ଜଷ୍ଟିସ ଅଜିତ ସିଂ ଲୋକାୟୁକ୍ତ ଅଧ୍ୟକ୍ଷ

ଭୁବନେଶ୍ୱର (): ଦୀର୍ଘ ଦିନର ଦାବି ପରେ ଶେଷରେ ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତ କରିଛନ୍ତି । ଜଷ୍ଟିସ ଅଜିତ୍ ସିଂଙ୍କୁ ଲୋକାୟୁକ୍ତର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଗୌହ୍ୱାଟି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ସିଂ ଏହି ଦାୟିତ୍ୱ ଦିଆଯିବା ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏଥିସହ ଆଇଏଏସ ସ୍ତରରେ ମଧ୍ୟ ଆଜି ଅଦଳବଦଳ ହୋଇଛି । ଉଚ୍ଚଶିକ୍ଷା ବିଭାଗର କମିଶନର ବିଷ୍ଣୁପଦ ସେଠୀଙ୍କୁ ବାଣିଜ୍ୟିକ ଟିକସ ଓ ଜିଏସଟି କମିଶନର ଭାବେ ଅବସ୍ଥାପିତ କରାଯାଇଛି । ତେବେ ସେ ସ୍ୱତନ୍ତ୍ର ରିଲିଫ କମିଶନର ଓ ଓଡିଶା ବିପର୍ଯ୍ୟୟ ପରିଚାଳନା ଅଥରିଟିର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ । ତାଙ୍କ ସ୍ଥାନରେ ବାଣିଜ୍ୟିକ ଟିକସ ଓ ଜିଏସଟି କମିଶନର ଶାଶ୍ୱତ ମିଶ୍ରଙ୍କୁ ଉଚ୍ଚଶିକ୍ଷା ସଚିବ ଭାବେ ବଦଳି କରାଯାଇଛି ।
ସେହିଭଳି ସମବାୟ ବିଭାଗର କମିଶନର କ୍ରିଷନ କୁମାରଙ୍କୁ ପୂର୍ତ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଓ ଓଡିଶା ପଣ୍ୟାଗାର ନିଗଗର ଅଧ୍ୟକ୍ଷ ଭାବେ ପୂର୍ବ ଭଳି ଦାୟିତ୍ୱ ତୁଲାଇବେ । ମତ୍ସ୍ୟ ନିର୍ଦ୍ଦେଶକ  ପ୍ରଶାନ୍ତ କୁମାର ସେନାପତିଙ୍କୁ ଓଡିଶା ରାଜସ୍ୱ ପର୍ଷଦର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ରତ୍ନାକର ରାଉତ ପୂର୍ବଭଳି ମତ୍ସ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ । ଗତ ୨୮ ତାରିଖରେ ରତ୍ନାକରଙ୍କ ରାଜସ୍ୱ ପର୍ଷଦକୁ ବଦଳି ନିର୍ଦ୍ଦେଶକୁ ବାତିଲ୍ କରାଯାଇଛି । ବୈଷୟିକ ଶିକ୍ଷା ତାଲିମ୍ ନିର୍ଦ୍ଦେଶକ ବଲୱନ୍ତ ସିଂଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ  ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧୁରୀଙ୍କୁ  ଲିଗାଲ୍ ମେଟ୍ରୋଲୋଜି ନିର୍ଦ୍ଦେଶକ ଭାବେ  ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେ ମଧ୍ୟ ପୂର୍ବଭଳି ବିଜୁ ଯୁବବାହିନୀର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
Share

Leave a Reply

Your email address will not be published. Required fields are marked *

2 + 7 =