ସ୍ବାସ୍ଥ୍ୟ ମନ୍ତ୍ରୀ ଦୁଇ ବର୍ଷରେ କିଣିଛନ୍ତି 80 ଗାଡି

ଭୁବନେଶ୍ବର () ଗତବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ମନ୍ତ୍ରୀ ପରିଷଦର ସବୁ ମନ୍ତ୍ରୀ ନିଜ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି । କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ମୋଟ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୮୯ ଲକ୍ଷ ୯୩ ହଜାର ୪୩୯ ଟଙ୍କା । ଅରୁଣ ସାହୁଙ୍କ ୨ଟି କାର୍ ଥିବା ବେଳେ, ଗୋଟିଏ ମୋଟର ସାଇକେଲ୍ ରହିଛି । ଏହାସହ ତାଙ୍କ ପାଖରେ ୧୦୦ ଗ୍ରାମର ସୁନା ଅଳଙ୍କାର ରହିଛି । ତାଙ୍କ ପତ୍ନୀଙ୍କ ପାଖରେ ରହିଛି ୩୫୦ ଗ୍ରାମର ସୁନା ଅଳଙ୍କାର । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମ୍ପତ୍ତିର ମୂଲ୍ୟ ୮ କୋଟି ୩୪ ଲକ୍ଷ ୪୮ ହଜାର ୯୯୪ ଟଙ୍କା । ତାଙ୍କ ପାଖରେ ଅଛି ଗୋଟିଏ ଇନୋଭା ଓ ଗୋଟିଏ ସ୍କୁଟର, ୨୩ ଗ୍ରାମର ସୁନା ଓ ୬ ଗ୍ରାମର ରୁପା ଗହଣା । 

କ୍ରିଡା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମ୍ପତ୍ତିର ମୂଲ୍ୟ୩୨ ଲକ୍ଷ ୩୩ ହଜାର ୪୭୧ ଟଙ୍କା । ତାଙ୍କ ପାଖରେ ଗୋଟିଏ ଫିଆଟ ପୁଣ୍ଟୋ ଗାଡ଼ି ରହିଛି । ତାଙ୍କ ନାଁରେ କୌଣସି ଘର ନାହିଁ, ୧୪୦ ଗ୍ରାମର ଗହଣା ଅଛି । ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସମ୍ପତ୍ତିର ମୂଲ୍ୟ ୪ କୋଟି ୯୩ ଲକ୍ଷ ୯୪ ହଜାର ୬୪୪ ଟଙ୍କା । ମନ୍ତ୍ରୀ ସୁଶାନ୍ତ ସିଂଙ୍କର ଜମିବାଡ଼ି ସହ ରହିଛି ୨ଟି ଗାଡ଼ି । ତାଙ୍କର ଗୋଟିଏ ବୁଲେଟ୍ ଓ ଗୋଟିଏ ଇଟିଅସ କାର୍ ଅଛି । ତାଙ୍କ ପାଖରେ ୨୩୦ ଗ୍ରାମର ସୁନା ଥିବା ମଧ୍ୟ ତାଲିକାରେ ରହିଛି ।

ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସମ୍ପତ୍ତିର ମୂଲ୍ୟ ୨ କୋଟି ୬୧ ଲକ୍ଷ ୧୮ ହଜାର ୨୬ ଟଙ୍କା । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସମ୍ପତ୍ତିର ମୂଲ୍ୟ ୪ କୋଟି ୭୮ ଲକ୍ଷ ୪୭ ହଜାର ୪୭୧ଟଙ୍କା । ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପତ୍ତିର ମୂଲ୍ୟ ୭ କୋଟି ୩୧ ଲକ୍ଷ ୭୬ ହଜାର  ୪୦୮ ଟଙ୍କା । ତାଙ୍କର ୩ଟି ବ୍ୟାଙ୍କ ଆକାଉଣ୍ଟ ଓ ପୋଷ୍ଟ ଅଫିସରେ ଗୋଟି ଆକାଉଣ୍ଟ ଅଛି । ଛତିଶଗଡ଼ ରାୟପୁରରେ ରହିଛି ବ୍ୟାଙ୍କ ଆକାଉଣ୍ଟ । ତାଙ୍କ ପାଖରେ ଅଛି ଗୋଟିଏ ଇନୋଭା ଓ ଗୋଟିଏ ଜେଷ୍ଟ ଗାଡ଼ି ।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମ୍ପତ୍ତିର ମୂଲ୍ୟ ୪ କୋଟି  ୩୪ ଲକ୍ଷ ୬୫ ହଜାର ୩୦୮ଟଙ୍କା । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପତ୍ତିର ମୂଲ୍ୟ ୧୦ କୋଟି ୩୫ ଲକ୍ଷ ୨୯ ହଜାର ୯୧୧ ଟଙ୍କା । ୨୦୧୯-୨୦ରେ ସେ ୩୦ ଲକ୍ଷ ଟଙ୍କାର ଗୃହ ଋଣ କରିଥିବା ସେ କହିଛନ୍ତି । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ  ସମୀର ଦାଶଙ୍କ ସମ୍ପତ୍ତିର ମୂଲ୍ୟ ୨ କୋଟି ୨୩ ଲକ୍ଷ ୭୫, ୭୬୧ ଟଙ୍କା । ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସମ୍ପତ୍ତିର ମୂଲ୍ୟ ୩୯ ଲକ୍ଷ ୨୮, ୮୩୧ ଟଙ୍କା ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଦେଇଛନ୍ତି ନିଜର ସମ୍ପତ୍ତି ତାଲିକା । ତାଙ୍କ ପାଖରେ ୪ଟି କାର୍, ଗୋଟିଏ ଟ୍ରାକ୍ଟର ଓ ବୁଲେଟ୍ ଥିବା ସେ ଦର୍ଶାଇଛନ୍ତି । ଏହାସହ ତାଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ଗୃହ ଋଣ ସହ ୧୪ ଲକ୍ଷ ଟଙ୍କାର ଗାଡ଼ି ଲୋନ୍ ଥିବା ସେ ଦର୍ଶାଇଛନ୍ତି ।

