5 ପ୍ରତିଶତକୁ ଦାରିଦ୍ର୍ୟ କମାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ

ରାଜ୍ୟପାଳଙ୍କ ଅଭିଭାଷଣରେ ରାଜ୍ୟ ବିକାଶର ଚିତ୍ର

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ 5 ଲକ୍ଷ ପର୍ଯ୍ୟନ୍ତ ଋଣ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ମହିଳାଙ୍କୁ 10 ଲକ୍ଷ ଯାଏଁ ଚିକିତ୍ସା ସୁବିଧା

ଭୁବନେଶ୍ୱର () ରାଜ୍ୟପାଳଙ୍କ ଅଭିଭାଷଣରେ ଏକ ନୂଆ, ବିକଶିତ ଓ ସଂବୃଦ୍ଧ ଓଡିଶା ଗଠନର ସ୍ୱପ୍ନ । ଏହି ସ୍ବପ୍ନକୁ ବସ୍ତବତାରେ ରୂପାନ୍ତରିତ କରିବାକୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଛି । ଏହି ପରିବର୍ତ୍ତନର ଯାତ୍ରାରେ ସମସ୍ତେ ସାମିଲ ହେବାକୁ ରାଜ୍ୟପାଳ ଗଣେଶୀ ଲାଲ ସବୁ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଆହ୍ୱାନ ଦେଇଛନ୍ତି ।

ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଏହି ଅଧିବେଶନ ଆରମ୍ଭ ହୋଇଥିଲା । ନିଜ ଅଭିଭାଷଣରେ ରାଜ୍ୟପାଳ କହିଥିଲେ ଯେ, ଏକ ନୂଆ ଓ ସଶକ୍ତ ଓଡିଶା ଯେଉଁଠି ଗରିବୀ ଇତିହାସ ପୃଷ୍ଠାରେ ଥିବ, ଯେଉଁଠି ରାଜ୍ୟର ଅଭିବୃଦ୍ଧି ଓ ବିକାଶରେ ମହିଳାମାନେ ସାମିଲ ହୋଇଥିବେ ଏବଂ ଦୁର୍ବଳ ବର୍ଗଙ୍କୁ ସାମିଲ କରାଯାଇ ସାମଗ୍ରିକ ଅଭିବୃଦ୍ଧି ହାସଲ ସହ ଯୁବକଙ୍କ ସ୍ବପ୍ନକୁ ସାକାର କରାଯାଇପାରୁଥିବ ସେଭଳି ଏକ ରାଜ୍ୟ ଗଠନର ସ୍ୱପ୍ନ ଦେଖିଛନ୍ତି ରାଜ୍ୟ ସରକାର । ଏହି ପରିବର୍ତ୍ତନର ଯାତ୍ରାରେ ସମସ୍ତେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି ।

ନିକଟରେ ଓଡିଶା ଉପକୂଳରେ ସଂଗଠିତ ହୋଇଥିବା ବାତ୍ୟା ଫନି ମୁକାବିଲାରେ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି।  ବାତ୍ୟା ସ୍ଥଳଭାଗ ଛୁଇଁବାର 24 ଘଣ୍ଟା ପୂର୍ବର ସ୍ୱଳ୍ପ ସମୟ ମଧ୍ୟରେ 14 ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରି ରାଜ୍ୟ ସରକାର ଇତିହାସ ସୃଷ୍ଟି କରିଛନ୍ତି ।

କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ସ୍ଥାପନ କରିଥିବାରୁ ସେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, ଏକ ଦୁର୍ନୀତିମୁକ୍ତ, ସ୍ୱଚ୍ଛ ଓ ଲୋକାଭିମୁଖୀ ପ୍ରଶାସନ ପାଇଁ ସେମାନେ ରାଜ୍ୟ ସରକାରଙ୍କ ଉପରେ ରଖିଥିବା ଭରସା କେବେବି ଅନ୍ୟଥା ହେବନି । ବରଂ ରାଜ୍ୟର ଉଚ୍ଚତର ଅଭିବୃଦ୍ଧି ହାସଲ ଲକ୍ଷକୁ ଆହୁରି ପରିବର୍ଦ୍ଧିତ କରାଯିବ । ଜନମତ ଆଧାରରେ ସୁଶାସନ ଯୋଗାଇଦେବା ଦିଗରେ ରାଜ୍ୟ ସରକାର ଚେଷ୍ଟା ଜାରି ରଖିବେ ବୋଲି ସେ କହିଛନ୍ତି ।

