ଆଜିବି ଗାନ୍ଧୀ ବଞ୍ଚିଛନ୍ତି … ଦେଖନ୍ତୁ କେଉଁଠି ଓ କେମିତି …

ଯାଜପୁର () ଗାନ୍ଧିବାଦ ଓ ଗାନ୍ଧୀ ଚିନ୍ତାଧାରା ଏବେ ପ୍ରାୟତଃ ସଭାସମିତି କିମ୍ବା ପୁସ୍ତକରେ ଶୁଣିବାକୁ ମିଳୁଛି । ପ୍ରକୃତପକ୍ଷେ ଗାନ୍ଧୀ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରୁଥିବା କିମ୍ବା ଗାନ୍ଧୀ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ କ୍ଵଚିତ ଉଦ୍ୟମ କରୁଛନ୍ତି । ପରିବର୍ତ୍ତିତ ସାମାଜିକ ପରିସ୍ଥିତିରେ ଗାନ୍ଧୀ ଓ ଗାନ୍ଧିବାଦ ଲୋକଙ୍କ ମାନସପଟରୁ ଲିଭିଗଲାଣି ।

କିନ୍ତୁ ଏହି ପରିବର୍ତ୍ତିତ ସମାଜରେ ଗାନ୍ଧୀ ଚିନ୍ତାଧାରାରେ ଅନୁପ୍ରାଣିତ ଏମିତି ଏକ ଗାଁ ରହିଛି ଯେଉଁଠି ଏବେବି ଗାନ୍ଧୀ ବଞ୍ଚିଛନ୍ତି । ଅର୍ଥାତ ଆଜିବି ଏହି ଗାଁରେ ନିୟମିତ ଏକ ବ୍ୟବଧାନରେ ଶୁଣିବାକୁ ମିଳୁଛି ରାମଧୁନ, ସର୍ବଧର୍ମ ପ୍ରାର୍ଥନା ଓ ଗାନ୍ଧୀଙ୍କ ନୀତିବାଣୀ । ଗାନ୍ଧୀଙ୍କ ସାମାଜିକ ଅସମାନତା ଦୂର ସହ ସମାଜରୁ ହିଂସା, ବିଦ୍ୱେଷ ଓ ଅହିଂସାର ବାର୍ତ୍ତା ଲୋକଙ୍କ ପାଖରେ ପହଂଚାଉଛନ୍ତି କିଛି ବର୍ଷୀୟାନ ସ୍ବାଧୀନତା ସଂଗ୍ରାମୀ । ଏହି ଗାଁଟି ହେଉଛି ଯାଜପୁର ଜିଲ୍ଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିପଡ଼ିଆ । ବଡ଼ଚଣା ଗାନ୍ଧୀ ଭାବେ ପରିଚିତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୃନ୍ଦାବନ ତ୍ରିପାଠୀଙ୍କ ସ୍ମୃତିରେ ଏଠାରେ ରହିଛି ଠକ୍କରବାପା ଆଶ୍ରମ । ସ୍ବର୍ଗତ ବୃନ୍ଦାବନ ତ୍ରିପାଠୀଙ୍କ ପତ୍ନୀ ସରସ୍ୱତୀ ଦେବୀ ମଧ୍ୟ ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ ।

ଗାନ୍ଧିବାଦୀ ସଂଗ୍ରାମୀ ବୃନ୍ଦାବନ ତ୍ରିପାଠୀ ଓ ସରସ୍ୱତୀ ଦେବୀଙ୍କ ଚନ୍ତାଧାରରେ ତାଙ୍କ ପରିବାର ଓ ପୁରା ଗାଁ ପ୍ରଭାବିତ । ତେଣୁ ତାଙ୍କ ପରିବାର ପକ୍ଷରୁ ସ୍ୱାଧୀନତା ଦିବସ ହେଉ କି ଗଣତନ୍ତ୍ର ଦିବସ, ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ହେଉ କି ଶ୍ରାଦ୍ଧ ଦିବସ, ସାରା ରାଜ୍ୟ ପାଳନ କରୁ କି ନକରୁ, ବାଲିପଡ଼ିଆ କିନ୍ତୁ ଗାନ୍ଧୀଙ୍କୁ ଆଜି ଯାଏଁ ଭୁଲିନି । ଗାନ୍ଧୀଙ୍କ ସହ ଜଡିତ ସବୁ ଦିବସରେ ଗାଁରେ ଶୁଣିବାକୁ ମିଳୁଛି ରାମଧୁନ ଓ ସର୍ବଧର୍ମ ସଭା । ଗତ 18 ତାରିଖରେ ମଧ୍ୟ ସଂଗ୍ରାମୀ ସରସ୍ୱତୀ ଦେବୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ପ୍ରତିଥର ଭଳି ଗାନ୍ଧିବାଦର ଚର୍ଚ୍ଚା ହୋଇଥିଲା ।

ଏଠାରେ ଥିବା ଠକ୍କରବାପା ଆଶ୍ରମର ବିଶେଷତ୍ୱ ହେଉଛି ଏଠି ଆଜିବି ବାପୁ ବ୍ୟବହାର କରୁଥିବା ଚରଖ, ଚପଲ, ଚଷମା ଓ ଅନ୍ୟାନ୍ୟ ସାମଗ୍ରୀ ସହ ଗାନ୍ଧୀଙ୍କ ଓଡିଶା ଆଗମନର ଅନେକ ସ୍ମୃତି ରହିଛି ।

ସରସ୍ୱତୀ ଦେବୀଙ୍କ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଜେପି ନେତ୍ରୀ ଶ୍ରୀମନ୍ତିନି ଜେନା, ଗାନ୍ଧିବାଦୀ ନିଶାକର ଦାସ ପ୍ରମୁଖ ।

Share

Leave a Reply

Your email address will not be published. Required fields are marked *

9 + twelve =