ରେଳବାଇରେ ଓଡିଶାକୁ ମିଳିଲା କେତେ, ପଢନ୍ତୁ …

ଭୁବନେଶ୍ବର () 2019-20 ଆର୍ଥିକ ବର୍ଷରେ ରେଳବାଇରେ ଓଡିଶାକୁ ହାରାହାରି 5993 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । 2018-19ରେ ରେବାଇରେ ଓଡିଶାକୁ 5252 କୋଟି ଟଙ୍କା ମିଳିଥିଲା । ଚାଲୁ ରହିଥିବା ପ୍ରକଳ୍ପ ସାଙ୍ଗକୁ ଯାତ୍ରୀ ସୁବିଧା, ଟ୍ରାକ ମରାମତି ଓ ପୁନଃନିର୍ମାଣ, ରେଳ ଓଭରବ୍ରିଜ, ବିଦ୍ୟୁତିକରଣ ଆଦି ବିଭିନ୍ନ କ୍ଷେତ୍ରରେ ଏହି ବ୍ୟୟ ବରାଦ କରାଯାଇଛି । ପୂର୍ବତଟ ରେଳବାଇ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ତେବେ ରାଜ୍ୟରେ କୌଣସି ନୂଆ ଲାଇନ କିମ୍ବା ୱାଗନ ମରାମତି କାରଖାନାକୁ ମଂଜୁରୀ ମିଳିନି ।

ଆଜି ମିଳିଥିବା ସୂଚନା ଅନୁଯାୟୀ ଯାତ୍ରୀ ସୁବିଧାରେ 180 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ବେଳେ 5ଟି ନୂଆ ସର୍ଭେକୁ ମଂଜୁରୀ ମିଳିଛି । ଭୁବନେଶ୍ବର କୋଚ ମରାମତି କାରଖାନାରେ ଦୁଇଟି ସ୍ବୟଂଚାଳିତ କୋଚ ୱାସିଂ ପ୍ଲାଣ୍ଟକୁ ମଂଜୁରୀ ମିଳିଛି । ଅଂଚଳ ଭିତ୍ତିରେ କୋଚ ମରାମତି ସୁବିଧା ସୃଷ୍ଟି କରିବାକୁ ତଟୀୟ ରେଳବାଇକୁ ସ୍ବତନ୍ତ୍ର କ୍ଷମତା ଦିଆଯାଇଛି । ଲେବୁଲ କ୍ରସିଂଗୁଡିକ ସପୂର୍ଣ୍ଣ ଭାବେ ଉଠାଇ ଦେବାକୁ ଅଧିକରୁ ଅଧିକ ରେଳ ଓଭରବ୍ରିଜ ଓ ଅଣ୍ଡରବ୍ରିଜ ନିର୍ମାଣ ଉପରେ ବଜେଟରେ ଗୁରୁତ୍ବ ଦିଆଯାଇଛି ।

ରାଜା ଅଠଗଡ ଠାରୁ କାଇପଦର ରୋର୍ଡ ପର୍ଯ୍ୟନ୍ତ ନୂଆ ରେଳ ଲାଇନର ସର୍ଭେକୁ ଅନୁମତି ମିଳଥିବା ବେଳେ ଟିଟଲାଗଡ, ସିଙ୍ଗାପୁର ରୋଡ, ହରିଦାସପୁର, କୋରାପୁଟ, ସମ୍ବଲପୁର, ଯାଜପୁର ରୋଡ, ସମ୍ବଲପୁର ସହର, ସାରଳା ଓ ଗୋପାଳପୁର ପୋର୍ଟ ଠାରେ 10ଟି ଫ୍ଲାଇଓଭର ନିର୍ମାଣ ପାଇଁ ବଜେଟରେ ବ୍ୟୟ ବରାଦ କରାଯାଇଛି । କଟକରେ ମାଲବାହି ଟ୍ରେନ ଚଳାଚଳ ପାଇଁ ନୂଆ ଫ୍ଲାଇଓଭର ନିର୍ମାଣ ପାଇଁ ମଧ୍ୟ ବଜେଟରେ ବ୍ୟୟ ବରାଦ କରାଯାଇଛି ।

98 କିଲୋମିଟର ଲମ୍ବା ଅନୁଗୁଳ-ସୁକିନ୍ଦା ରେଳ ଲାଇନ ପାଇଁ ଚଳିତ ବର୍ଷ ବଜେଟରେ 250 କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା ବେଳେ ହରିଦାସପୁର-ପାରାଦ୍ବୀପ ରେଳପଥ ପାଇଁ 400 କୋଟି, ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ଲାଇନ ପାଇଁ 350 କୋଟି, ତାଳଚେର-ବିମଲାଗଡ ରେଳ ଲାଇନ ପାଇଁ 150 କୋଟି, ଜୟପୁର-ମାଲକାନଗିରି ରେଳପଥ ପାଇଁ 70 କୋଟି, ନୂଆପଡା-ଗୁଣୁପୁର ରେଳ ଲାଇନରେ ଥେରୁଭାଲି ପର୍ଯ୍ୟନ୍ତ ବ୍ରଡଗଜ ନିର୍ମାଣ ପାଇଁ 10 ଟଙ୍କା ଏହିଭଳି 9ଟି ରେଳପଥ ପାଇଁ 1400 କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

ସେହିଭଳି ଝାରସୁଗୁଡା-ରେଙ୍ଗାଲି ରେଳପଥର ଦୋହରିକରଣ ପାଇଁ 2 କୋଟି 5 ଲକ୍ଷ, ଖୋର୍ଦ୍ଧା-ବାରଙ୍ଗ ରେଳ ଲାଇନର ଦୋହରିକରଣ ପାଇଁ 8 କୋଟି, ସମ୍ବଲପୁର-ତାଳଚେର ରେଳଲାଇନର ଦୋହରିକରଣ ପାଇଁ 249 କୋଟି, ସମ୍ବଲପୁର-ଟିଟଲାଗଡ ରେଳପଥର ଦୋହରିକରଣ ପାଇଁ 170 କୋଟି, ବାଂଶପାଣୀ-ଦୈତାରୀ-ଟମକା-ଜଖପୁରା ରେଳ ଲାଇନର ଦୋହରିକରଣ ପାଇଁ 85 କୋଟି, ଭଦ୍ରକ-ନିର୍ଗୁଣ୍ଡି ରେଳଲାଇନର ଦୋହରିକରଣ ପାଇଁ 86 କୋଟି, ବିଜୟନଗରମ-ସମ୍ବଲପୁର ତୃତୀୟ ରେଳଲାଇନ ପାଇଁ 350 କୋଟି, ଝାରପଡା-ବୁଢାପଙ୍କ ଚତୁର୍ଥ ରେଳଲାଇନ ପାଇଁ 119 କୋଟି, ବୁଢାପଙ୍କ-ସାଲେଗାଁ ଚତୁର୍ଥ ରେଳ ଲାଇନ ପାଇଁ 205 କୋଟି ଏହିଭଳି 14ଟି ରେଳ ଲାଇନର ସଂପ୍ରସାରଣ ଏବଂ ଦୋହରିକରଣ ପାଇଁ ଚଳିତ ବଜେଟରେ ବ୍ୟୟ ବରାଦ ହୋଇଛି ।

Share

Leave a Reply

Your email address will not be published. Required fields are marked *

fourteen − seven =