12ରେ କିଣା, 25ରେ ବିକ୍ରି

ଭୁବନେଶ୍ବର () ପିଆଜ ଦରକୁ ନିୟନ୍ତ୍ରଣ କରିବାଲାଗି ରାଜ୍ୟ ସରକାର ଆଜି ଏହାର ମହଜୁଦ ଉପରେ କେତେକ କଟକଣା ଲଗାଇଛନ୍ତି କେଉଁ ସହରରେ ବ୍ୟବସାୟୀମାନେ କେତେ ପରିମାଣ ପିଆଜ ମହଜୁଦ ରଖିପାରିବେ ତାହା ସୂଚାଇଛନ୍ତି । ବଢି ଚାଲିଥିବା ପିଆଜଦର ନିୟନ୍ତ୍ରଣ ଲାଗି ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକ ପରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ କଟକରେ ବ୍ୟବସାୟୀମାନେ ୫୦୦ କୁଇଣ୍ଟାଲରୁ ଅଧିକ ପିଆଜ ଗଚ୍ଛିତ ରଖିପାରିବେନାହିଁ ।

ସେହିଭଳି ଭୁବନେଶ୍ବର, ପୁରୀ, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁର ସହରରେ ମହଜୁଦ ପରିମାଣ ୩୫୦ କୁଇଣ୍ଟାଲ ମଧ୍ୟରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ଅନ୍ୟ ସହର ଗୁଡିକରେ ବ୍ୟବସାୟୀମାନେ ସର୍ବାଧିକ ୧୫୦ କୁଇଣ୍ଟାଲ ପିଆଜ ମହଜୁଦ ରଖିପାରିବେ । ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ମହାରାଷ୍ଟ୍ରର ନାସିକ୍‍ରୁ ପିଆଜ ଆମଦାନୀ ହେଉଛି । ସେଠାରେ ଏବେ ମଣ୍ଡିରେ ପିଆଜର ଦର କିଲୋପିଛା ୧୨ ରୁ ୧୩ ଟଙ୍କା ରହୁଛି । ଏଠାକୁ ଆଣିବାପାଇଁ କିଲୋପିଛା ୪ ରୁ ୪ଟଙ୍କା ୫୦ ପଇସା ଖର୍ଚ୍ଚ ହେଉଥିବାରୁ ପିଆଜ ଏଠାରେ ପହଞ୍ଚିଲା ବେଳକୁ କିଲୋପ୍ରତି ୧୮ଟଙ୍କା ପଡିଯାଉଛି ।

ଏଥିଯୋଗୁଁ ଓଡିଶା ବଜାରରେ ପିଆଜ ଦର ଉଚ୍ଚା ରହୁଛନ୍ତି । ଆସନ୍ତା ୧୦ ରୁ ୧୫ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ପିଆଜ ଉତ୍ପାଦନ ହେବାକୁ ଯାଉଥିବାରୁ ସେଠାରୁ ପିଆଜ ଆସିଲେ ରାଜ୍ୟରେ ପିଆଜ ଦର ହ୍ରାସ ପାଇବ ବୋଲି ଶ୍ରୀ ପାତ୍ର କହିଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଗତ କିଛିଦିନ ଧରି ରାଜ୍ୟରେ ପିଆଜର ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଖୁଚୁରା ବଜାରରେ ଏହାର ଦର ସ୍ଥଳ ବିଶେଷରେ ୨୫ ଟଙ୍କା ଛୁଇଁଲାଣି । ତେଣୁ ପିଆଜର ଦର ନିୟନ୍ତ୍ରଣ ଲାଗି ଚାରିଆଡୁ ଦାବି ହେବାରେ ଲାଗିଛି ।

ଉଲ୍ଲେଖଯୋଗ୍ୟ ଯେ ଆମ ରାଜ୍ୟରେ ବାର୍ଷିକ ପ୍ରାୟ ୪ଲକ୍ଷ ଟନ୍‍ ପିଆଜର ଆବଶ୍ୟକ ଥିବାବେଳେ ଅନୁରୂପ ପରିମାଣ ପିଆଜ ଉତ୍ପାଦନ ହେଉଛି । କିନ୍ତୁ ଏହାର ସଂରକ୍ଷଣ କରାଯାଇ ପାରୁନଥିବାରୁ ଓଡିଶା ବର୍ଷସାରା ପିଆଜ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି । ପିଆଜ ସଂରକ୍ଷଣ ପାଇଁ ରାଜ୍ୟ ସରକାର ୫୦ ପ୍ରତିଶତ ସବ୍‍ସିଡ୍‍ ପ୍ରଦାନ କରୁଥିଲେ ମଧ୍ୟ ତାହା ବିଶେଷ ସହାୟକ ହୋଇପାରିନାହିଁ । ଫଳରେ ଓଡିଶାରୁ ଉତ୍ପାଦିତ ପିଆଜକୁ ଅମଳ ସମୟରେ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଶାଗମାଛ ଦରରେ କିଣିନେଇ ଯାଉଥିବାବେଳେ ପିଆଜ ଚାଷୀମାନେ ଗୁରୁତର କ୍ଷତିର ସମ୍ମୁଖୀନ ହେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

four × three =