ଭୁବନେଶ୍ବରକୁ ଲମ୍ବିଛି ଓଟିଭିର ଜମି କେଳେଙ୍କାରୀ

ଭୁବନେଶ୍ୱର () କେବଳ ସାରୁଅରେ ନୁହଁ ଭୁବନେଶ୍ବରେ ଥିବା ଓଟିଭି କାର୍ଯ୍ୟାଳୟ ନିକଟରେ ମଧ୍ୟ ଜମି କେଳେଙ୍କାରୀ କରିଛନ୍ତି ଓଟିଭି କର୍ତ୍ତୃପକ୍ଷ । ଓଟିଭି କାର୍ଯ୍ୟାଳୟ ଚାରିପାଖରେ ଜବରଦଖଲ କରି ମାଡି ବସିଛନ୍ତି 12ହଜାର 980ବର୍ଗ ଫୁଟ ଜମି ।

ଜମି ଜବରଦଖଲ କରିଥିବା ଅଭିଯୋଗ ପରେ ଚଳିତ ମାସ ୨୦ତାରିଖରେ ଓଟିଭି କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ବା ସୋ କଜ୍ ନୋଟିସ କରିଥିଲା ଇଡ୍କୋ । ୨୨ତାରିଖରେ ଓଟିଭି କର୍ତ୍ତୃପକ୍ଷ ସୋ କଜର ଉତ୍ତର ଦେଇ ଲେଖିଥିଲେ ଯେ ସେମାନେ କୌଣସି ଯାଗା ଜବରଦଖଲ କରିନାହାନ୍ତି । ଉତ୍ତରରେ ସନ୍ତୁଷ୍ଟ ନହେବାରୁ ଇଡ୍କୋ ପକ୍ଷରୁ ଆଜି ଓଟିଭି କାର୍ଯ୍ୟାଳୟ ଥିବା ଜମି ଓ ଏହାର ସଂଲଗ୍ନ ଅଞ୍ଚଳରେ ଜଏଣ୍ଟ ଭେରିଫିକେସନ୍ କରାଯାଇଥିଲା । ଏହି ଭେରିଫିକେସନ୍ ବେଳେ ଇଡ୍କୋର ଲ୍ୟାଣ୍ଡ ଅଫିସର, ବିଏମ୍ସି, ବିଡିଏ ଓ କଳାରାହାଙ୍ଗ ତହସିଲର କର୍ମକର୍ତ୍ତା ସାମିଲ ହୋଇଥିଲେ ।

ଭେରିଫିକେସନ୍ରୁ ଜଣାପଡିଛି ଯେ ୨୦୦୭ମସିହାରେ ଭୁବନେଶ୍ବର ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ରେ ଓଟିଭିକୁ 0.298ଏକର ଜମି ଇଡ୍କୋ ଆଲଟ କରିଥିଲା । ଏହି ଜମି ଏନ୍/୨୮/୨୯/୩୦ ଏବଂ ୩୧ନମ୍ବର ପ୍ଲଟ୍ରେ ରହିଛି । କିନ୍ତୁ ଆଲଟ୍ ହୋଇଥିବା ଜାମା ବ୍ୟତିତ ଇତିମଧ୍ୟରେ ଓଟିଭି ଅଧିକ 12ହଜାର 980ବର୍ଗଫୁଟ ଜମି ମାଡି ବସି ତା ଉପରେ ନିର୍ମାଣ କାର୍ଯ୍ୟ କରିଛି । ଜବରଦଖଲ ଜମି ଉପରେ ଓଟିଭିର ଟେଲିପୋର୍ଟ ଓ ଡିଜି ରହିଛି । ଏଥିସହ ମୂଳ କୋଠାର କିଛି ଅଂଶ ମଧ୍ୟ ଏହି ଜବରଦଖଲ ଜମି ମାଡି ଆସିଛି । ଗୋଟିଏ ସେଟ୍ ମଧ୍ୟ ଜବରଦଖଲ ଜମି ଉପରେ ଥିବା ଜଏଣ୍ଟ ଭେରିଫିକେସନ୍ ବେଳେ ଜଣାପଡିଥିବା ସୂଚନା ମିଳିଛି ।

ସାରୁଅରେ ଦଳିତଙ୍କ ଜମି ହଡପ କରିଥିବା ଓଟିଭି ଏବେ ରାଜଧାନୀର ଛାତି ଉପରେ ମଧ୍ୟ ଜମି ଜବରଦଖଲ କରିଥିବା ପଦାକୁ ଆସିଲାଣି । ଏହା ଜଣାପଡିବା ପରେ ଇଡ୍କୋ କର୍ତ୍ତୃପକ୍ଷ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Share

Leave a Reply

Your email address will not be published. Required fields are marked *

five × one =