ସାହିତ୍ୟ ପିଲାମାନଙ୍କୁ ରୁଦ୍ଧିମନ୍ତ କରେ ବୋଲି ଗଣେଶ୍ୱର ମିଶ୍ରଙ୍କ ବିଶ୍ୱାସ ରହିଥିଲା : ଦାଶ ବେନହୂର

ଭୁବନେଶ୍ୱର: ‘ସାହିତ୍ୟ ପିଲାମାନଙ୍କୁ ଗଢେ, ସଂସ୍କାର ଦିଏ, ଦିଗ୍‌ଦର୍ଶନ ଦିଏ ଓ ଏଥି ସହିତ ମୌଳିକ ପରିଚୟ ଦେଇଥାଏ । ତେଣୁ ପିଲାମାନଙ୍କ ସାହିତ୍ୟ ଅବହେଳିତ ହେବା କଥା ନୁହେଁ । ଓଡିଶାରେ ପିଲାଙ୍କ ସାହିତ୍ୟର କିପରି ଉନ୍ନତି ହୋଇପାରିବ ସେ ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି । ଏହି କଥାକୁ ଅନୁଭବ କରିଥିଲେ ସ୍ୱର୍ଗତ ପ୍ରଫେସର ଗଣେଶ୍ୱର ମିଶ୍ର । ସେଥି ପାଇଁ ସେ ପିଲାମାନଙ୍କ ପାଇଁ ନାନାବାୟା ଗୀତ, ପାହାଡ କଥା, ବିଦେଶ କାହାଣୀ, ମାଛ କଥା, ସାପ କଥା ଆଦି ଅନେକ ରଚନା କରିଥିଲେ । କେବଳ ଶିଶୁ ସାହିତ୍ୟ ନୁହେଁ ଉପନ୍ୟାସ, ଗଳ୍ପ, କବିତରେ ମଧ୍ୟ ନିଜ ଛାପ ଛାଡିଯାଇଛନ୍ତି । ସେ ଥିଲେ ଜଣେ ଅନନ୍ୟ ସାହିତ୍ୟିକ ।’ ପ୍ରଫେସର ଗଣେଶ୍ୱର ମିଶ୍ରଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ସ୍ମୃତିସଭାରେ ପଞ୍ଚମ ସ୍ମାରକୀ ବକ୍ତୃତା ପ୍ରଦାନ ଅବସରରେ ଏହି ମତ ଦେଇଛନ୍ତି ବିଶିଷ୍ଟ କଥାକାର ଦାଶ ବେନହୂର ।

ପ୍ରଫେସର ମିଶ୍ରଙ୍କ ସ୍ମୃତିଚାରଣ କରି ପ୍ରଫେସର ଯତୀନ୍ଦ୍ର କୁମାର ନାୟକ କହିଥିଲେ, ‘ସେ ଜୀବନକୁ ବେଶ୍ ସରଳୀକୃତ ଭାବେ ଦେଖନ୍ତି । କୌଣସି କଥାରେ କେବେ ବ୍ୟସ୍ତ ବିବ୍ରତ ହେଉ ନ ଥିଲେ । ସବୁ କଥାକୁ ସ୍ଥିର ଚିତ୍ତରେ ସମାଧାନ କରୁଥିଲେ । ତାଙ୍କ ଭଳି ମଣିଷଟେ ମିଳିବା ସହଜ ନୁହେଁ । ’

ଏହି ଅବସରରେ ଟାଇମପାସ ପବ୍ଲିକେଶନ ପକ୍ଷରୁ ଗଣେଶ୍ୱର ମିଶ୍ର ସୃଜନ ସମଗ୍ରର ପଞ୍ଚମ ପର୍ବର ଲୋକାର୍ପଣ କରାଯାଇଥିଲା । ଚଳିତ ଥରର ବହିଟି ପ୍ରଫେସର ମିଶ୍ରଙ୍କ ଭ୍ରମଣ କାହାଣୀକୁ ଉପରେ ଆଧାରିତ ।
ପ୍ରଫେସର ମିଶ୍ରଙ୍କ ଅନେକ ଲେଖା ରହିଛି ଯାହା ବହି ଆକାରରେ ପ୍ରକାଶ ପାଇପାରିନାହିଁ । ସେଥିରୁ କିଛି ବିଗତ ଦିନମାନଙ୍କରେ ପ୍ରକାଶ ପାଇଥିବା ବେଳେ ଅନ୍ୟଗୁଡିକୁ ପ୍ରକାଶ କରାଯିବ ବୋଲି ସୂଚନା ଦେଇଛନ୍ତି ତାଙ୍କ ସୁପୁତ୍ର ତଥା ସତୀର୍ଥର ସଂଯୋଜକ ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର ।

ତାଙ୍କ ଉପନ୍ୟାସ ‘ସକାଳର ମୁହଁ’ର ଇତି ମଧ୍ୟରେ ନାଟ୍ୟ ରୂପାନ୍ତର ସରିଛି । ଏହାର ନାଟ୍ୟ ରୂପାନ୍ତର କରିଛନ୍ତି ଲେଖକ ଦୟାନିଧି ତ୍ରିପାଠୀ । ଖୁବ୍ ଶୀଘ୍ର ଏହାକୁ ମଞ୍ଚସ୍ଥ କରାଯିବ ବୋଲି ସୂଚନା ଦିଆଯାଇଛି । ସତୀର୍ଥ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଥାକାର ବିରାଜ ମୋହନ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ କବି ତଥା କଥାକାର ସରୋଜ ବଳ ବକ୍ତା ଓ ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

five × 2 =