କାଳିଆ ଯୋଜନା ଦେଶର କୃଷି ନୀତି ପାଇଁ ମାର୍ଗଦର୍ଶକ : ପଦ୍ମଶ୍ରୀ ଅଶୋକ ଗୁଲାତି

ଭୁବନେଶ୍ବର () ଆଜିଠାରୁ ଆରମ୍ଭ ହେଲା ୫ ଦିନିଆ କୃଷି କର୍ମଶାଳା କୃଷି ଓଡିଶା-2019। ଆଜିଠାରୁ ଆସନ୍ତା 19 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କର୍ମଶାଳାରେ ଚାଷୀଙ୍କୁ ଉନ୍ନତ ଚାଷ ଏବଂ କୃଷି ସମ୍ବନ୍ଧୀୟ ଆଧୁନିକ ପ୍ରଣାଳୀ ସଂପର୍କରେ ତାଲିମ ଦିଆଯିବ । ଏଥିସହିତ କୃଷି କ୍ଷେତ୍ରରେ ଉଦ୍ୟୋଗୀ ଚାଷୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି କର୍ମଶାଳାକୁ ସମ୍ବୋଧୀତ କରି ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାକୁ ପ୍ରଶଂସା କରିଥିଲେ । ଏଥିସହିତ ସେ ଆଶା ପ୍ରକାଶ କରିଥିଲେ ଯେ, କାଳିଆ ଯୋଜନାରୁ ମିଳୁଥିବା ସହାୟତାକୁ କୃଷି କାର୍ଯ୍ୟରେ ବିନିଯୋଗ କରି ଚାଷୀମାନେ ସେମାନଙ୍କ ଆୟ ବୃଦ୍ଧି କଲେ ସେ ଖୁସୀ ହେବେ । ଏହି ଅବସରରେ ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ ପଦ୍ମଶ୍ରୀ ଡକ୍ଟର ଅଶୋକ ଗୁଲାତି ରାଜ୍ୟ ସରକାରଙ୍କ କାଳିଆ ଓ ବିଭିନ୍ନ ଯୋଜନାକୁ ପ୍ରଶଂସା କରିଛନ୍ତି ।

କୃଷି ଓଡିଶାରେ ଚାଷୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କାଳିଆ ଯୋଜନା ରାଜ୍ୟ ଚାଷୀ ଭାଇ ଭଉଣୀଙ୍କ ପସନ୍ଦ ହୋଇଛି  । ଆଜି ପ୍ରଥମ ପର୍ଯ୍ୟାୟ ପଂଜିକରଣ ଶେଷ ହେଉଛି । ଜାନୁଆରୀ 25 ତାରିଖରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ପଂଜିକରଣ । ଏହି ଯୋଜନାରେ 92 ପ୍ରତିଶତ ଚାଷୀ ଉପକୃତ ହେବେ । ଛୋଟ ଚାଷୀ, ଭାଗ ଚାଷୀ, କୃଷି ଶ୍ରମିକ ସମସ୍ତେ ପାଇବେ ଉପକାର । ରବି ଓ ଖରିଫ ଋତୁ ପାଇଁ ସହାୟତା ସହିତ ବିନା ସୁଧରେ ଋଣ, ବୀମା ସୁବିଧା ଓ ଜୀବିକା ସୁବିଧା ସବୁ ବ୍ୟବସ୍ଥା ରହିଛି ।

ରାଜ୍ୟ ସରକାରଙ୍କର ଏହା ଏକ ବୃହତ ଯୋଜନା । ତିନି ବର୍ଷରେ 10ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଚାୀ ପାଇଁ ସାରା ଦେଶରେ ଏହା ଏକ ଆଦର୍ଶ ଯୋଜନା । କାଳିଆ ଯୋଜନା ସାରା ଦେଶର ଚାଷୀଙ୍କ ଉନ୍ନତି ପାଇଁ ବାଟ ଖୋଲିବ ବୋଲି ସେ କହିଥିଲେ । ଏଥିସହିତ ରାଜ୍ୟ ସରକାର ଜଳସେଚନକୁ ମଧ୍ୟ ସମାନ ଗୁରୁତ୍ବ ଦେଇଛନ୍ତି  । 2014ରେ ଦାୟିତ୍ବ ନେବା ଦିନ ହିଁ ରାଜ୍ୟ ସରକାର ଅଧିକ 10 ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବାକୁ ଘୋଷଣା କରିଥିଲେ । ଏଭିତରେ 8ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଜଳସେଚନା ସୁବିଧା ହୋଇସାରିଛି । ଏବାବଦରେ ଗତ ଚାରି ମଧ୍ୟରେ ପ୍ରାୟ 30ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏପ୍ରିଲ ସୁଦ୍ଧା ବଳକା ଲକ୍ଷ ହାସଲ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଓଡିଶା ଏକମାତ୍ର ରାଜ୍ୟ ଭାବେ କୃଷି କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିଛି  । ପ୍ରଥମ ରାଜ୍ୟ ଭାବେ ଗତ 6 ବର୍ଷ ଧରି କୃଷି ପାଇଁ ସ୍ବତନ୍ତ୍ର ବଜେଟ ପ୍ରସ୍ତୁତ ହେଉଛି । ଏଥିସହିତ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ମଧ୍ୟ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି । ରାଜ୍ୟ ଚାଷୀଙ୍କ ସହଯୋଗରେ ଓଡିଶା 5 ଥର କୃଷି କର୍ମଣ ପୁରସ୍କାର ପାଇଛି । ଖାଦ୍ୟଶସ୍ୟ ଉତ୍ପାଦନରେ ଓଡିଶା ସ୍ବାବଲମ୍ବୀ ହୋଇଛି । ଓଡିଶା ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି ବୋଲ ସେ କହିଥିଲେ ।

ଏହି ଅବସରରେ ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ ଡକ୍ଟର ଅଶୋକ ଗୁଲାତି ରାଜ୍ୟ ସରକାରଙ୍କ ଗରିବୀ ହ୍ରାସ କାର୍ଯ୍ୟକ୍ରମ, ଚାଷୀଙ୍କ ରୋଜଗାର ବୃଦ୍ଧି ଓ କାଳିଆ ଯୋଜନାକୁ ପ୍ରଶଂସା କରିଥିଲେ । କାଳିଆ ଯୋଜନା ଦେଶର ଚାଷୀମାନଙ୍କ ସମସ୍ୟା ସମାଧାନରେ ମାର୍ଗଦର୍ଶନ ଦେବ ବୋଲି ସେ କହିଥିଲେ । 2004ରୁ 2011 ମଧ୍ୟରେ ରାଜ୍ୟରେ ସର୍ବାଧିକ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି । ଏପରିକି ଦେଶରେ ଏକମାତ୍ର ରାଜ୍ୟ ଓଡିଶା, ଯେଉଁଠି ଚାଷୀଙ୍କ ଆୟ ବାର୍ଷିକ ହାରାହାରି 8.4 ପ୍ରତିଶତ ବଢିଛି । ସେହିଭଳି କାଳିଆ ଯୋଜନା ଜାତୀୟ ସ୍ତରରେ ଚାଷୀଙ୍କ ପାଇଁ କିଭଳି ନୀତି ହେବା ଦରକାର ସେ ସଂପର୍କରେ କାଳିଆ ଏକ ମାର୍ଗଦର୍ଶକ ହେବ ।

Share

Leave a Reply

Your email address will not be published. Required fields are marked *

eighteen − fourteen =