ମହିଳା ଦିବସ ପୂର୍ବରୁ ବଡ ନିଷ୍ପତ୍ତି, ମିଶନ ଶକ୍ତି ହେଲା ସ୍ବତନ୍ତ୍ର ବିଭାଗ

  • ୧୬ଟି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ
  • ବିହନ ନିଗମ କର୍ପସ ପାଣ୍ଠି ୧୦୦ କୋଟିକୁ ବୃଦ୍ଧି
  • ୧୨ ବ୍ଲକରେ ୧୦ ମେଗା ପାନୀୟ ଜଳ ପ୍ରକଳ୍ପ
  • ସୃଷ୍ଟି ହେବ ୨ଟି ନୂଆ ଅବକାରୀ ଜିଲ୍ଲା 

ଭୁବନେଶ୍ବର () ମହିଳା ଦିବସର ଅବ୍ୟବହିତ ପୂର୍ବରୁ ରାଜ୍ୟ କ୍ୟାବିନେଟ ନେଇ ବଡ ନିଷ୍ପତ୍ତି ନେଇଛନ୍ତି ।  ରାଜ୍ୟରେ ନୂଆ କରି ମିଶନ ଶକ୍ତି ବିଭାଗ ଗଠନ ହୋଇଛି । ମହିଳା ସଶକ୍ତିକରଣକୁ ଏହା ନୂଆ ଦିଶା ଦେବ । ରଜ୍ୟ ସରକାର ମହିଳା ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ବ ଦେଉଥିବା ବେଳେ ସ୍ବତନ୍ତ୍ର ମିଶନ ଶକ୍ତି ବିଭାଗ ମହିଳାଙ୍କ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ବିକାଶ ଦିଗରେ ଏକ ଐତିହାସିକ ନିଷ୍ପତ୍ତି । ରାଜ୍ୟର ପ୍ରାୟ ୮୦ ଲକ୍ଷ ମହିଳା ମିଶନ ଶକ୍ତିର ସଦସ୍ୟା ହୋଇଛନ୍ତି । ପୂର୍ବରୁ ମିଶନ ଶକ୍ତି ବିଭାଗ ଗଠନ କରିବାକୁ ଘୋଷଣା ହୋଇଥିବା ବେଳେ ଆଜି ରାଜ୍ୟ କ୍ୟାବିନେଟ ଏହା ଉପରେ ମୋହର ମାରିଛି । 

ଏଥିସହ ରାଜ୍ୟ ବିହନ ନିଗମକୁ ୧୦୦ କୋଟି ଟଙ୍କାର କର୍ପସ ଫଣ୍ଡ ପ୍ରଦାନ କରିବା ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହି ଅର୍ଥ ଉନ୍ନତମାନର ବିହନ, ଚାରା ସଂଗ୍ରହ ଓ ଚାଷୀଙ୍କୁ ଯୋଗାଣ ପାଇଁ ବିନିଯୋଗ କରାଯିବ । ଆଜି ବୈଠକରେ ମୋଟ ୧୬ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଶକ୍ତି, ଚାଷୀ ଓ କୃଷି କଲ୍ୟାଣ , ସାମାଜିକ ସୁରକ୍ଷା, ଅବକାରୀ, ସାଧାରଣ ପ୍ରଶାସନ, ପଞ୍ଚାୟତିରାଜ, ପାନୀୟ ଜଳ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ମାଇନ୍ସ କ୍ଷେତ୍ରର ପ୍ରସ୍ତାବକୁ ମୋହର ମାରିଛନ୍ତି ସରକାର । ଏଥିସହ ୧୦ଟି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ରେମୁଣାରେ ଏମ୍ସର ସାଟେଲାଇଟ ସେଣ୍ଟର ପାଇଁ ୨୫ ଏକର ଜମିକୁ ମଧ୍ୟ କ୍ୟାବିନେଟ ମୋହର ମାରିଛି । ଏଥିସହ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସୁରକ୍ଷା ବିଭାଗ ଅଧିନରେ ଓଡ଼ିଶା ଭିନ୍ନକ୍ଷମ ପୁନର୍ବାସ ସେବା ନିୟମ ୨୦୧୧ ରାଜ୍ୟ କ୍ୟାବିନେଟ ଦ୍ବାରା ଅନୁମୋଦନ କରାଯାଇଛି ।

୧୨ବ୍ଲକରେ ୧୦ ମେଗା ପାଇପ୍ ଜଳ ପ୍ରକଳ୍ପକୁ ମଂଜୁରୀ ହୋଇଛି । ଆଳି, ରାଜକନିକା, ଚିଲିକା, ଟାଙ୍ଗୀ, ବାଣପୁର, ଖୋର୍ଦ୍ଧା, ଜଟଣୀ, ଗଁଦିଆ, ଭୁବନ, ଗୋଳମିଣ୍ଡା, ଯାଜପୁର, ବିଞ୍ଝାରପୁର ବ୍ଲକରେ ହେବ ୧୦ଟି ମେଗା ପାନୀୟ ଜଳ ପ୍ରକଳ୍ପ । ଜଳ ଜୀବନ ଯୋଜନାରେ ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଖୋର୍ଦ୍ଧାର ୬ଟି ବ୍ଲକର ୭୭ଟି ପଞ୍ଚାୟତର ୫୦୫ ଗାଁ ଉପକୃତ ହେବେ । ବିଶୁଦ୍ଧ ପାନୀୟ ଦ୍ୱାରା ୪ ଲକ୍ଷ ୯୭ ହଜାର ୬୮୬ ଲୋକ ଉପକୃତ ହେବେ ।

