କୃଷକ ଉତ୍ପାଦକ ଗୋଷ୍ଠୀକୁ ମିଳିବ ସହଜରେ ଋଣ

ନବକିଷାନ ଲିମିଟେଡ ଓ କୃଷି ବିଭାଗ ମଧ୍ୟରେ ଏମଓୟୁ

ଭୁବନେଶ୍ବର () କୃଷକ ଉତ୍ପାଦକ ଗୋଷ୍ଠୀଙ୍କ ପାଇଁ ଋଣର ସୁବିଧା ପ୍ରଦାନ ନିମନ୍ତେ ନାବାର୍ଡର ଏକ ସାହାର୍ଯ୍ୟକାରୀ ସଂସ୍ଥା ନବକିଷାନ ଲିମିଟେଡ ସହିତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ବୁଝାମଣାପତ୍ର ସ୍ବାକ୍ଷର କରିଛି । ରାଜ୍ୟରେ ଥିବା କୃଷକ ଉତ୍ପାଦକ ଗୋଷ୍ଠୀ କିଭଳି ଅର୍ଥଲଗାଣକାରୀ ସଂସ୍ଥାଗୁଡିକରୁ ସୁବିଧାରେ ଋଣ ପାଇପାରିବେ ସେହି ଲକ୍ଷରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି ।

ଏହି ବୁଝାମଣାପତ୍ର ଉଦ୍ୟାନକୃଷି ନିର୍ଦ୍ଦେଶିକା ଡାକ୍ତର ବିଜୟ କେତନ ଉପାଧ୍ୟାୟ ଓ ନବକିଷାନ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିରଜ ବର୍ମାଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଛି । ଏହି ସ୍ବାକ୍ଷରପତ୍ର ବୁଝାମଣାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ, ନାବାର୍ଡ ମୁଖ୍ୟ ପ୍ରବନ୍ଧକ ଏ. ଚନ୍ଦ୍ରଶେଖର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ବୁଝାମଣାପତ୍ର ମାଧ୍ୟମରେ ରାଜ୍ୟ ସରକାରଙ୍କ ଦ୍ବାରା 10 କୋଟି ଟଙ୍କାର ଏକ ନିର୍ଦ୍ଧିଷ୍ଟ ନିଶ୍ଚିତ ଋଣ ପାଣ୍ଠି ଗଠନ କରାଯିବ, ଯାହାକି ନବକିଷାନ ଲିମିଟେଡ ଦ୍ବାରା ପରିଚାଳିତ ହେବ । ଏହା ମାଧ୍ୟମରେ ବିନା ସୁଧାରେ ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥାମାନଙ୍କଠାରୁ ଋଣ ପାଇପାରିବ ।

2018ରେ ପ୍ରଣୀତ କୃଷକ ଉତ୍ପାଦକ ଗୋଷ୍ଠୀ ନିୟମକୁ ଆଧାର କରି ଓ ରାଜ୍ୟର ପ୍ରାୟ 300 କୃଷକ ଉତ୍ପାଦକ ଗୋଷ୍ଠୀକୁ ପ୍ରୋତ୍ସାହନ ହେଉଥିବା ନାବାର୍ଡର ସହଯୋଗରେ ଏହି ବୁଝାମଣାପତ୍ରର ନିୟମାବଳୀ ସ୍ଥିର ହୋଇଛି । ରାଜ୍ୟରେ ଥିବା ଶତକଡା 92 ଭାଗ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମସ୍ୟାକୁ ସମାଧାନ କରିବା ଲକ୍ଷ୍ୟରେ କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ ଓ ଏଗୁଡିକର ବିକାଶ ଲକ୍ଷ୍ୟରେ ପୂର୍ବରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ନାବାର୍ଡ ମଧ୍ୟରେ ହୋଇଥିବା ଚୁକ୍ତିପତ୍ର ସହିତ ଏହାର ସମାଞ୍ଜସ୍ୟ ରହିଛି ।

ରାଜ୍ୟରେ ଗଠନ କରାଯାଇଥିବା କୃଷକ ଉତ୍ପାଦକ ଗୋଷ୍ଠୀମାନଙ୍କୁ ପାରିପାର୍ଶ୍ବିକ ଋଣର ସୁବିଧା ଯୋଗାଇ ଦେବା ନିମନ୍ତେ ନାବାର୍ଡର ସହକାରୀ ସଂସ୍ଥା ନବକିଷାନ ଲିମିଟେଡ ସହଯୋଗର ହାତ ବଢେଇଛନ୍ତି । ଏହି ବୁଝାମଣାପତ୍ର ମାଧ୍ୟମରେ ଏଣିକି କୃଷକ ଉତ୍ପାଦକ ଗୋଷ୍ଠୀଗୁଡିକ ରାଷ୍ଟ୍ରାୟତ ବ୍ୟାଙ୍କ ନବକିଷାନ ମାଧ୍ୟମରେ ନିଶ୍ଚିତ ଋଣ ପାଣ୍ଠିରୁ ଋଣ ପାଇବେ ଓ ଏହି ଧାରାକୁ ନବକିଷାନ ଲିମିଟେଡ ପରିଚାଳନା କରିବ । ଏଥିସହିତ ଭୁବନେଶ୍ବରରେ ଭାରତୀୟ କୃଷି ଗବେଷଣା ପରିଷଦର ଆଞ୍ଚଳିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ଭାରତୀୟ କୃଷି ଗବେଷଣା ପରିଷଦର ଡାଲି ଗବେଷଣା କେନ୍ଦ୍ର, କାନପୁର ସହ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ।

ଭୁବନେଶ୍ବରରେ ଆଞ୍ଚଳିକ ଡାଲି ଗବେଷଣା କେନ୍ଦ୍ର ସ୍ଥାପନ କରିବା ପାଇଁ ଭାରତୀୟ କୃଷି ଗବେଷଣା ପରିଷଦର କାନପୁରସ୍ଥିତ ଡାଲି ଜାତୀୟ ଫସଲ ଗବେଷଣା କେନ୍ଦ୍ର ଏବଂ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ମଧ୍ୟରେ ବୁଝାମଣା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ଡିନ ଡକ୍ଟର ଏଲ.ଏମ. ଗଡନାୟକ ଓ କାନପୁରର ଡାଲି ଫସଲ ଗବେଷଣା ପରିଷଦର ନିର୍ଦ୍ଦେଶକ ଡକ୍ଟର ଏଲ.ଏମ. ସିଂହଙ୍କ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି । ଭାରତ ସରକାରଙ୍କ ଅଧିନସ୍ଥ କୃଷି ବିଭାଗକୁ ଏହି ଚୁକ୍ତିପତ୍ର ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଥିଲେ ।

ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ ଏଥିରେ ମୁଗ, ବିରି, ବୁଟ, କୋଳଥ, ଝୁଡଙ୍ଗ ଆଦି ଡାଲି ଜାତୀୟ ଫସଲର ବିହନ ଉତ୍ପାଦନ କରାଯାଇ ଉପକୁଳବର୍ତ୍ତୀ ଅଂଚଳରେ ଏହି ଫସଲର ଚାଷରେ ଉନ୍ନତି କରାଯାଇପାରିବ । ଏଥିପାଇଁ ଓଡିଶା ସରକାର 10 ହେକ୍ଟର ଜମି ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟକୁ ସ୍ଥାନାନ୍ତର କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen − one =