ବାତ୍ୟା କ୍ଷତିଗ୍ରସ୍ତ ଘରର ହେବ ଜିଓ ଟ୍ୟାଗିଙ୍ଗ, ଜୁନ 1ରୁ ୱାର୍କ ଅଡର

ଭୁବନେଶ୍ବର () ଫୋନି ବାତ୍ୟାରେ ଘର ଭାଙ୍ଗିଥିବା ସବୁ ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯିବ । ଏହି ପ୍ରକ୍ରିୟାରେ ଜଣେ ବି ପ୍ରକୃତ କ୍ଷତିଗ୍ରସ୍ତ ଲୋକ ବାଦ ପଡିବେନି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଂଚାୟତିରାଜ ବିଭାଗ କାର୍ଯ୍ୟ ଆରମ୍ଭ କରିଛି । ଫୋନି ପ୍ରଭାବିତ ଅଂଚଳରେ କାହାକୁ ମିଳିବ କ୍ଷତିପୂରଣ? କଣ ରହିଛି ମାପଦଣ୍ଡ ? ଏନେଇ ରାଜ୍ୟ ପଞ୍ଚାୟତିରାଜ ବିଭାଗ ସଚିବ ସବୁ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି।

ସବୁ ପଂଚାୟତରେ ଘରଭଙ୍ଗା ଚିହ୍ନଟ ପ୍ରକ୍ରିୟା 15ରୁ ଆରମ୍ଭ ହୋଇଛି। ସପ୍ତାହେ ମଧ୍ୟରେ ସରିବ। ସ୍ବଚ୍ଛତା ପାଇଁ ସବୁ ଭଙ୍ଗା ଘରେ ଜିଓ ଟାଗ ଲାଗିବ। ବିଭାଗ ତରଫରୁ ଆମ ଘର ଆପ ଜରିଆରେ ଜିଓ ଟ୍ୟାଗ ଫଟୋ ସଂଯୋଗ କରାଯିବ। କ୍ଷେତ୍ରରେ ଯାଞ୍ଚ କରିବା ପରେ ରାଜସ୍ବ ବିଭାଗ ଅଧିକାରୀ ତାଲିକା ପ୍ରସ୍ତୁତ କରିବେ। ଅତ୍ୟଧିକ ପ୍ରଭାବିତ ବ୍ଲକରେ ଜିଲ୍ଲାପାଳ ଚାହିଁଲେ ପଞ୍ଚାୟତିରାଜ ଓ ପାନୀୟ ଜଳ, ରାଜସ୍ବ କିମ୍ବା ଅନ୍ୟ ବିଭାଗର ଅଧିକାରୀଙ୍କୁ ନିୟୋଜିତ କରି ଅଲଗା ତାଲିକା ପ୍ରସ୍ତୁତ କରି ପାରିବେ।

ସ୍ଥାନୀୟ ଯୁବକ, ଯୋଗାଣ ସହାୟକ, ବିଜୁ ଯୁବ ବାହିନୀ ସଦସ୍ୟ, ସିଆରପିକୁ ବ୍ୟବହାର କରାଯାଇପାରିବ। ବହୁ ସଂଖ୍ୟାରେ ଘର ଭାଙ୍ଗିଥିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଜିଓ ଟ୍ୟାଗିଙ୍ଗ କାର୍ଯ୍ୟ ଶେଷ କରିବାକୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରିପାରିବେ । ଜିଓ ଟ୍ୟାଗିଙ୍ଗ ପାଇଁ ନିୟୋଜିତ କର୍ମଚାରୀଙ୍କୁ ଗୋଷ୍ଠି ଉନ୍ନୟନ ଅଧିକାରୀ ବା ବିଡିଓ ଭଲ ଭାବେ ସେମାନଙ୍କ ଦାୟିତ୍ବ ଓ ଭୁମିକା ସଂପର୍କରେ ବୁଝାଇବା ଆବଶ୍ୟକ । ଜିଓ ଟ୍ୟାଗିଙ୍ଗ ବାବଦକୁ ପ୍ରତି ଘର ପିଛା 50 ଟଙ୍କା ଦିଆଯିବ। ରାଜ୍ୟ ସରକାରଙ୍କ ରୁରାଲ ହଉସିଂ ପୋର୍ଟାଲରେ ଏହି ତଥ୍ୟ ରହିବ।

ଗୁରୁତ୍ତର ଭାବେ ପ୍ରଭାବିତ ହୋଇଥିବା ପୁରୀ ଓ ଖୋର୍ଦ୍ଧାରେ ପ୍ରତି ବ୍ଲକ ପିଛା ଚାରିଜଣ ଅତିରିକ୍ତ ବୈଷୟିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ବାତ୍ୟାରେ ପ୍ରଭାବିତ ହୋଇନଥିବା ଜିଲ୍ଲାର ଗ୍ରାମ୍ୟ ଗୃହ ନିର୍ମାଣ ଅଧିକାରୀଙ୍କୁ 11ଟି ପ୍ରଭାବିତ ବ୍ଲକକୁ ସ୍ଥାନାନ୍ତର କରାଯାଇଛି । ଜୁନ 1 ତାରିଖରୁ ନୂଆ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ । ତେଣ 31 ମେ ସୁଦ୍ଧା ସବୁ ହିତାଧିକାରୀଙ୍କ ଜମି ପଟା, ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ, ଜବ କାର୍ଡ ଆଦିକୁ ବ୍ଲକ ଅଧିକାରୀମାନେ ଅନଲାଇନରେ ଅପଲୋଡ କରି ପଞ୍ଜିକରଣ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

eleven − 5 =