ରାଜ୍ୟର ସବୁ ସ୍ତରରେ ପହଞ୍ଚିବ ଗାନ୍ଧୀଙ୍କ ମତ ଓ ବିଚାରଧାରା

ଭୁବନେଶ୍ବର () ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଗାନ୍ଧିଜୀଙ୍କ ବିଚାରଧାରା ଓ ବାର୍ତ୍ତାକୁ ସବୁ ସ୍ତରରେ ପହଞ୍ଚାଯିବ । ରାଜ୍ୟ ସରକାର ଏଥିଲାଗି ଯେଉଁ ସବୁ କାର୍ୟ୍ୟକ୍ରମ ନିର୍ଦ୍ଧାରଣ କରିଛନ୍ତି ତାହାକୁ କିଭଳି ସୂଚାରୁରୂପେ ସମ୍ପାଦନ କରାଯିବ ସେ ନେଇ ଗୁରୁତ୍ବ ଦିଆଯିବ । ଆସନ୍ତା ଅକ୍ଟୋବର ୨ରୁ ୨୦୨୦ ଅକ୍ଟୋବର ୨ ପର୍ୟ୍ୟନ୍ତ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ୟ୍ୟନ୍ତ ବିଭିନ୍ନ କାର୍ୟ୍ୟକ୍ରମ ହାତକୁ ନିଆଯିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟସ୍ତରୀୟ କମିଟିର ସମନ୍ବୟ ଉପକମିଟି ବୈଠକ ଆଜି ରାଜ୍ୟ ଅଭିଲେଖାଗାର ଠାରେ ଅନୁଷ୍ଠିତ ହୋଇଥିଲା । ସମନ୍ବୟ ଉପକମିଟିର ଅଧ୍ୟକ୍ଷ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦୁଇବର୍ଷ ବ୍ୟାପୀ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ୟ୍ୟକ୍ରମ ସମ୍ପର୍କରେ ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ ସୂଚନା ଦେଇଥିଲେ।

ଆସନ୍ତା ଅକ୍ଟୋବର ୨ରେ ରାଜଧାନୀରେ ଏକ ବିଶାଳ ମାନବ ଶୃଙ୍ଖଳ ନଚେତ ଶୋଭାଯାତ୍ରାର ଆୟୋଜନ କରିବାକୁ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଥିବା ବେଳେ ନିଷ୍ପତ୍ତି ଅନୁଯାୟୀ ମହାତ୍ମାଗାନ୍ଧୀଙ୍କ ଏକ ବିଶାଳକାୟ ପ୍ରତିମୂର୍ତ୍ତି କିଭଳି ରାଜଧାନୀରେ ପ୍ରତିଷ୍ଠା କରାଯିବ ସେଥିପାଇଁ ଆବଶ୍ୟକ ପ୍ରସ୍ତୁତି ଯଥାଶୀଘ୍ର ଆରମ୍ଭ କରିବାକୁ ସ୍ଥିର ହୋଇଥିଲା । ସେହିଭଳି ଗାନ୍ଧୀଜୀଙ୍କ ଏହି ୧୫୦ତମ ଜନ୍ମବାର୍ଷିକୀ କାର୍ୟ୍ୟକ୍ରମରେ ବିଭିନ୍ନ ବିଭାଗ ସମ୍ପୃକ୍ତ ଥିବାରୁସମସ୍ତଙ୍କୁ ନଇ ତୁରନ୍ତ ବୈଠକ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା ।

ବୈଠକରେ ଅନ୍ୟତମ ସଦସ୍ୟ ତଥା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ ମହାତ୍ମାଙ୍କ ଏହି ଜନ୍ମ ବାର୍ଷିକୀ କାର୍ୟ୍ୟକ୍ରମକୁ ବ୍ୟାପକ କରିବା ନେଇ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା କିଭଳି ଠିକ ଭାବରେ ରୂପାୟନ ହୋଇପାରିବ ସେ ନେଇ ଗୁରୁତ୍ବ ଦେଇଥିଲେ । ଦୁଇବର୍ଷ ବ୍ୟାପୀ କାର୍ୟ୍ୟକ୍ରମକୁ ଭବିଷ୍ୟତ ଲାଗି ସ୍ମାରକୀ ଭାବେ ରଖିବା ପାଇଁ ଅଧ୍ୟକ୍ଷ ଅତନୁ ସବ୍ୟସାଚୀ ପ୍ରସ୍ତାବ ଦେଇଥିବା ଳେ ମହାତ୍ମାଗାନ୍ଧୀ ଅବସ୍ଥାନ କରିଥିବା କାଦୁଅ ଆଶ୍ରମକୁ ସ୍ମାରକୀ କରିବାକୁ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଥିଲେ । ସେହିପରି ଅନ୍ୟତମ ସଦସ୍ୟ ବିଧାୟକ ପ୍ରଶାନ୍ତ ମୁଦୁଲି ଏବଂ ଅଶ୍ବିନୀ କୁମାର ପାତ୍ର ଓ ଖଦି ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ପ୍ରମୁଖ ସମସ୍ତ ସରକାରୀ କାର୍ଯ୍ୟାରେ ଗାନ୍ଧୀ ଜୟନ୍ତୀ ପୂର୍ବରୁ ମହାତ୍ମାଙ୍କ ଫଟୋ ଲଗାଯିବାକୁ ପ୍ରସ୍ତାବ ରଖଥିଲେ ।

ସୂଚନାଯୋଗ୍ୟ ନିଷ୍ପତ୍ତି ମୁତାବକ ଓଡ଼ିଶାର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ କସ୍ତୁରବା ଆଦର୍ଶ ଗ୍ରାମ ପଞ୍ଚାୟତ ଚିହ୍ନଟ ହେବ । ମହାତ୍ମାଗାନ୍ଧୀ ଓଡ଼ିଶାଗସ୍ତ କାଳରେ ଅବସ୍ଥାନ କରିଥିବା ଗୃହ ଗୁଡିକର ବିକାଶ କରାଯିବ । ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ତରରେ ସବୁ କାର୍ୟ୍ୟାଳୟରେ ମହାତ୍ମାଗାନ୍ଧୀଙ୍କ ଫଟୋ ରହିବ।ସ୍ବତନ୍ତ୍ର ଭାବେ ଶିକ୍ଷାନୁଷ୍ଠାନରେ ଆଲୋଚନା, ସହର ଓ ଗ୍ରାମାଞ୍ଚଳରେ ବିଭିନ୍ନ କାର୍ୟ୍ୟକ୍ରମ, ଗାନ୍ଧୀ ରଚନାବଳୀ ପ୍ରକାଶନ, ଗାନ୍ଧୀ ସର୍କିଟର ବିକାଶ ଆଦି ପଦକ୍ଷେପ ନିଆଯିବ। ବୈଠକରେ ରାଜ୍ୟ ଅଭିଲେଖାଗାର ଅଧୀକ୍ଷକା ଶୁଚିସ୍ମିତା ମନ୍ତ୍ରୀ ଓ ସଂସ୍କୃତି ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥତ ରହିଥିଲେ ।

Share

Leave a Reply

Your email address will not be published. Required fields are marked *

seven + sixteen =