ବରମୁଣ୍ଡାରେ ଆନ୍ତଃରାଜ୍ୟ ବସ ଟର୍ମିନାଲ, ଖଣ୍ଡଗିରିକୁ ଉଠିବ ବସ ଡିପୋ

ଭୁବନେଶ୍ବର () ବରମୁଣ୍ଡାରେ ଏକ ଉନ୍ନତମାନର ଆନ୍ତଃରାଜ୍ୟ ବସ ଟର୍ମିନାଲ ଏବଂ ଖଣ୍ଡଗିରିରେ ଏକ ବସ ଡିପୋଟ ନିର୍ମାଣ କରାଯିବ । ଏଥିପାଇଁ 160 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ଏହାର ଟେଣ୍ଡର ପ୍ରକ୍ରିୟାକୁ ଆଜି କ୍ୟାବିନେଟ ମଂଜୁରୀ ମିଳିଛି ।

ରାଜ୍ୟରେ ସଡକ ପରିବହନ ବ୍ୟବସ୍ଥାର ଉନ୍ନତି ତଥା ରାଜ୍ୟର ରାଜଧାନୀ ସହିତ ଅନ୍ୟ ରାଜ୍ୟର ରାଜଧାନୀ ଓ ବ୍ୟବସାୟୀକ କେନ୍ଦ୍ରଗୁଡିକୁ ସଂଯୋଗ କରିବା ପାଇଁ ବରମୁଣ୍ଡାଠାରେ ଏକ ଅତ୍ୟାଧୁନିକ ଆନ୍ତଃରାଜ୍ୟ ବସ ଟର୍ମିନା ଓ ସେଠାରେ ସଡକ ପରିବହନ ନିଗମର ବସ ଡିପୋକୁ ଖଣ୍ଡଗିରିରେ ପ୍ରସ୍ତାବିତ ନୂଆ ସବ ଡିପୋକୁ ସ୍ଥାନାନ୍ତର କରାଯିବ । ଏହି ପ୍ରକଳ୍ପକୁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା କାର୍ଯ୍ୟକାରୀ କରାଯିବ ।

ବରମୁଣ୍ଡାରେ ନିର୍ମାଣ ହେବାକୁ ଥିବା ଆନ୍ତଃରାଜ୍ୟ ବସ ଟର୍ମିନାଲ ଦ୍ବାରା ବସ ଓ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦିଆଯିବ । ବିଭିନ୍ନ ଯାତ୍ରୀବାହୀ ଯାନବାହାନମାନଙ୍କୁ ବରମୁଣ୍ଡାରେ ଏକୀକରଣ କରି ଯାତ୍ରୀଙ୍କୁ ଉତ୍ତମ ଓ ସହଜ ସେବା ଯୋଗାଇ ଦିଆଯିବ । ପାରମ୍ପାରିକ ଟିକ ଭଡା ବ୍ୟତିତ ବ୍ୟବସାୟୀକ ରାଜସ୍ବ ଉତ୍ସରୁ ଅଧିକ ରାଜସ୍ବ ଆଦାୟରୁ ଏହି ଟର୍ମିନାଲଟି ଆତ୍ମନିର୍ଭଶିଳ ହୋଇପାରିବ ।

ଏହି କାର୍ଯ୍ୟ ପାଇଁ ବିଡିଏ ଦ୍ବାରା ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ସଂସ୍ଥା ଏମ.ଏସ. ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଇଣ୍ଡିଆ ନାମକ ସଂସ୍ଥାକୁ ବଛା ଯାଇଛି । 160 କୋଟି 66 ଲକ୍ଷ 54 ହଜାର ଟଙ୍କାର ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ 24 ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ସଂସ୍ଥା 5 ବର୍ଷର ରକ୍ଷଣାବେକ୍ଷଣ ଦ୍ବାୟିତ୍ବ ମଧ୍ୟ ବହନ କରିବ ।

ପ୍ରସ୍ତାବିତ ଟର୍ମିନାଲରେ 35ଟି ବସ ବେ ରହିବ ଏବଂ ଏକକାଳିନ 190 ଖଣ୍ଡ ବସ ପାର୍କିଂ କରିପାରିବ । ଏଥିସହିତ ସାଧାରଣ ଲୋକଙ୍କ ସୁବିଧା ପାଇଁ 250ରୁ ଅଧିକ ଚାରିଚକିଆ ଓ 175ଟି ଦୁଇ ଚକିଆ ଯାନର ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

two × one =