ସେହିଭଳି ‘ଜଳ ଜୀବନ ମିଶନ’ରେ ସମ୍ବଲପୁରର ୨୬ଟି ପଞ୍ଚାୟତ ଉପକୃତ ହେବେ । ୧୩୮ଟି ଗାଁର ୧ ଲକ୍ଷ ୩୮ ହଜାର ୪୯୮ ଲୋକ ଉପକୃତ ହେବେ । ଝାରସୁଗୁଡ଼ାର ୨ଟି ପଞ୍ଚାୟତର ୬ଗ୍ରାମବାସୀ ଉପକୃତ ହେବେ ।  ଯୋଜନାରେ ୬ଟି ଗାଁର ୫,୦୦୧ ଜଣ ଲୋକ ଉପକୃତ ହେବେ । ପ୍ରକଳ୍ପ ପାଇଁ ୧୮୮କୋଟି ୩୮ ଲକ୍ଷ ୬୩ ହଜାର ଅନୁମୋଦନ ହୋଇଛି । ହାଇଦ୍ରାବାଦର ମେଘା ଇଞ୍ଜିନିୟରିଂ ଓ ଇନଫ୍ରାଷ୍ଟ୍ରକ୍ଚର ଲି.କୁ ଦାୟିତ୍ୱ ଦିଆଯାଇଛି । ଉନ୍ନତମାନର ବିହନ ଯୋଗାଇବାକୁ ବିହନ ନିଗମ କର୍ପସ ପାଣ୍ଠି ୬୦ରୁ ୧୦୦କୋଟିକୁ ବୃଦ୍ଧି କରାଯାଇଛି ।

ଓଡ଼ିଶା ଲୋକାୟୁକ୍ତ ଅଧିନିୟମ ୨୦୧୪ରେ ସଂଶୋଧନକୁ ମଂଜୁରୀ ମିଳିଛି । ଓଡ଼ିଶା ଭିନ୍ନକ୍ଷମ ପୁନର୍ବାସ ସେବା ନିୟମ ୨୦୧୧କୁ ଅନୁମୋଦନ କରିଛି କ୍ୟାବିନେଟ । ୮ଜିଲ୍ଲାର ୩୭ପୁନର୍ବାସ କର୍ମଚାରୀ ନୂତନ କ୍ୟାଡର ଅନ୍ତର୍ଭୁକ୍ତ ହେବେ । ଓଡ଼ିଶା ଅବକାରୀ ସେବା କ୍ୟାଡର ପୁନର୍ଗଠନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଅତିରିକ୍ତ କମିଶନର, ଯୁଗ୍ମ କମିଶନର, ଉପକମିଶନର ପଦବୀ ସୃଷ୍ଟି କରାଯିବ । ଅବକାରୀ ଅଧୀକ୍ଷକ, ଉପଅବକାରୀ ଅଧୀକ୍ଷକ ପଦବୀ ମଧ୍ୟ ସୃଷ୍ଟି ହେବ । ନିରୀକ୍ଷକ, ଉପନିରୀକ୍ଷକ ଓ ସହକାରୀ ଉପନିରୀକ୍ଷକ ପଦବୀ ସୃଷ୍ଟି ହେବ ।  ଭୁବନେଶ୍ୱର ଓ ରାଉରକେଲାରେ ୨ଟି ନୂଆ ଅବକାରୀ ଜିଲ୍ଲା ଗଠନ ହେବ । ଅବକାରୀ କମିଶନର କାର୍ଯ୍ୟାଳୟ ହେବ ଅବକାରୀ ନିର୍ଦ୍ଦେଶାଳୟ । ଏଥିସହିତ ଆଉ ଆଠଟି ସ୍ଥାନରେ ହେବ ନୂଆ ଅବକାରୀ ଥାନା । ପାରାଦୀପରେ ୬୩୭.୪୫କୋଟିର ବୃହତ୍ ବିଦ୍ୟୁତ ଭିତ୍ତିଭୂମି ପ୍ରକଳ୍ପକୁ ମଂଜୁରୀ ମିଳିଛି । ଇଡକୋ ଦ୍ୱାରା ଜଗତସିଂହପୁର,କେନ୍ଦ୍ରାପଡ଼ାରେ PCPIR ସ୍ଥାପନ ପ୍ରସ୍ତାବ ରହିଛି । 

Share

Leave a Reply

Your email address will not be published. Required fields are marked *

fourteen + nine =