ଓଡିଶାରେ ଦେଶର ସର୍ବବୃହତ ଆଭ୍ୟନ୍ତରୀଣ ପୁଂଜିନିବେଶ

ଭୁବନେଶ୍ବର () ଦେଶର ସର୍ବବୃହତ ଆଭ୍ୟନ୍ତରୀଣ ପୁଂଜିନିବେଶର ପ୍ରସ୍ତାବ ମିଳିଛି ଓଡିଶାକୁ । ହଳଦିଆ ପେଟ୍ରୋକେମିକାଲ୍ସ ପକ୍ଷରୁ ରାଜ୍ୟରେ ପ୍ରାୟ 4 ବିଲିଅନ ଡଲାର ବା 28ହଜାର 700 କୋଟି ଟଙ୍କାର ପୁଂଜିନିବେଶ କରାଯିବ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥୋରିଟି ବୈଠକରେ ଏହି ପ୍ରସ୍ତାବକୁ ମଂଜୁରୀ ମିଳିଛି । ଏଥିସହିତ ଭାରତୀୟ ତୈଳ ନିଗମ ଏବଂ ରୁଙ୍ଗଟା ମାଇନ୍ସର ପ୍ରକଳ୍ପକୁ ମଂଜୁରୀ ମିଳିଛି । ଏହାଦ୍ବାରା ପୂର୍ବଭାରତରେ ଓଡିଶାକୁ ଏକ ଉତ୍ପାଦନଭିତ୍ତିକ ରାଜ୍ୟ ଭାବେ ଗଢିବାକୁ ଆରମ୍ଭ ହୋଇଥିବା ପ୍ରକ୍ରିୟାକ ଆଉ ପାଦେ ଆଗକୁ ବଢିଛି ।

ହଳଦିଆ ପେଟ୍ରୋସେମିକାଲ୍ସ ପକ୍ଷରୁ ବାଲେଶ୍ବର ଜିଲ୍ଲା ସୁବର୍ଣ୍ଣରେଖା ବନ୍ଦର ନିକଟରେ ପାରାକ୍ସିଲିନ ଓ ପ୍ୟୁରିଫାଏଡ ତେରାପଥାଲିକ ଏସିଡ ପ୍ଲାଣ୍ଟ ନିର୍ମାଣ କରିବ । ଏଥିପାଇଁ 28ହଜାର 700କୋଟି ଟଙ୍କାର ପୁଂଜି ନିବେଶ ହେବ । କମ୍ପାନୀ ପକ୍ଷରୁ ଏ ସଂପର୍କିତ ପ୍ରସ୍ତାବ ଗତ ମାର୍ଚ୍ଚ 1 ତାରିଖରେ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ ହୋଇଥିଲା । ପ୍ରକଳ୍ପ ପାଇଁ 2000 ଏକର ଜମିର ଆବଶ୍ୟକତା ଥିବା ବେଳେ ଇପିକଲ ପକ୍ଷରୁ ତର୍ଜମା ପରେ ଜମି ପ୍ରଦାନ କରାଯିବ । ତେବେ ସୁବର୍ଣ୍ଣରେଖା ବନ୍ଦର ନିକଟରେ ଏହି ପ୍ରକଳ୍ପ ପାଇଁ ଜମି ଚିହ୍ନଟ କରାଯାଇଛି । ଟାଟା ଷ୍ଟିଲ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ବନ୍ଦର ପ୍ରତିଷ୍ଠା ହେଉଥିବା ବେଳେ ଏଥିପାଇଁ 5ହଜାର କୋଟି ଟଙ୍କାର ପୁଂଜି ନିବେଶ କରାଯିବ । ହଳିଦିଆ ପେଟ୍ରୋକେମିକାଲର ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ ଜମି ପ୍ରଦାନର 5 ବର୍ଷ ମଧ୍ୟରେ ଶେଷ ହେବ ।

