ଚଷାପୁଅ ମନକୁ ଛୁଇଁଲା ନବୀନଙ୍କ ‘କାଳିଆ’

ପ୍ରଥମ ପର୍ଯ୍ୟାୟରେ 65 ଲକ୍ଷ ଆବେଦନ

ଭୁବନେଶ୍ବର (): କାଳିଆ ଯୋଜନାରେ ହିତାଧିକାରୀ ତାଲିକାରେ ନାମ ସଂଯୋଗ ପାଇଁ ଜାନୁଆରୀ ୧୫ ତାରିଖ ସୁଦ୍ଧା ରାଜ୍ୟରେ ୬୫ ଲକ୍ଷରୁ ଅଧିକ ସଂଖ୍ୟକ ସବୁଜ ଫର୍ମ ସଂଗୃହିତ ହୋଇଛି । ଏହି ବିଶାଳ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂପାଦନ କରିବା ପାଇଁ ୧୪,୦୦୦ ରୁ ଅଧିକ ସଂଖ୍ୟକ ଡ଼ିଇଓଙ୍କୁ ବ୍ଳକସ୍ତରରେ ନିୟୋଜିତ କରାଯାଇଅଛି ।

ରାଜ୍ୟର ସମସ୍ତ ଜିଲ୍ଲାପାଳମାନେ ବ୍ଳକସ୍ତରରେ କାର୍ଯ୍ୟ କରୁଥିବା ଡାଟା ଏଂଟ୍ରି କେନ୍ଦ୍ର ମାନଙ୍କର ସଠିକ୍ ପରିଚାଳନା ପାଇଁ ପଦକ୍ଷେପ ନେଉଛନ୍ତି । ରାଜ୍ୟ ସରକାର କାଳିଆ ଯୋଜନାର ସୁପରିଚାଳନା ପାଇଁ ୩୦ଟି ଜିଲ୍ଲା ନିମନ୍ତେ ୨୮ ଜଣ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି ।

ଯୋଗ୍ୟ ହିତାଧିକାରୀଙ୍କ ନାମ ପ୍ରଥମ ପର୍ଯ୍ୟାୟ ଚିଠା ତାଲିକାରେ ସଂଯୋଗ ପାଇଁ ରାଜ୍ୟ ସରକାର ସବୁଜ ଫର୍ମ ଆବେଦନର ଶେଷ ତାରିଖ ଜାନୁଆରୀ ୧୦ ତାରିଖ ପରିବର୍ତ୍ତେ ଜାନୁଆରୀ ୧୫ ତାରିଖକୁ ବୃଦ୍ଧି କରିଥିଲେ । କାଳିଆ ଯୋଜନାରେ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀ, କୃଷି ପରିବାର, ଅସମର୍ଥ କୃଷି ପରିବାର, ଭୂମିହୀନ କୃଷି ଶ୍ରମିକ ଓ ଭାଗଚାଷୀ ମାନେ ସହାୟତା ପାଇବେ । ଏହି ଯୋଜନାରେ ଚାଷୀ ଓ ଭୂମିହୀନ କୃଷି ପରିବାରମାନଙ୍କୁ ମଧ୍ୟ ଜୀବନ ବୀମାର ସୁବିଧା ଦିଆଯିବାର ବ୍ୟବସ୍ଥା କରାଯାଇଅଛି ।

ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ସ୍ତରରେ ପ୍ରତି ମାସରେ ଆୟୋଜନ କରାଯାଉଥିବା ‘ପିଠା’ କାର୍ଯ୍ୟକ୍ରମରେ ମଧ୍ୟ କାଳିଆ ଯୋଜନାରେ କୃଷକଙ୍କୁ କୃଷି କାର୍ଯ୍ୟ ପାଇଁ ଯୋଗାଇ ଦିଆଯାଉଥିବା ସମସ୍ତ ସହାୟତା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଉଅଛି ।

