ଇଂଜିନିୟରିଂ ଛାତ୍ରଙ୍କ ଜରିଆରେ ହୋମ ଡେଲିଭରି ହେଉଛି ଚୋରା ବନ୍ଧୁକ

ଭୁବନେଶ୍ବର () ରାଜ୍ୟର ରାଜଧାନୀ ଭୁବନେଶ୍ବର ଦିନକୁ ଦିନ ଯେତେ ବିକାଶ ପଥରେ ଆଗେଇ ଚାରିଛି ଠିକ ସେତିକି ପରିମାଣରେ ଅପରାଧ ତଥା ଅପରାଧୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । କିଛି ବର୍ଷ ପୂର୍ବେ ଗୋଷ୍ଠି ସଂଘର୍ଷ ବା ଗଣ୍ଡଗୋଳରେ ଛୁରୀ, ଭୁଜାଲି ଆଦି ଦେଖିବାକୁ ମିଳୁଥିଲେ ମଧ୍ୟ ଏବେ କଥା କଥାରେ ବାହାରୁଛି ବନ୍ଧୁକ । ଛୋଟ ପିଲା ମଧ୍ୟ ପକେଟରେ ବନ୍ଧୁକ ପୂରାଇ ବୁଲୁଛି । ଚେନ ଲୁଟେରା ଠାରୁ ଆରମ୍ଭ କରି ବିଲଡର, ଖଣି ମାଫିଆ, ଗ୍ୟାଙ୍ଗଷ୍ଟାର ସମସ୍ତଙ୍କ ହାତରେ ବନ୍ଧୁକ ଥିବା ଦେଖାଯାଉଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କଲେଜ ଛାତ୍ରମାନେ ଏହି ବନ୍ଧୁକ ବେପାରର ମୂଳ ମାଧ୍ୟମ ପାଲଟିଛନ୍ତି । ଯେଉଁଥିପାଇଁ କଥା କଥାରେ ଫୁଟୁଛି ଗୁଳି ।

ଅନେକ ସମୟରେ ପୋଲିସ ଅପରାଧୀଙ୍କ ଠାରୁ ମାଉଜର ଓ ଗୁଳିଗୋଳା ଆଦି ଜବତ କରିବାର ନଜିର ଥିଲେ ମଧ୍ୟ କିଙ୍ଗପିନ ପାଖରେ ପହଁଚିବାରେ ସମର୍ଥ ହେଉନାହିଁ । ଏ ସଂପର୍କରେ କୌଣସି ଖୋଳତାଡ ହୋଇନାହିଁ । ଜନୈକ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ ବିହାର ମୁଙ୍ଗେରର ଚାଇଁବାସାରୁ ମୁଖ୍ୟତଃ ଓଡିଶାକୁ ବନ୍ଧୁକ ଆସିଥାଏ । ମୁଙ୍ଗେରରେ ଦୁଇରୁ ତିନି ହଜାର ଟଙ୍କାରେ ମୁଳିଥିବା ବନ୍ଧୁକ ଓଡିଶାରେ 15ରୁ 20 ହଜାର ଟଙ୍କା ମୂଲ୍ୟରେ ବିକ୍ରି ହୁଏ । ବିଜାର ଓ ଝାରଖଣ୍ଡରୁ ଆଜି ଓଡିଶାର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ପଢୁଥିବା ଛାତ୍ର ଏହାକୁ ରାଜଧାନୀକୁ ଆଣିଥାନ୍ତି । ଅନ୍ୟ ରାଜ୍ୟରୁ ଆସୁଥିବା ମାଲବାହୀ ଟ୍ରକ ସାହାର୍ଯ୍ୟରେ ବନ୍ଧୁକ ବ୍ୟାଗ ଭୁବନେଶ୍ବର ଆସିଥାଏ ।

ଅଳ୍ପ କିଛି ଟଙ୍କା ନେଇ ଟ୍ରକ ଡ୍ରାଇଭର ବନ୍ଧୁକ ବ୍ୟାଗ ଆଣିବା ସହ ରାଜଧାନୀର ପ୍ରବେଶ ପଥରେ ବ୍ୟାଗକୁ ବାହାର କରି ଦଲାଲ ଛାତ୍ରଙ୍କୁ ହସ୍ତାନ୍ତର କରିଥାନ୍ତି । ଏହାପରେ କଲେଜ ହଷ୍ଟେଲ, ମେସ, କ୍ୟାମ୍ପସରେ ଖୁଲମଖୁଲା ବନ୍ଧୁକ ବିକ୍ରି ଆରମ୍ଭ ହୋଇଥାଏ ବୋଲି ପୋଲିସ ଅଧିକାରୀ ଜଣକ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବଡ ବଡ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କ ପିଲା ଏହି କାରବାରରେ ସଂପୃକ୍ତ ଥିବାରୁ କମିଶନରେଟ ପୋଲିସ କିଙ୍ଗପିନ ପାଖରେ ପହଁଚି ପାରନାହିଁ ।

2014 ମସିହାରେ କମିଶନରେଟ ପୋଲିସ ପକ୍ଷରୁ ଟୁଇନସିଟିରେ ଅପରେସନ ବ୍କାକସ୍ମୋକ ଓ ତ୍ରୀଶୁଳର ଆରମ୍ଭ କରାଯାଇଥିଲା । ସେବେଠାରୁ ଆଜିଯାଏଁ ପୋଲିସ 410ଟି ବନ୍ଧୁକ ଜବତ କରି ସାରିଲାଣି । କିନ୍ତୁ ହଜାର ହଜାର ଛାତ୍ର ପଇସା ଲୋଭରେ ବନ୍ଧୁକ କୌଣସି ଗୋଟିଏ ସ୍ଥାନରେ ନରଖି ଘରେ ଘରେ ବୁଲି ଡେଲିଭରି ଦେଉଥିବାରୁ ଏହା ପୋଲିସ ପାଇଁ କାଠିକର ପାଠ ପାଲଟିଛି ।

Share

Leave a Reply

Your email address will not be published. Required fields are marked *

18 + 1 =