ମହିଳା ‘ବିଗବସ’ଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ହିମାଂଶୁ !

ଭୁବନେଶ୍ୱର () କଳା ଟଙ୍କା ମୋହରେ ବାଉଳା ଖଣ୍ଡଗିରି ଥାନାବାବୁ ପୁଣି ଚର୍ଚ୍ଚାରେ । ସେଟଲମେଣ୍ଟ କରି ମାମଲାକୁ ରଫା ଦଫା କରିବାରେ ପ୍ରବୀଣତା ହାସଲ କରିଥିବା ବାବୁଙ୍କର ନାରୀମାନଙ୍କ ପ୍ରତି  ନିଆଁଗିଳା ପ୍ରେମ ଏବେ ଖୁବ୍ ଚର୍ଚ୍ଚାରେ । କିଛି ମିଳୁ କି ନମିଳୁ ବାବୁ ବର୍ତ୍ତମାନ ଫୁଲ୍ ସ୍ପିଡରେ ଆଗକୁ ବଢ଼ୁଛନ୍ତି । ବାବୁ ସିନା ଥାନାଧିକାରୀ କିନ୍ତୁ ନେପଥ୍ୟରେ ଥିବା ମହିଳା ହିଁ ଖଣ୍ଡଗିରି ଥାନାର ‘ବିଗବସ’ ବୋଲି ଏବେ ଲୋକେ ଫୁସୁଲା ଫୁସୁଲି ହେଉଛନ୍ତି । ମାଡ଼ାମଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିବାର ସାହସ କାହା ନିକଟରେ ନାହିଁ । ଯେତେ ହେଲେ ବି ଥାନାବାବୁଙ୍କର ସେ ନିଜର ନା । ସମାଜସେବୀରୁ ଥାନାବାବୁଙ୍କର ‘ଡିସିସନ୍ ମେକର୍’ ସାଜିଥିବା  ଏହି ମହିଳା ଜଣକ ତାଙ୍କୁ କୁଆଡ଼େ ଗୁଣି କରି ରଖିଛନ୍ତି ବୋଲି ଥାନାର ତଳିଆ କର୍ମଚାରୀମାନେ କଥାବାର୍ତ୍ତା ହେଉଛନ୍ତି । ଥାନାର ଛୋଟବଡ଼ କଥାରେ ମ୍ୟାଡ଼ମ୍ଙ୍କ ସିଧାସଳଖ ସଂପୃକ୍ତି କର୍ମଚାରୀମାନଙ୍କୁ ଭଲ ଲାଗୁନଥିଲେ ମଧ୍ୟ ସମସ୍ତେ ଜିଭ କାମୁଡ଼ି ରହୁଛନ୍ତି । କହି ହେଉନି କି ସହି ହେଉନି ନ୍ୟାୟରେ ଥାନା କର୍ମଚାରୀମାନେ ଦିନ କାଟୁଛନ୍ତି ।
ଏପଟେ ଥାନାବାବୁ କିନ୍ତୁ ସମ୍ପୂର୍ଣ୍ଣ ରୂପେ ବେଫିକର୍ । ମ୍ୟାଡ଼ମଙ୍କ ସହ ସମ୍ପର୍କ କଣ ତାହା ଥାନାବାବୁ ଯଥାସମ୍ଭବ ଲୁଚେଇ ରଖିବାକୁ ଚେଷ୍ଟା କରୁଥିଲେ ମଧ୍ୟ ପାରୁନାହାନ୍ତି । ପୀରତି ଗନ୍ଧ ଥାନା ଡେଇଁ ବାହାରେ ମହ ମହ ବାସିଲାଣି ।  ଦୁର୍ନୀତି, ଅନୀତି ସହ ସାଆରେ କୁଆଡ଼େ ନବଗୁଣେ ନାଗର ବୋଲି ପାଖଲୋକେ କହୁଛନ୍ତି । ତେବେ ବାବୁଙ୍କର ଏହି ପ୍ରୀତିନାଟ କେତେ ବାଟ ଯାଉଛି ତାହା ଦେଖିବାକୁ ସମସ୍ତେ ଚାହିଁ ବସିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳା ନିଜକୁ ସମାଜସେବୀର ଆଖ୍ୟା ଦେଇ ବିଭିନ୍ନ ସମୟରେ ଥାନାକୁ ଆସିଥାନ୍ତି । ମହିଳା ଜଣଙ୍କ ରହୁଥିବା ଘରଟି ଅନ୍ୟ ଜଣଙ୍କର । କିନ୍ତୁ ସେ ବେଶ୍ କିଛିବର୍ଷ ହେବ ଉକ୍ତ ଘରେ ମାଗଣାରେ ରହି ଆସୁଛନ୍ତି । ଏପରି ପରିସ୍ଥିତିରେ ରହୁଥିବା ମହିଳା ଜଣଙ୍କ କିନ୍ତୁ ନିଜ ଘରର ସମସ୍ୟାକୁ ଅଣ୍ଟିରେ ପୁରାଇ ଥାନାକୁ ଧାଇଁ ଆସନ୍ତି ଅନ୍ୟ ଲୋକର ଜାଗାବାଡ଼ି ସମସ୍ୟାର ସମାଧାନ କରିବାକୁ । ଆଉ ଥାନାକୁ ଏଇ ଯିବା ଆସିବା ମଧ୍ୟରେ ତାଙ୍କର ବର୍ତ୍ତମାନର ଥାନାଧିକାରୀଙ୍କ ସହ କିଛିଟା ଭଲ ସମ୍ପର୍କ ଗଢ଼ି ଉଠିଛି । ଏହି ସମ୍ପର୍କରେ ସେତେଟା ଖରାପ ନ ଥିଲେ ମଧ୍ୟ ମହିଳା କହୁଥିବା ପ୍ରତ୍ୟେକ କଥାକୁ ଥାନାଧିକାରୀ ଶୁଣୁଛନ୍ତି ।
ଏପରିକି ମହିଳା ଜଣଙ୍କ ଯେଉଁ ବି ସମସ୍ୟା ନେଇ ଥାନାକୁ ଆସୁଛନ୍ତି ତାହାକୁ ଯୁଦ୍ଧକାଳୀନ ଭିତ୍ତିରେ କରି ଦେବାକୁ ଥାନାଧିକାରୀ ନିର୍ଦ୍ଦେଶ ଦେଉଛନ୍ତି । ଏପରି ସ୍ଥିତିରେ ମହିଳା ଜଣଙ୍କ ଥାନାରେ ଦେଖିଲେ ଅନ୍ୟ କର୍ମଚାରୀମାନେ ଭୟ କରିବା ଆରମ୍ଭ କଲେଣି । ପ୍ରକୃତରେ ଏହି ମହିଅସୀ ମହିଳା ଜଣଙ୍କ କିଏ ତାହାକୁ ନେଇ ଥାନାରେ ଚର୍ଚ୍ଚା ଜୋର । ଥାନାଧିକାରୀଙ୍କ ସହ ତାଙ୍କର କି ପ୍ରକାର ପ୍ରଶ୍ନ ବୋଲି ଥାନାକୁ ଆସୁଥିବା ଲୋକମାନେ ମଧ୍ୟ ଆଲୋଚନା ଆରମ୍ଭ କଲେଣି ।
Share

Leave a Reply

Your email address will not be published. Required fields are marked *

twelve − 2 =