‘ପିଠା’ କ୍ୟାମ୍ପରେ ଗ୍ରାମପଞ୍ଚାୟତ ନୋଡ଼ାଲ ଅଧିକାରୀଙ୍କ ଜରିଆରେ କାଳିଆ ଯୋଜନାରେ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଉଥିବା ସହାୟତା ସମ୍ବନ୍ଧରେ ବିସ୍ତୃତ ଆଲୋଚନା ବଡ଼ ପରଦାରେ ଭିଡ଼ିଓ, ଲିଫ୍ଲେଟ୍, ପୋଷ୍ଟର ଓ ସାର୍ବଜନୀନ ପ୍ରଚାର ମାଧ୍ୟମରେ ଜଣାଇ ଦିଆଯାଉଅଛି ।

ଏଠାରେ ମଧ୍ୟ ସୂଚାଇ ଦିଆଯାଉଅଛି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ପିଠା’ କାର୍ଯ୍ୟକ୍ରମ ୩-ଟି (ବୈଷୟିକ ଜ୍ଞାନକୌଶଳ, ସ୍ବଚ୍ଛତା ଓ ସମୂହ କାର୍ଯ୍ୟଧାରା)ର ଅଂଶବିଶେଷ ଅଟେ । ଏହି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ, ରାଜ୍ୟ ସରକାର ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ସ୍ତରରେ ପ୍ରତି ମାସ ୧୫ ତାରିଖରୁ ୨୦ ତାରିଖ ମଧ୍ୟରେ ସ୍ବତନ୍ତ୍ର କ୍ୟାମ୍ପ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଜନହିତକାରୀ ଯୋଜନାରେ ଯୋଗାଇ ଦିଆଯାଉଥିବା ସହାୟତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଉଛନ୍ତି ।

କାଳିଆ ବାର୍ତ୍ତା:

‘କାଳିଆ’ ବାର୍ତ୍ତା ହେଉଛି ରାଜ୍ୟ ସରକାରଙ୍କର ‘କାଳିଆ ଯୋଜନା’ ସୂଚନା ସମ୍ବନ୍ଧୀୟ ଏକ ଅଭିନବ ସେବା, ଯାହାକି ନୂତନ ଭାବେ ଶୁଭାରମ୍ଭ କରାଯାଇ ଯୋଜନା ସଂପର୍କରେ କୃଷକମାନଙ୍କୁ ଅବଗତ କରାଇଥାଏ । ଆଜି ସୁଦ୍ଧା ଏହି ସୂଚନା ପ୍ରକ୍ରିୟାରେ ୩.୦୯ ଲକ୍ଷ କୃଷକ ଯୋଗଦାନ କରିପାରିଛନ୍ତି ।

‘କାଳିଆ’ ଯୋଜନା ବିଷୟରେ ଜାଣିବା ପାଇଁ ୨୪ ଲକ୍ଷ ୬୮ ହଜାରରୁ ଅଧିକ ଏସ୍.ଏମ୍.ଏସ୍. ଲୋକମାନଙ୍କୁ ପଠାଇ ଦିଆଯାଇଛି ଏବଂ ଆଜି ସୁଦ୍ଧା ୩୫ ଲକ୍ଷ ୨୮ ହଜାର ଲୋକ ‘କାଳିଆ ୱେବସାଇଟ୍’କୁ ବ୍ୟବହାର କରି ଏହି ଯୋଜନା ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିପାରିଛନ୍ତି ।

ଏହା ରାଜ୍ୟ ସରକାରଙ୍କ ଦ୍ବାରା ସ୍ଥାପନ କରାଯାଇଥିବା କାଳିଆ ଯୋଜନା ସମ୍ବନ୍ଧୀୟ ଏକ ସୂଚନା ପ୍ରଦାନର ବ୍ୟବସ୍ଥା । କୌଣସି ଚାଷୀ / ବ୍ୟକ୍ତି ୦୮୦୬୧୧୭୪୨୨୨ନମ୍ବରକୁ ମିସ୍ଡ କଲ କଲେ ତାଙ୍କର ମୋବାଇଲ ଫୋନ୍କୁ ଆପେ ଆପେ କାଳିଆ ଯୋଜନା ସଂପର୍କରେ ବିଭିନ୍ନ ସୂଚନା ଏସ୍.ଏମ୍.ଏସ୍. ପଠାଯାଏ ।

Share

Leave a Reply

Your email address will not be published. Required fields are marked *

eleven + ten =