ପାନୀୟ ଜଳ, ବିଦ୍ୟୁତ ଯୋଗାଯୋଗ, ଜଳସେଚନ ଜରିଆରେ ସଂବୃଦ୍ଧି ହାସଲ ସହ ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ଭଳି ମୌଳିକ ତଥା ଅତ୍ୟାବଶ୍ୟକ ଭିତ୍ତିଭୂମି ନିର୍ମାଣକୁ ଅଗ୍ରାଧିକାର ଦିଆଯିବ । ରାଜ୍ୟରେ କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ପାଇଁ ସଘନ କୃଷି ନିବେଶ ଜରୁରୀ । ତେଣୁ ରାଜ୍ୟ ସରକାର କାଳିଆ ଯୋଜନାରେ ସବୁ କୃଷକ ଓ ଭୂମିହୀନ କୃଷି ଶ୍ରମିକଙ୍କୁ ସାମିଲ କରୁଛନ୍ତି । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ କୃଷି ଋଣ ଯୋଗାଇଦେବେ । କୃଷି ଓ କୃଷକଙ୍କ ବିକାଶ ଜରିଆରେ ଆଗାମୀ 5 ବର୍ଷରେ ଦାରିଦ୍ର୍ୟ ହାର 5 ପ୍ରତିଶତକୁ କମାଇବାକୁ ଲକ୍ଷ୍ୟ ରାଖଯାଇଛି ବୋଲି ସେ କହିଛନ୍ତି ।

ମହିଳା ସଶକ୍ତିକରଣ ରାଜ୍ୟ ବିକାଶର ମୂଳମନ୍ତ୍ର । ଏଥିପାଇଁ ମିଶନ ଶକ୍ତି ଜରିଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ 5000 ଟଙ୍କା ପର୍ଯ୍ୟନ୍ତ ସରକାରୀ କାମ ସହ ସେମାନଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯିବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନେ ଚିକିତ୍ସା ପାଇଁ 10 ଲକ୍ଷ ଟଙ୍କା ପାଇବେ।  ଏଥିସହ ସେମାନଙ୍କୁ ସଂସଦ ଓ ବିଧାନସଭାରେ ଏକ ତୃତୀୟାଂଶ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ।

ସେହିଭଳି ଶିକ୍ଷାର ବିକାଶ ପାଇଁ ଆଉ 124ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବ । ଗରିବ ତଥା ମେଧାବୀ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ସୁଯୋଗ ଉପରେ ରାଜ୍ୟ ସରକାର ଗୁତୁତ୍ୱ ଦେଉଛନ୍ତି । ଶିଳ୍ପର ବିକାଶ ପାଇଁ ମେକ ଇନ ଓଡିଶା ଅଭିଯାନରେ 6ଟି କ୍ଷେତ୍ରରେ 30 ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ପାଇଁ ଉଦ୍ୟମ ଜାରିରହିଛି । ଆଞ୍ଚଳିକ ବୈଷମ୍ୟ ହ୍ରାସ ସାଙ୍ଗକୁ ରାଜ୍ୟ ସରକାର ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ କଲ୍ୟାଣ ବୋର୍ଡ ଗଠନ କରିବେ । କ୍ରୀଡ଼ାର ବିକାଶରେ ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲା ସମସ୍ତ 17ଟି ବ୍ଲକରେ ବିଶ୍ବସ୍ତରୀୟ ଖେଳାଳୀ ସୃଷ୍ଟି ପାଇଁ ସବୁ ପଡ଼ିଆରେ ଆଷ୍ଟ୍ରୋଟରଫ ବିଛାଯିବ ବୋଲି ସେ କହିଛନ୍ତି ।

ସ୍ମାର୍ଟ ସିଟି ମିଶନରେ 5ଟି ମହନଗରୀକୁ ସ୍ମାର୍ଟ ସିଟିରେ ବିକଶିତ କରାଯିବ । ସେହିଭଳି ମେଟ୍ରୋ ରେଳ ସେବା ଦ୍ୱାରା ରୌପ୍ୟ ନଗରୀ କଟକକୁ ଭୁବନେଶ୍ୱର ସହ ସଂଯୋଗ କରାଯିବ । ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ରୂପେ ବିକଶିତ କରାଯିବ । ଏହିସବୁ ପ୍ରତିଶ୍ରୁତିକୁ ପାଳନ କରିବାକୁ ଦଳଗତ କାର୍ଯ୍ୟ ବା ଟିମ ୱାର୍କ, ସ୍ୱଚ୍ଛତା, ବୈଷୟିକ ଜ୍ଞାନକୌଶଳ ପ୍ରୟୋଗରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପରିବର୍ତ୍ତନ ହାସଲ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

ten − 1 =