କୋହିନୂର ହୀରା ଭାରତୀୟ ସାମ୍ରାଜ୍ୟବାଦର ପ୍ରତୀକ, ଶ୍ରୀଜଗନ୍ନାଥଙ୍କୁ ହୋଇଥିଲା ଭେଟି

ଭୁବନେଶ୍ବର () ଆଜି ରାଜ୍ୟ ସଚିବାଳୟଠାରେ ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତୃତାମାଳାର ବିଂଶତମ ବ୍ୟାଖ୍ୟାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଲେଖକ, ସାମ୍ବାଦିକ ଓ ସାହିତ୍ୟିକ ୱିଲିୟମ୍‌ ଡାଲ୍‌ରିମ୍ପଲ୍‌ କୋହିନୂରର ଇତିହାସ ସଂପର୍କରେ ଆଲୋଚନା କରିଥିଲେ । କୋହିନୂର ଭାରତରେ ସାମ୍ରାଜ୍ୟବାଦର ପ୍ରତୀକ ବୋଲି ଡାଲ୍‌ରିମ୍ପଲ୍‌ ମତରଖି ୧୭୩୦ ମସିହାଠାରୁ ଏହାର ଇତିହାସ ଉପରେ ଆଲୋକପାତ କରିଥିଲେ ।

କୋହିନୂର ଭାରତୀୟ ଭାସ୍କର୍ଯ୍ୟ, ସାହିତ୍ୟ ଏବଂ ଇତିହାସ ସହ ଜଡ଼ିତ ଥିବାର ବିଭିନ୍ନ ପ୍ରାମାଣିକ ତଥ୍ୟ ମଧ୍ୟ ଡାଲ୍‌ରିମ୍ପଲ୍‌ ରଖିଥିଲେ । ଇତିହାସ ଚକ୍ରରେ ରାଜା ରଣଜିତ୍‌ ସିଂହ ଏକଦା କୋହିନୂରକୁ ଉତ୍କଳର ଜଗନ୍ନାଥଙ୍କୁ ଭେଟି ଦେଇଥିବାର ଐତିହାସିକ ଉପାଖ୍ୟାନ ବିଷୟରେ ମଧ୍ୟ ସେ ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ, ୱିଲିୟମ୍‌ ଡାଲ୍‌ରିମ୍ପଲ୍‌ ଅନିତା ଆନନ୍ଦଙ୍କ ସହ ମିଳିତ ଭାବେ ୨୦୧୬ ମସିହାରେ ‘କୋହିନୂରର ଇତିହାସ’ ନାମକ ପୁସ୍ତକ ପ୍ରକାଶିତ କରିଥିଲେ । ନିକଟ ଅତୀତରେ ନ୍ୟୁୟର୍କଠାରେ ଏସିଆ ସମାଜ ପାଇଁ ସେ ମୋଗଲ କଳାର ଏକ ପ୍ରମୁଖ ପ୍ରଦର୍ଶନୀ ଆୟୋଜନ କରିଥିଲେ ଯେଉଁଥିରେ କୋହିନୂରର ମୋଗଲ କଳା ସହ ସଂପର୍କ ବିଷୟ ଉପସ୍ଥାପିତ ହୋଇଥିଲା । ଡାଲ୍‌ରିମ୍ପଲ୍‌ କୋହିନୂରକୁ ‘ପୃଥିବୀର ସର୍ବାଧିକ ଅପଖ୍ୟାତ ହୀରା’ର ଆଖ୍ୟା ଦେଇଥିଲେ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅସୀତ କୁମାର ତି୍ରପାଠୀ ଡାଲ୍‌ରିମ୍ପଲ୍‌ଙ୍କୁ ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତୃତାମାଳା ସହ ପରିଚିତ କରାଇ କହିଥିଲେ ଯେ ସେ ଭାରତ ଓ ଇସ୍‌ଲାମୀୟ ବିଶ୍ବ ସମ୍ବନ୍ଧୀୟ ୯ଟି ପୁସ୍ତକ ରଚନା କରିଛନ୍ତି । ଲୋକପ୍ରିୟ ଲେଖା ପାଇଁ ୱିଲିୟମ୍‌ ଡାଲ୍‌ରିମ୍ପଲ୍‌ଙ୍କୁ ‘ଥମାସ୍‌ ବୁକ୍‌ ଭ୍ରମଣ ପୁରସ୍କାର’, ‘ଓଲ୍‌ଫ୍‌ସନ୍‌ ପୁରସ୍କାର’, ‘ସ୍କଟିସ୍‌ ବୁକ୍‌ ପୁରସ୍କାର’ ଆଦି ପୁରସ୍କାର ପାଇଛନ୍ତି । ଡାଲ୍‌ରିମ୍ପଲ୍‌ ତାଙ୍କର ପୁସ୍ତକ ‘ନଅଟି ଜୀବନ: ଆଧୁନିକ ଭାରତରେ ପବିତ୍ରତାର ସନ୍ଧାନ’ ପାଇଁ ନିକଟ ଅତୀତରେ ‘ଏସିଆ ହାଉସ୍‌ ସାହିତି୍ୟକ’ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ବୋଲି ଉନ୍ନୟନ କମିଶନର କହିଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର, ବରିଷ୍ଠ ଅଧିକାରୀ, ଐତିହାସିକ, ଶିକ୍ଷାବିତ୍‌, ଗବେଷକ ଓ ଛାତ୍ରଛାତ୍ରୀମାନେ ବକ୍ତୃତା ପରବର୍ତ୍ତୀ ଆଲୋଚନାରେ ଭାଗ ନେଇଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଡାଲ୍‌ରିମ୍ପଲ୍‌ଙ୍କୁ ଜ୍ଞାନପୁଞ୍ଜ ବକ୍ତୃତାମାଳାର ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

Share

Leave a Reply

Your email address will not be published. Required fields are marked *

three − two =