କାଳିଆ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଲା ମୋଡାଲିଟି

ଭୁବନେଶ୍ୱର () କାଳିଆ ଯୋଜନା କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଆଜି ନିୟମାବଳି ଜାରି କରିଛନ୍ତି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ କୃଷି ସଚିବଙ୍କ ଅଧ୍ୟକ୍ଷତାରେ ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ପଞ୍ଚାୟତିରାଜ ବିଭାଗର ସଚିବଙ୍କୁ ନେଇ ଏକ କମିଟି ଗଠନ କରାଯିବ । ଏହି କମିଟି ପୂରା ଯୋଜନାର କାର୍ଯ୍ୟନ୍ଵୟନକୁ ସୁନିଶ୍ଚିତ କରିବେ ।

ରାଜ୍ୟ ସ୍ତରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଭିନ୍ନଭିନ୍ନ କମିଟି ଗଠନ କରାଯିବ । ଏହି ଯୋଜନାର କାର୍ଯ୍ୟାନ୍ଵୟନ ନେଇ ଏହି କମିଟି ସମୀକ୍ଷା କରିବା ସହ ଯୋଜନାର ରୂପରେଖରେ ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ ପାଇଁ ପରାମର୍ଶ ଦେବେ ।

ଜିଲ୍ଲାପାଳଙ୍କ ପ୍ରତକ୍ଷ ତତ୍ୱବଧାନରେ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ, ସମବାୟ ବିଭାଗ ଜରିଆରେ ମିଳିତ ଭାବେ କାର୍ଯ୍ୟକାରୀ ହେବ ଏହି ଯୋଜନା । ଏହି ଯୋଜନାରେ ହିତାଧିକାରୀ ଚାଷୀଙ୍କୁ ସହାୟତା ରାଶି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରଦାନ କରାଯିବ । ରାଜ୍ୟ ସ୍ତରୀୟ ବ୍ୟାଙ୍କରସ କମିଟି ଆକାଉଣ୍ଟ ଜରିଆରେ ସହାୟତା ପ୍ରଦାନର ବୈଷୟିକ ସହାୟତା ଦେବ । ଏକ ଏମଆଇଏସ ପୋର୍ଟାଲ ଜରିଆରେ ଏହି ଯୋଜନା କାର୍ଯ୍ୟକାରିତାକୁ ଜଗିବ ।

ଏହି ଯୋଜନାର ହିତାଧିକାରୀ ଚିହ୍ନଟ ପାଇଁ ଯୋଗ୍ୟ ଚାଷୀ ପରିବାର ଓଡ଼ିଶାର ସ୍ଥାୟୀ ବାସିନ୍ଦା ହେବା ଆବଶ୍ୟକ । ଚାଷୀ ପରିବାର ଆର୍ଥ ଚାଷୀ, ତାଙ୍କ ପତ୍ନୀ ଓ ତାଙ୍କ ଉପରେ ନିର୍ଭରଶୀଳ ପିଲାମାନେ । ସମ୍ପୃକ୍ତ ଚାଷୀ କି ତାଙ୍କ ପତ୍ନୀ ଆୟକରଦାତା ହୋଇନଥିବେ କିମ୍ବା କୌଣସି ରାଜ୍ୟ କି ରାଜ୍ୟ ଉଦ୍ୟୋଗର କର୍ମଚାରୀ ହୋଇନଥିବେ ।

ଏହି ଯୋଜନାରେ ରାଜ୍ୟ ସରକାର ଚାଷ ପାଇଁ 30 ଲକ୍ଷ 17 ହଜାର 600 ଚାଷୀଙ୍କୁ ସହାୟତା ବାବଦରେ 7540 କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଜୀବିକା ସହାୟତା ବାବଦରେ 10 ଲକ୍ଷ ଭୂମିହୀନ କୃଷି ଶ୍ରମିକଙ୍କୁ 1250 କୋଟି ଟଙ୍କା, ଆପଦଗ୍ରସ୍ତ ପ୍ରାୟ 5 ଲକ୍ଷ ଚାଷୀ ପରିବାରକୁ 1000 କୋଟି ଟଙ୍କା, ଜୀବନ ବୀମା ସହାୟତା ବାବଦରେ 32 ଲକ୍ଷ 80 ହଜାର ଚାଷୀ ଓ 24 ଲକ୍ଷ 20 ହଜାର ଭୂମିହୀନ କୃଷି ଶ୍ରମିକଙ୍କୁ 170 କୋଟି ଟଙ୍କା ଏବଂ ସୁଧ ବିହୀନ କୃଷି ଋଣ ବାବଦରେ 20 ଲକ୍ଷ ଚାଷୀଙ୍କୁ 220 କୋଟି ଟଙ୍କା, ଏମିତି 10ହଜାର 180 କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Share

Leave a Reply

Your email address will not be published. Required fields are marked *

one + eighteen =