ପାରାକ୍ସିଲିନ ଓ ପ୍ୟୁରିଫାଏଡ ତେରାପଥାଲିକ ଏସିଡରୁ ପଲିଷ୍ଟର ଫାଇବର ଏବଂ ପଲିଥିଲ ତେରାଫଥାଲେଟ ପ୍ରସ୍ତୁତ ହୋଇଥାଏ । ଏହା ଭବିଷ୍ୟତରେ ବହୁ ସଂଖ୍ୟାରେ ଆନୁସଙ୍ଗିକ ଶିଳ୍ପର ସୁଯୋଗ ସୃଷ୍ଟି କରିବ । କାରଣ ପଲିଷ୍ଟର ଫାଇବର ଏବଂ ପଲିଥିଲ ତେରାଫଥାଲେଟ ପୋଷାକ ନିର୍ମାଣ ଏବଂ ଖାଦ୍ୟ ପଦାର୍ଥ ପ୍ୟାକିଂ ସାମଗ୍ରୀରେ ବ୍ୟବହାର ହୋଇଥାଏ । ଏହି ଶିଳ୍ପ ଦ୍ବାରା ପୂର୍ବଭାରତ ଏପରିକି ବାଙ୍ଗଲାଦେଶ ମଧ୍ୟ ଓଡିଶା ନିର୍ଭରଶୀଳ ହେବ । ଯାହାଦ୍ବାରା ଭବିଷ୍ୟତରେ ଏହାର ବହୁମୁଖୀ ପ୍ରଭାବ ପୂର୍ବ ଉପକୂଳର ଅର୍ଥନୀତି ଏବଂ ନିଯୁକ୍ତି ଉପରେ ପଡିବ ।

ଏଥିସହିତ ଭଦ୍ରକ ଟେକ୍ସଟାଇଲ ପାର୍କରେ ଇଣ୍ଡିଆନ ଅଏଲ କର୍ପୋରେସନ ଦ୍ବାରା ପ୍ରସ୍ତାବିତ ପଲିଷ୍ଟର ଉତ୍ପାଦନ କାରଖାନାକୁ ମଧ୍ୟ ଆଜିର ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥୋରିଟି ବୈଠକରେ ମଂଜୁରୀ ମିଳିଛି । ଆଇଓସିଏଲ ଏହି ପ୍ରକଳ୍ପ ପାଇଁ 1970 କୋଟି 52 ଲକ୍ଷ ଟଙ୍କାର ପୁଂଜିନିବେଶ କରିବ ଏବଂ ବାର୍ଷିକ 300 କିଲୋ ଟନ ପଲିଷ୍ଟର ଉତ୍ପାଦନର ଲକ୍ଷ୍ୟ ରଖିଛି ।

ସେହିଭଳି ରୁଙ୍ଗଟା ମାଇନ୍ସର ଦୁଇଟି ପ୍ରସ୍ତାବକୁ ମଧ୍ୟ ମଂଜୁରୀ ମଳିଛି । କେନ୍ଦୁଝରର କାରାଖୋଲଠା ଥିବା 500 ଟନ କ୍ଷମତା ସଂପନ୍ନ ସ୍ପଂଜ ଆଇରନ କାରଖାନାକୁ 0.53 ନିୟୁତ ଟନ କ୍ଷମତା ସଂପନ୍ନ ଇସ୍ପାତ କାରାଖାନାରେ ସଂପ୍ରସାରିତ କରାଯିବ । ଏଥିପାଇଁ 1677 କୋଟି 98 ଲକ୍ଷ ଟଙ୍କାର ପୁଂଜି ନିବେଶ ହେବ । ଏଥିସହିତ କେନ୍ଦଝରର କାରାଖେନ୍ଦ୍ର ଠାରେ 0.53 ନିୟୁତ ଟନ କ୍ଷମତା ସଂପନ୍ନ ଆଉ ଏକ ଇସ୍ପାତ ପ୍ରକଳ୍ପ । ଏଥିରେ 1848 କୋଟି 69 ଲକ୍ଷ ଟଙ୍କାର ପୁଂଜି ନିବେଶ ହେବ । ଏହି ଦୁଇଟି ପ୍ରକଳ୍ପରେ ପ୍ରାୟ ଏକ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

Share

Leave a Reply

Your email address will not be published. Required fields are marked *

19 − 13 =