ଶପଥ ନେଉଛୁ ଲାଞ୍ଚ ନେବୁନି କି ଦେବୁନି

ଭୁବନେଶ୍ବର () ଆଜିଠାରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗରେ କର୍ମଚାରୀମାନେ ନିଜ ନିଜ ବିଭାଗରେ ଦୁର୍ନୀତିର ମୁଳୋତ୍ପାଟନ ପାଇଁ ଶପଥ ନେଇଛନ୍ତି । ଆଜି ସକାଳ 11ଟାରେ ଲୋକସେବା ଭବନର ବିଭିନ୍ନ ବିଭାଗରେ ଅଫିସର ଓ କର୍ମଚାରୀମାନେ ମିଳିତ ଭାବେ ନିଜ ନିଜ ବିଭାଗରେ ସ୍ବଚ୍ଛତାକୁ ସୁନିଶ୍ଚିତ କରିବାକୁ ଶପଥ ପାଠ କରିଛନ୍ତି ।

ପୂର୍ବାହ୍ନ 11, ପଂଚାୟତିରାଜ ବିଭାଗଠାରୁ ଆରମ୍ଭ କରି ଗଣଶିକ୍ଷା ବିଭାଗ ପର୍ଯ୍ୟନ୍ତ ସବୁଠି ଲୋକସେବା ଭବନରେ ବିଭାଗୀୟ ମୁଖ୍ୟ ଓ କର୍ମଚାରୀମାନେ ଶପଥ ପଠା କରୁଥିଲେ । ଏହି ଶପଥର ଉଦ୍ଦେଶ୍ୟ ଥିଲା ଦୁର୍ନୀତି ନିବାରଣ । ଏକ ସ୍ବରରେ ବିଭାଗୀୟ ମୁଖ୍ୟ କର୍ମଚାରୀମାନେ କହିଥିଲେ ଯେ, ଦେଶର ଆର୍ଥନୈତିକ, ସାମାଜିକ ଓ ରାଜନୈତିକ ବିକାଶରେ ଦୁର୍ନୀତି ସବୁଠାରୁ ବଡ ପ୍ରତିବନ୍ଧକ ବୋଲି ଆମେ ବିଶ୍ବାସ କରୁଛୁ । ସାଧାରଣ ଜନତା, ଘରୋଇ କ୍ଷେତ୍ର ଏପିରିକି ସରକାରୀ ସ୍ତରରେ ସମସ୍ତେ ମିଳିତ ଭାବେ ଦୁର୍ନୀତି ନିବାରଣ ପାଇଁ ଚେଷ୍ଟା କରିବା ଉଚିତ । ତେଣୁ ଜନତା ଏଦିଗରେ ଅଧିକ ସଚେତନ ହେବା ସହ ସାଧୁତାର ନିଦର୍ଶନ ଦେଇ ଦୁର୍ନୀତି ବିରୋଧରେ ଆମ ଲଢେଇରେ ସହଯୋଗ କରିବେ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି ।

ଜୀବନର ପ୍ରତ୍ୟେକଟି କ୍ଷେତ୍ରରେ ସାଧୁତା ଓ ଆଇନକୁ ସମ୍ମାନ ଦେବାକୁ ଏହି ଅବସରରେ ବିଭିନ୍ନ ବିଭାଗୀୟ କର୍ମଚାରୀମାନେ ଶପଥ ନେଇଥିଲେ । କାହାକୁ ଲାଞ୍ଚ ଦେବେନି କି ଲାଞ୍ଚ ମାଗିବେ ନାହିଁ । ସବୁ କାର୍ଯ୍ୟକୁ ସ୍ବଚ୍ଛତା ଓ ସାଧୁତାର ସମ୍ପାଦନ କରିବେ । ସାଧାରଣ ଲୋକଙ୍କ ସ୍ବାର୍ଥ ପାଇଁ କାମ କରିବେ । ବ୍ୟକ୍ତିଗତ ବ୍ୟବହାର ଏବଂ ସ୍ବଚ୍ଛତା ପାଇଁ ଉଦାହାରଣ ସୃଷ୍ଟି କରିବେ । ଯେକୌଣସି ସ୍ତରରେ ହେଉଥିବା ଦୁର୍ନୀତି ସମ୍ପର୍କରେ ଉପଯୁକ୍ତ ଅଧିକାରୀଙ୍କୁ ଅବଗତ କରିବେ ବୋଲି ଆଜି ପଂଚାୟତିରାଜ ଏବଂ ଉଚ୍ଚଶିକ୍ଷା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଶପଥ ନେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

two × five =