା ରୋସ୍ନି, କ୍ଲଷ୍ଟର ଡି ଓ ଇ ଅଞ୍ଚଳରେ ନାସିକ୍ର ଆକାଂକ୍ଷା ପାୱାର ଆଣ୍ଡ ଇନଫ୍ରାଷ୍ଟ୍ରକଚର୍ ଲିମିଟେଡ୍ ଏଲ୍ଇଡି ଲାଇଟ୍ ଲଗାଇବ ।

Share

Leave a Reply

Your email address will not be published. Required fields are marked *

twenty + 9 =