ଅନ୍ୟ ମନ୍ତ୍ରୀଙ୍କ ଭଳି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ତାଙ୍କ ସଂପତ୍ତିର ତାଲିକା ଦେଇଛନ୍ତି। ସେ ୨ ବର୍ଷରେ କିଣିଛନ୍ତି ୮୦ଟି ଗାଡ଼ି। ୨୦୧୮ରୁ ୨୦୨୦ ମଧ୍ୟରେ ସେ ଏହି ସବୁ ଗାଡ଼ି କିଣିଛନ୍ତି। ଏହା ମଧ୍ୟରେ ରହିଛି ଗୋଟିଏ ସୌଖୀନ ମର୍ସିଡିସ ବେଞ୍ଜ କାର। ଏହି ମର୍ସିଡିସ ବେଞ୍ଜ କାରର ମୂଲ୍ୟ ୧ କୋଟି ୯୬ ଲକ୍ଷ ଟଙ୍କା। ଅନ୍ୟ ଗାଡ଼ିମାନଙ୍କ ଭିତରେ ରହିଛି ଅନେକ ଟ୍ରକ ଓ ବାଣିଜ୍ୟିକ ଗାଡ଼ି। ତାଙ୍କ ପାଖରେ ଅଛି ୧୬ଟି ମରସିଡିଜ୍ ବେଞ୍ଜ । 

ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କର ୫ଟି ବ୍ୟାଙ୍କରେ ପାଖାପାଖି ୨କୋଟି ଜମା ରହିଛି । ତାଙ୍କର ଗୋଟିଏ କାର, ୧ ଏକର ଚାଷ ଜମି ଥିବା ବେଳେ ୪ଟି ବାସୋପଯୋଗୀ ଜମି ଓ ତାଙ୍କର ୧୨ ଲକ୍ଷ ୨୫ ହଜାର ଟଙ୍କାର ଋଣ ଥିବା ସେ ଦର୍ଶାଇଛନ୍ତି । 

ଏସସି, ଏସଟି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ୬ଟି ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୭୦ ଲକ୍ଷରୁ ଅଧିକ ଟଙ୍କା ରହିଛି । ତାଙ୍କର ଗୋଟିଏ କାର, ଗୋଟିଏ ବାଇକ୍ ଥିବା ବେଳେ ୨୦ ଗ୍ରାମ୍ ସୁନା, ୧୮ ଏକରରୁ ଅଧିକ ପୈତୃକ ଜମି ସାଙ୍ଗକୁ ୯ଟି ସ୍ଥାନରେ ବାସୋପଯୋଗୀ ଜମି ରହିଛି । ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କର ୩ଟି ଘର, ୫ଟି ବ୍ୟାଙ୍କ ଆକାଉଣ୍ଟ ଅଛି । ୭ ଲକ୍ଷ ୨୩ ହଜାର ଟଙ୍କାର ବ୍ୟାଙ୍କ ଋଣ ଥିବା ବେଳେ ତାଙ୍କ ପାଖରେ ଅଛି ୯ଲକ୍ଷ ୬୦ ହଜାର ଟଙ୍କାର ସୁନା ଓ ୪୭ ହଜାର ୫ଶହ ଟଙ୍କାର ରୂପା ରହିଛି । ତାଙ୍କର ସ୍ଥାବର ସମ୍ପତ୍ତି ୪୩ ଲକ୍ଷ ୩୫ ହଜାର ୩୫୪ ଓ ଅସ୍ଥାବର ସମ୍ପତ୍ତି ୧୫ ଲକ୍ଷ ଟଙ୍କା ରହିଛି । 

Share

Leave a Reply

Your email address will not be published. Required fields are marked *

18 − thirteen =