ମେ’ ୧୫ ପର୍ଯ୍ୟନ୍ତ ସାଧାରଣ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ମନା

ଭୁବନେଶ୍ୱର: କରୋନା କାଳରେ ଶ୍ରୀମନ୍ଦିରକୁ ନେଇ ଆସିଲା ବଡ ନିଷ୍ପତ୍ତି । କରୋନା ସଂକ୍ରମଣକୁ ଦେଖି ମେ ୧୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଜଗା ଦର୍ଶନ ବନ୍ଦ | ଶ୍ରୀମନ୍ଦିର ବନ୍ଦ ନିଷ୍ପତି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ପ୍ରଦାନ | ଏହି ସମ୍ପର୍କରେ ଆଜି ଭର୍ଚୁଆଲ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଛତିଶା ନିଯୋଗ ବୈଠକରେ ବନ୍ଦ ପାଇଁ ଦାବି କରିଥିଲେ ସେବାୟତ | ସେବାୟତଙ୍କ ସ୍ୱଚ୍ଛତା ଓ ନିର୍ବିଘ୍ନ ନୀତିକାନ୍ତି ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି |

ବର୍ତ୍ତମାନ ଶ୍ରୀମନ୍ଦିରରେ ବାହାର ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ବାଧ୍ୟତାମୂଳକ କରାଯାଇଛି । ସଂକ୍ରମଣ ଏଡାଇବାକୁ ସପ୍ତାହର ଶେଷ ଦୁଇ ଦିନ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ବିଶେଷ କରି ପଶ୍ଚିମବଙ୍ଗରେ ଟ୍ରିପିଲ ମ୍ୟୁଟାଣ୍ଟ ଭୂତାଣୁ ଚିହ୍ନଟ ହେବା ପରେ ଶ୍ରୀମନ୍ଦିରକୁ ଆସୁଥିବା ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କ ଚିନ୍ତା ଅଧିକ ଘାରିଛି ।

କୋଭିଡ଼-୧୯ର ଦ୍ଵିତୀୟ ଲହର ଜନିତ ବର୍ଦ୍ଧିଷ୍ଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା , ଆରକ୍ଷୀ ଅଧିକ୍ଷକ ଡଃ କନୱର ବିଶାଲ୍ ସିଂ ବିଭିନ୍ନ ନିଯୋଗର ବରିଷ୍ଠ ସେବାୟତ ଓ ମନ୍ଦିର ପ୍ରଶାସନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

କୋଭିଡ଼-୧୯ ସଂକ୍ରମଣର ଗୁରୁତର ଆହ୍ଵାନ ର ମୁକାବିଲା କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା ଯେ, କୋଭିଡ଼-୧୯ ସଂକ୍ରମଣର ଆହ୍ବାନ ସତ୍ତ୍ୱେ ଶ୍ରୀ ଜଗନ୍ନାଥ ମନ୍ଦିରର ବର୍ଷବ୍ୟାପୀ ପରମ୍ପରାକୁ ସମ୍ମାନ ଦେଇ ମହାପ୍ରଭୁଙ୍କ ନୀତିକାନ୍ତି ପାଳନ ଉପରେ ଆବଶ୍ୟକ ପଦକ୍ଷେପ ନିଆଯିବ ।

ତେଣୁ ନିର୍ବିଘ୍ନରେ ଏହାର ଅନୂପାଳନ ପାଇଁ, ମହାପ୍ରଭୁଙ୍କ ପ୍ରତ୍ୟହ ସେବାପୂଜା ନିର୍ବାହ କରୁଥିବା ସେବାୟତ ମାନଙ୍କ ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ବ ସହ ଦୃଷ୍ଟି ଦିଆଯିବ। ପୁନଶ୍ଚ ଚଳିତ ବର୍ଷ ରଥଯାତ୍ରା ସମ୍ପର୍କିତ ନୀତି ପାଳନ ପବିତ୍ର ଅକ୍ଷୟ ତୃତୀୟା (ମଇ ୧୫) ଠାରୁ ଆରମ୍ଭ ହେବ ।

