ସର୍ବଭାରତୀୟ ସ୍ତରରେ ରେକର୍ଡ କରିଛି କନ୍ଧମାଳ

କନ୍ଧମାଳ () ବିଭିନ୍ନ କାରଣ ପାଇଁ କନ୍ଧମାଳ ଜିଲ୍ଲା ସବୁବେଳେ ଚର୍ଚ୍ଚାରେ ରହିଥାଏ । ବିଶେଷ କରି ସ୍ବାସ୍ଥ୍ୟ ସେବାକୁ ନେଇ ଚର୍ଚ୍ଚାରେ ଥିବା ଏହି ବଣପାହାଡ ଘେରା ଜିଲ୍ଲା ସର୍ବଭାରତୀୟ ସ୍ତରରେ ରେକର୍ଡ କରିପାରିଛି । ଯେତେବେଳେ ସାରା ଦେଶ ଡାକ୍ତରଖାନାରେ ପ୍ରସବକୁ ଗୁରୁତ୍ବ ଦେଇ ବିଭିନ୍ନ ଯୋଜନା କରୁଛି, ସେତେବେଳେ ଏହି ଜିଲ୍ଲାରେ ସର୍ବାଧିକ ସଂଖ୍ୟକ ଡାକ୍ତରଖାନାରେ ପ୍ରସବ ହୋଇଛି । ଶିଶୁ ଓ ମାତୃ ମୃତ୍ୟୁହାର ବି କମିଛି । ଜିଲ୍ଲାରେ ପ୍ରଚଳିତ ହୋଇଥିବା ବାଇକ ଆମ୍ବୁଲାନ୍ସ, ଭ୍ରାମ୍ୟମାଣ ପ୍ରସବ ଯାନ ଓ ଜନନୀ ଅଟୋ ପାଇଁ ଏହି ସଫଳତା ମିଳିଛି । ଏହାଦ୍ବାରା ଏବେ ଗର୍ଭବତୀମାନେ ଡାକ୍ତରଖାନାକୁ ଆସି ପ୍ରସବ କରିବାକୁ ସୁରକ୍ଷିତ ମଣୁଛନ୍ତି ।

ଡାକ୍ତରଖାନାରେ ଆସି ପ୍ରସବ କରାଇବାରେ କନ୍ଧମାଳ ଜିଲ୍ଲା ରାଜ୍ୟରେ ପ୍ରଥମ । ଗତ 6 ଓ 7 ତାରିଖ ଦୁଇ ଦିନ ଧରି ଭୁବନେଶ୍ବରରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକ ପରେ ଏହି ତଥ୍ୟ ପଦାକୁ ଆସିଛି । ଏପ୍ରିଲ, ମେ ଓ ଜୁନରେ ଡାକ୍ତରଖାନାରେ ହୋଇଥିବା ପ୍ରସବ ଉପରେ ଅନୁଷ୍ଠିତ ସମୀକ୍ଷା ପରେ ଏହା ଜଣାପଡିଛି । ଲୋକଙ୍କ ମଧ୍ୟ ବ୍ୟାପକ ସଚେତନା ସୃଷ୍ଟି କରାଯିବା ଏବଂ ଜିଲ୍ଲା ପ୍ରଶାସନର ଉଦ୍ୟମ ଫଳରେ ଏହା ସମ୍ଭବ ହୋଇଛି । ଡାକ୍ତରଖାନାରେ ପ୍ରସବ ହାର ବୃଦ୍ଧି ଯୋଗୁଁ ଜିଲ୍ଲାରେ ସାମଗ୍ରିକ ଭାବେ ମାତୃ ଓ ଶିଶୁ ମୃତ୍ୟୁ ହାର ହ୍ରାସ ପାଇଛି । ଏପରିକି କନ୍ଧମାଳ ଜିଲ୍ଲାର ସବୁଠାରୁ ଦୁର୍ଗମ ଅଂଚଳ ଫିରିଙ୍ଗିଆରେ ମଧ୍ୟ ଏହି ମାତୃ ଓ ଶିଶୁ ମୃତ୍ୟୁ ହାର ଉତ୍ସାହଜନକ ଭାବେ କମିଛି ।

ରିପୋର୍ଟ ଅନୁଯାୟୀ 2016-17ରେ ଜିଲ୍ଲାରେ 12 ହଜାର ଗର୍ଭବତୀ ସନ୍ତାନ ପ୍ରସବ କରିଥିଲେ । ସେ ମଧ୍ୟରୁ 55ଜଣ ମା ଓ 0ରୁ 5 ବର୍ଷର 654 ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା । 2017-18ରେ 12 ହଜର 454ଜଣ ମହିଳା ପ୍ରସବ କରିଥିଲେ । ସେ ମଧ୍ୟରୁ 41ଜଣ ମା ଓ 645ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା । 2018-19ରେ 13 ହଜାର 649ଟି ପ୍ରସବ ହୋଇଥିଲା ବେଳେ 21ଜଣ ମା ଓ 520ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଏହି ତଥ୍ୟରୁ ସ୍ପଷ୍ଟ ସଙ୍କେତ ମିଳୁଛି ଯେ, କନ୍ଧମାଳ ଜିଲ୍ଲାରେ ଗତ ତିନି ବର୍ଷ ମଧ୍ୟରେ ଉଭୟ ମାତୃ ଓ ଶିଶୁ ମୃତ୍ୟୁହାର ଦ୍ରୁତ ଗତିରେ ହ୍ରାସ ପାଇଛି ।

