ଫୋକସରେ ଭିତ୍ତିଭୂମୀ ଓ ଗ୍ରାମୀଣ ବିକାଶ

ଭୁବନେଶ୍ବର () 2018-19 ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି । 12790 କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି । ଏଥିରେ ଭିତତିଭୂମୀ ବିକାଶ, ଗ୍ରାମୀଣ ବିକାଶ, ସ୍ବାସ୍ଥ୍ୟ, ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନାକୁ ଅଗ୍ରାଧିକାର ଦିଆଯାଇଛି । ଏହାଦ୍ବାରା ମୂଳ ବଜେଟର ଆକାର 1ଲକ୍ଷ 32ହଜାର 818 କୋଟିକୁ ବୃଦ୍ଧି ପାଇଛି ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ।

ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିବା ବ୍ୟୟ ବରାଦ ମଧ୍ୟରୁ ଭିତ୍ତିଭୂମୀ ଓ ଗ୍ରାମ୍ୟ ଉନ୍ନୟନ ପାଇଁ 6097 କୋଟି ଟଙ୍କା ଖର୍ଚ୍ଚ ହେବ । ପାନୀୟ ଜଳ ଯୋଗାଣ ପାଇଁ ଉଦ୍ଦିଷ୍ଟ ବସୁଧା ଯୋଜନାରେ 400 କୋଟି ପ୍ରାଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନା ପାଇଁ 1500 କୋଟି, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ପାଇଁ 2065 କୋଟି, ସ୍ବଚ୍ଛ ଭାରତ ମିଶନ ପାଇଁ 1000 କୋଟି ଓ ଜାତୀୟ ଜତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ 211 କୋଟି ଟଙ୍କର ବ୍ୟୟ ବରାଦ କରାଯାଇଛି । ବିଜୁ ଗ୍ରାମ ଜ୍ୟୋତି ଯୋଜନା ପାଇଁ 75 କୋଟି ଏବଂ ଆମ ଘରେ ଏଲଇଡି ଯୋଜନା ପାଇଁ 100 କୋଟି ଟଙ୍କା ଏବଂ ସହରାଞ୍ଚଳ ଉନୟନ ପାଇଁ 589 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସାମଗ୍ରିକ ଭାବେ ବିଭିନ୍ନ ଯୋଜନାର ସମିଶ୍ରଣ ହୋଇଥିବାରୁ ଏହି ଯୋଜନା ପାଇଁ 2000 କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସେମଧ୍ୟରୁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବୀମା ଯୋଜନାରେ 62 କୋଟି, ସ୍ବାସ୍ଥ୍ୟ ସହାୟ ଯୋଜନା ପାଇଁ 82 କୋଟି, ସମ୍ପୁର୍ଣ୍ଣା ଯୋଜନା ପାଇଁ 25 କୋଟି, ନିଦାନ ପାଇଁ 12 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିଭଳି ଆଦିବାସୀ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ବାବଦ ଗତ ପାଂଚ ବର୍ଷର ବଳକା ଅର୍ଥ କେନ୍ଦ୍ର ସରକାର ଦେବାକୁ ମନା କରିଦେବାକୁ ଅତିରିକ୍ତ ବଜେଟରେ ଏନେଇ 263 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ନିକଟରେ ମାଲକାନଗିରିର ବିଛିନ୍ନାଞ୍ଚଳ ଯାହାକୁ ମୁଖ୍ୟମନ୍ତ୍ରୀ ସ୍ବାଭିମାନ ଅଂଚଳର ନାମକରଣ କରିଛନ୍ତି, ତାର ବିକାଶ ପାଇଁ ମଧ୍ୟ 100 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ଅତିରିକ୍ତ ବ୍ୟୟ ବରାଦ ହୋଇଥିବା 12ହଜାର 790 କୋଟି ଟଙ୍କା ମଧ୍ୟରୁ ଅଣଟିକସ ସଂଗ୍ରହରୁ 1000 କୋଟି, ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ବାବଦରେ 3405 କୋଟି, ନାବାର୍ଡରୁ 260 କୋଟି, ବର୍ହି ସହାୟତାପ୍ରାପ୍ତ ଯୋଜନାରୁ 180 କୋଟି, ବିଭିନ୍ନ ବିଭାଗ ଦ୍ବାରା ସମର୍ପିତ ହୋଇଥିବା ବ୍ୟୟ ବରାଦ ଓ ଅନୁଦାନ ସମର୍ପଣ ଦ୍ବାର 1082 କୋଟି ଏବଂ ବର୍ଷ ଶେଷକୁ ସଂଚୟ ଓ ସମର୍ପଣ ଜରିଆରେ 5542 କୋଟି ଟଙ୍କା ଭରଣା କରାଯିବ ବୋଲି ଆକଳନ କରାଯାଇଛି ।