ଏହି ସବୁ ବିଷୟକୁ ଦୃଷ୍ଟିରେ ରଖି ଆଜିଠାରୁ ଆଗାମୀ ମଇ ମାସ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥ ମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରଖାଯିବ । ମହାପ୍ରଭୁଙ୍କ ଦୈନଦିନ ନୀତିକାନ୍ତି ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ସହାୟତାରେ ପରିଚାଳିତ ହେବ ।

କୋଭିଡ଼-୧୯ ସଂକ୍ରମଣକୁ ତୁରନ୍ତ ଚିହ୍ନଟ କରି ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ, ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟ ଏବଂ ଶ୍ରୀମନ୍ଦିର କର୍ମଚାରୀଙ୍କ ନିୟମିତ ଯାଞ୍ଚ ଓ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ । ନୀଳାଚଳ ଭକ୍ତ ନିବାସ, ପୁରୀ ଠାରେ ଖୋଲାଯାଇଥିବା କୋଭିଡ଼ ଯତ୍ନ କେନ୍ଦ୍ରକୁ ଆବଶ୍ୟକତା ଅନୁଯାୟୀ ଆହୁରି ସୁଦୃଢ଼ କରାଯିବ ଓ ଏହାର ସୁପରିଚାଳନା ପାଇଁ ନିୟମିତ ସମୀକ୍ଷା ମଧ୍ୟ କରାଯିବ ।

ଗୁରୁତର ରୋଗୀଙ୍କୁ ସୁରୁଖୁରରେ ଭୁବନେଶ୍ୱରକୁ ଚିକିତ୍ସା ନିମନ୍ତେ ପଠାଇବା ବ୍ୟବସ୍ଥା ସୁନିଶ୍ଚିତ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉନ୍ନୟନ ପ୍ରଶାସକ ଏଥିପାଇଁ ସଂଯୋଜନା ଅଧିକାରୀ ରୂପେ କାର୍ଯ୍ୟ କରିବେ । ଭୁବନେଶ୍ଵରସ୍ଥିତ ସମ୍ ତଥା ଅନ୍ୟାନ୍ୟ ହସ୍ପିଟାଲ୍ ରେ ଏହି ବ୍ୟବସ୍ଥା ତ୍ୱରାନ୍ୱିତ ହେବ । ମାସ୍କ ଓ ସାନିଟାଇଜର୍ ର ନିୟମିତ ବ୍ୟବହାର ଓ ଶାରୀରିକ ତଥା ସାମାଜିକ ଦୂରତ୍ବ ରକ୍ଷା ଅଭ୍ୟାସକୁ ବହୁଳ ରୂପେ ଆଦୃତ କରିବା ଆଦି ସଚେତନତା ଅଭିଯାନକୁ ବ୍ୟାପକ କରାଯିବ ।

ମହାପ୍ରଭୁଙ୍କ ଦୈନଦିନ ସେବାପୂଜା ନିର୍ବାହ କରୁଥିବା ତଥା ରଥଯାତ୍ରା ନିମନ୍ତେ ରଥ ନିର୍ମାଣରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ଟୀକାକରଣ ଉପରେ ବିଶେଷ ଧ୍ୟାନ ଦିଆଯିବ । ପରମ୍ପରା ଅନୁଯାୟୀ ରଥ ନିର୍ମାଣର ସମସ୍ତ କାର୍ଯ୍ୟକ୍ରମ ଯଥାବିଧି ଜାରି ରହିବ । ଆଗାମୀ ଚନ୍ଦନ ଯାତ୍ରା,ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ବ୍ୟବହାର ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ମାସ୍କ ଏବଂ ସାନିଟାଇଜର୍ କିଣିବା ନିମନ୍ତେ ଆଗୁଆ ପଦକ୍ଷେପ ନିଆଯିବ ।

ଆଗାମୀ ମଇ ମାସ ୬ ତାରିଖରେ ପରିବର୍ତ୍ତିତ ସ୍ଥିତିର ସମୀକ୍ଷା ପାଇଁ ପୁନଶ୍ଚ ବୈଠକ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଗଲା ।

Share

Leave a Reply

Your email address will not be published. Required fields are marked *

twelve + one =