2017-18ରେ ଜିଲ୍ଲାରେ ଜନନୀ ଅଟୋ ଓ ବାଇକ ଆମ୍ବୁଲାନ୍ସ ଆରମ୍ଭ ହୋଇଥିଲା । ଯେଉଁ ଅଞ୍ଚଳକୁ ଜନନୀ ଅଟୋ ଯାଇପାରୁନଥିଲା, ସେଠାକୁ ବାଇକ ସେବା ଯୋଗାଇ ଦିଆଯାଉଥିଲା । 13ଟି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଅଂଚଳରେ ଜନନୀ ଅଟୋ ଓ 5ଟି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଂଚଳରେ ବାଇକ ଆମ୍ବୁଲାନ ବ୍ୟବସ୍ଥା ହୋଇଥିଲା । ଜିଲ୍ଲାପାଳ ଡକ୍ଟର ବୃନ୍ଦା ଡିଙ୍କ ନେତୃତ୍ବରେ ଜିଲ୍ଲା ପ୍ରଶାସନ ବ୍ୟାପକ କାର୍ଯ୍ୟକ୍ରମ ସହ ସଚେତନତା ଯୋଗୁଁ ଗତବର୍ଷ ମାତ୍ର 14 ଜଣ ମହିଳା ବିଭିନ୍ନ କାରଣରୁ ଘରେ ପ୍ରସବ କରିଛନ୍ତି । ସେ ଜିଲ୍ଲାପାଳ ଭାବେ ଯୋଗ ଦେବା ପରେ ମହିଳାମାନେ ପାରମ୍ପାରିକ ଭାବେ ପ୍ରସବ କରୁଥିବା ଜିଲ୍ଲାର ଏକ ବଡ ସମସ୍ୟା ବୋଲି ଉପଲବ୍ଧ କରିଥିଲେ । ତେଣୁ ସେ ମହିଳାଙ୍କୁ ସଚେତନ କରିବାକୁ ପ୍ରଥମିକତା ଦେଇଥିଲେ । କିନ୍ତୁ ଭୌଗୋଳିକ ସମସ୍ୟା ଯୋଗୁଁ ମହିଳାମାନେ ଡାକ୍ତରଖାନା ପହଁଚିବା ସମ୍ଭବ ହେଉନଥିଲା । ତେଣୁ ଏଦିଗରେ ଗର୍ଭବତୀ ମହାଳଙ୍କ ସହଯୋଗ ପାଇଁ ଆରମ୍ଭ ହୋଇଥିଲା ଜନନୀ ଅଟୋ ଏବଂ ବାଇକ ଆମ୍ବୁଲାନ୍ସ ।

ଜିଲ୍ଲାର 914ଟି ଗାଁକୁ ଯାତାୟତ ସମ୍ଭବ ହେଉନଥିବାରୁ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି । କେବଳ ଫିରିଙ୍ଗିଆ ବ୍ଲକରେ ଏକ ସ୍ବତନ୍ତ୍ର ପ୍ରସବ ଯାନ ଚାଲିଛି । ଏଥି ସହିତ 5ଟି ବାଇକ ଆମ୍ବୁଲାନ୍ସ ଓ 14ଟି ଜନନୀ ଅଟୋର ମଧ୍ୟ ବ୍ୟବସ୍ଥା କରାଯାଇଛି । ଯେଉଁଠି ଗମନାଗମନର ସମସ୍ୟା ରହିଛି ସେଠାରେ ମହିଳାମାନେ ରାସ୍ତା ଗଡରେ କିମ୍ବା ଗଛମୂଳେ ପ୍ରସବ କରାଇବାକୁ ରୋକିବା ପାଇଁ ସ୍ବତନ୍ତ୍ର ଭ୍ୟାନର ବ୍ୟବସ୍ଥା ହୋଇଛି । ଏହି ଭ୍ୟାନରେ ବର୍ତ୍ତମାନ ସୁଦ୍ଧା ଏହିଭଳି 350 ଜଣଙ୍କୁ ଡାକ୍ତରଖାନା ଅଣାଯାଇ ପ୍ରସବ କରାଯାଇଛି ।

ପୂର୍ବରୁ କନ୍ଧମାଳରେ 23ଟି ପ୍ରସବ ଗୃହ ଥିବା ବେଳେ ଏବେ ଏହି ସଂଖ୍ୟା 40କୁ ବୃଦ୍ଧି ପାଇଛି । ସେହିଭଳି ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ 102 ଆମ୍ବୁଲାନ୍ସ ନଥିବାରୁ ପ୍ରସବ ଭ୍ୟାନ ଓ ବାଇକ ଆମ୍ବୁଲାନ୍ସ ବେଶ ସହାୟକ ହୋଇଛି ।

Share

Leave a Reply

Your email address will not be published. Required fields are marked *

8 + 11 =