ଉଚ୍ଚଶିକ୍ଷାରେ ଆସିବ ସଂସ୍କାର

ଭୁବନେଶ୍ୱର () ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ପରୀକ୍ଷାରେ ସଂସ୍କାର ଅଣାଯାଇ ପରୀକ୍ଷାଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କରାଇବା ଓ ପରୀକ୍ଷା ଫଳ ଠିକ୍‌ ସମୟରେ ବାହାର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଏଥି ନିମନ୍ତେ ଅଧିକ ସଂଖ୍ୟକ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ଖୋଲିବା ପାଇଁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଛନ୍ତି ।

ଆଜି ପୂର୍ବାହ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ, କୁଳସଚିବ ଏବଂ ବିତ୍ତ ନିୟନ୍ତ୍ରକଙ୍କ ବୈଠକ ଅନୁଷ୍ଠିତ ହୋଇ ଠିକ୍‌ ସମୟରେ ପରୀକ୍ଷା ଯେପରି ଶେଷ ହେବ ଓ ପରୀକ୍ଷା ଫଳ ଧାର୍ଯ୍ୟ ସମୟରେ ବାହାରିବ ସେଥି ନିମନ୍ତେ ଆଲୋଚନା ହୋଇଥିଲା । ଏଥି ନିମନ୍ତେ ମହାବିଦ୍ୟାଳୟ ତରଫରୁ ଠିକ୍‌ ସମୟରେ ଆଡ୍‌ମିସନ୍‌ ଏବଂ କୋର୍ସ ସାରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ପରୀକ୍ଷା ଖାତା ମୂଲ୍ୟାୟନ ନିମନ୍ତେ ଅଧିକ ସଂଖ୍ୟକ ମୂଲ୍ୟାୟନ କେନ୍ଦ୍ର ଖୋଲାଯିବ ଏବଂ ମୂଲ୍ୟାୟନକାରୀ ଅଧ୍ୟାପକମାନଙ୍କୁ ଦିଆଯାଉଥିବା ଅର୍ଥରାଶିକୁ ବୃଦ୍ଧି କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା ।

ଏହା ସହ ପ୍ରଶ୍ନ ପ୍ରସ୍ତୁତକାରୀ ଅଧ୍ୟାପକମାନଙ୍କୁ ଦିଆଯାଉଥିବା ଅର୍ଥ ମଧ୍ୟ ବୃଦ୍ଧି କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ପ୍ରତି ୧୨ରୁ ୧୫ଟି ମହାବିଦ୍ୟାଳୟକୁ ନେଇ ଗୋଟିଏ ମୂଲ୍ୟାୟନ କେନ୍ଦ୍ର କରାଯିବ । ଏଥି ସହିତ ପ୍ରଶ୍ନ ପତ୍ର ସେଟ୍‌ ମଧ୍ୟ ବୃଦ୍ଧି କରାଯିବ ବୋଲି ସ୍ଥିର କରାଯାଇଥିଲା । ସଂଶୋଧିତ ସିଲାବସ୍‌ ଏବଂ ପ୍ରଶ୍ନପତ୍ର ପରିବର୍ତ୍ତନ ସଂପର୍କରେ ବିଶ୍ୱବିଦ୍ୟାଳୟଗୁଡ଼ିକ ମହାବିଦ୍ୟାଳୟଗୁଡ଼ିକୁ ଅବଗତ କରାଇବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏତଦ୍‌ବ୍ୟତୀତ ବିଇଡି ପରୀକ୍ଷାଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରି ପରୀକ୍ଷା ଫଳ ବାହାର କରିବା ପାଇଁ କୁହାଯାଇଥିଲା ।

ବିଶ୍ୱବିଦ୍ୟାଳୟଗୁଡ଼ିକ ନିକଟରେ ବର୍ଷ ବର୍ଷ ଧରି ଖର୍ଚ୍ଚ ନହୋଇ କେଉଁଠି କେତେ ଅର୍ଥ ରହିଛି ସେ ବିଷୟରେ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଅର୍ଥର ଉପଯୁକ୍ତ ବିନିଯୋଗ କରିବାକୁ ମଧ୍ୟ କୁହାଯାଇଥିଲା । ବିଶ୍ୱବିଦ୍ୟାଳୟର ନିୟମିତ ଅଡିଟ୍‌ କରିବା ଏବଂ ଅଡିଟ୍‌ ପାରାର ଅନୁପାଳନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକର ଜମିଜମା ସଂକ୍ରାନ୍ତରେ ଆଲୋଚନା ହେବା ସହ ଭିତ୍ତିଭୂମି ନିର୍ମାଣ ପାଇଁ ଜମିର ସଠିକ୍‌ ଉପଯୋଗ ଓ ବହୁତଳ ପ୍ରସାଦ ନିର୍ମାଣ ଉପରେ ମତ ପ୍ରକାଶ ପାଇଥିଲା । ବୈଠକରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର, ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ବିଶ୍ୱବ୍ୟାଙ୍କ) ପରମେଶ୍ୱରନ୍‌ ବି.ଙ୍କ ସମେତ ବିଭାଗୀୟ ସମସ୍ତ ଆଞ୍ଚଳିକ ନିର୍ଦ୍ଦେଶକ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

5 + 14 =