2018-19 ଆର୍ଥିକ ବର୍ଷର ଜୁଲାଇ ଶେଷ ସୁଦ୍ଧା ରାଜ୍ୟ ସରକାର ଖୋଲା ବଜାରରୁ 4ହଜାର କୋଟି ଟଙ୍କା ଋଣ ଗ୍ରହଣ କରିସାରିଛନ୍ତି । ଏବେ ସୁଦ୍ଧା ସାମଗ୍ରୀକ ଭାବେ ରାଜ୍ୟର ଋଣ ଭାର 76 ହଜାର 420 କୋଟି ଟଙ୍କା ହୋଇଥିବା ଅର୍ଥ ସଚିବ ତୁହିନକାନ୍ତି ପାଣ୍ଡେ କହିଛନ୍ତି । ତେବେ ଗତବର୍ଷ ଜୁଲାଇ ତୁଳନାରେ ଚଳିତ ବର୍ଷ ରାଜ୍ୟ ନିଜସ୍ବ ଟିକସ ଓ ନିଜସ୍ବ ଅଣଟିକସ ସଂଗ୍ରହରେ 33 ପ୍ରତିଶତ ଅଭିବୃଦ୍ଧି ହୋଇଥିବା ସେ ସୂଚନା ଦେଇଛନ୍ତି । ଜୁଲାଇ ଶେଷ ସୁଦ୍ଧା ଚଳିତ ବର୍ଷ 13ହଜାର 048 କୋଟି ଟଙ୍କା ନିଜସ୍ବ ରାଜସ୍ବ ସଂଗ୍ରହ ହୋଇଛି । ସେହିଭଳି କେନ୍ଦ୍ରରୁ ଜିଏସଟି କ୍ଷତି ଭରଣା ବାବଦରେ ରାଜ୍ୟ ସରକାର 2017-18ରେ 2264 କୋଟି ଟଙ୍କା ପାଇଥିବା ବେଳେ ଚଳିତ ବର୍ଷ ଜୁଲାଇ ସୁଦ୍ଧା 968 କୋଟି ଟଙ୍କା ପାଇଛନ୍ତି ।

ଅତିରିକ୍ତ ବଜେଟରେ ଜଳସେଚନ ଭିତ୍ତିଭୂମୀ ପାଇଁ 239 କୋଟି ଟଙ୍କା, ସର୍ବଶିକ୍ଷା ଅଭିଯାନ ପାଇଁ 242 କୋଟି ଟଙ୍କା, ମଧ୍ୟାହ୍ନ ଭୋଜନ ପାଇଁ 23 କୋଟି, ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ 100 କୋଟି ଟଙ୍କା, ମୋ ସ୍କୁଲ ଅଭିଯାନ ପାଇଁ 35 କୋଟି ଟଙ୍କା, ମହିଳା ଶସକ୍ତିକରଣ ଯୋଜନା ପାଇଁ 50 କୋଟି, ମାଓ ପ୍ରଭାବିତ ଅଛଳରେ ସଡକ ପୁନଃନିର୍ମାଣ ପାଇଁ 135 କୋଟି, ରାଜ୍ୟ ରାଜପଥ ଉନ୍ନୟନ ପ୍ରକଳ୍ପ ପାଇଁ 40 କୋଟି ଟଙ୍କା, ସବୁଜ ମହାନଦୀ ମିଶନ ପାଇଁ 30 କୋଟି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରିମିୟମ ବାବଦକୁ 200 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

nineteen − 5 =