ନଭେମ୍ବର ପହିଲାରୁ ମାଛମରା ନିଷେଧ

ଉପକୂଳରେ ଓଲିଭରିଡଲେ କଇଁଛ ସୁରକ୍ଷା ଚିନ୍ତା

ଭୁବନେଶ୍ୱର () ଓଡ଼ିଶା ଉପକୂଳରେ ଓଲିଭରିଡଲେ ସାମୁଦ୍ରିକ କଇଁଛଙ୍କ ପ୍ରଜନନ ସମୟରେ ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଉଚ୍ଚସ୍ତରୀୟ କ୍ଷମତା ସଂପନ୍ନ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା  । ବର୍ତମାନ ପର୍ଯ୍ୟନ୍ତ କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଜଙ୍ଗଲ, ମତ୍ସ୍ୟ ଓ ପଶୁ ସଂପଦ ବିକାଶ, ଗୃହ ଏବଂ ତଟ ସୁରକ୍ଷା ବାହିନୀ ବିଭାଗ ପରସ୍ପର ସହ କ୍ଷେତ୍ରସ୍ତରୀୟ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ  ।

କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର, ଡ଼ି.ଆର.ଡ଼ି.ଓ ଏବଂ ଉପକୂଳବର୍ତ୍ତୀ ୩ଟି ବନ୍ଦର କର୍ତୁପକ୍ଷ ସଂରକ୍ଷଣ ନିୟମକୁ କଡ଼ାକଡ଼ି ଅନୁପାଳନ କରିବା ସହ ରାତ୍ରୀ ସମୟରେ ତୀବ୍ର ଆଲୋକ ରଶ୍ମିକୁ ଅବନତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ତୀବ୍ର ଆଲୋକ ରଶ୍ମି ଓଲିଭରିଡଲେଙ୍କ ଉପରେ କୁପ୍ରଭାବ ପକାଇବାର ସମ୍ଭାବନା ଥିବାରୁ ଆଲୋକ ରଶ୍ମି ନିୟନ୍ତ୍ରିତ କରିବାକୁ କୁହାଯାଇଥିଲା ।

ଚଳିତ ବର୍ଷ ନଭେମ୍ବର ୧ ତାରିଖ ଠାରୁ ୨୦୧୯ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଉପକୂଳରୁ ୨୦ କି.ମି ପର୍ଯ୍ୟନ୍ତ ନିର୍ଦ୍ଧାରିତ ଅଂଚଳ ଏବଂ ଧାମରା, ଦେବୀ ଓ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ମାଛମରା ନିଷେଧ ଲାଗୁ କରିବା ପାଇଁ ନିଷ୍ପତି ହୋଇଥିଲା । ଯନ୍ତ୍ରଚାଳିତ ଡ଼ଙ୍ଗା, ଟ୍ରଲର ବା ଯାନ୍ତ୍ରିକ କୌଶଳରେ ମାଛମରା ନିଷେଧ ହେବ  । ବିନା ମଟର ବୋଟରେ  ପାରମ୍ପରିକ ଢ଼ଙ୍ଗରେ ମାଛ ଧରୁଥିବା ମତ୍ସ୍ୟଜିବୀଙ୍କୁ ଅଯଥାରେ ଅସୁବିଧାରେ ନପକାଇବା ପାଇଁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗମାନଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ  ।

ନିଷେଧ ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମନ୍ୱିତ ଉପକୂଳ ପରିଚାଳନା ପ୍ରକଳ୍ପ ମାଧ୍ୟମରେ ପିଲାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜିବୀକା ଆଦି ନିମନ୍ତେ ସହାୟତା ଦେବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ  । ସହାୟତା ରାଶି ୫୦୦୦ ଟଙ୍କାରୁ ୭,୫୦୦ ଟଙ୍କାକୁ ବଢ଼ାଇବା ପାଇଁ ବୈଠକରେ ସୁପାରିଶ କରାଯାଇଥିଲା  । ଚଳିତ ବର୍ଷ କ୍ଷତିଗ୍ରସ୍ତ ହେଉଥିବା ଅଧିକ ସଂଖ୍ୟକ ମତ୍ସ୍ୟଜୀବୀ ପରିବାରଙ୍କୁ ଏଥିରେ ସାମିଲ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ  ।

ଗଞ୍ଜାମ ଜିଲ୍ଲାର ଖଲିକୋଟ ଫରେଷ୍ଟ ରେଞ୍ଜ୍ ଅନ୍ତର୍ଗତ ଘାଟି ସେଂଟ୍ରାଲ୍ ନର୍ସରୀ ପାଖରେ ସାମୁଦ୍ରିକ କଇଁଛ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ବୈଠକରେ ନିଷ୍ପତି ହୋଇଥିଲା  । ଏହାଛଡା ସ୍ୱର୍ଗତଃ ଡ. ଚନ୍ଦ୍ରଶେଖର କରଙ୍କ ନାମରେ ଏକ ଓଲିଭରିଡ଼ଲେ ଗବେଷଣା ଫେଲୋସିପ୍ ଅନୁଷ୍ଠିତ କରିବା ପାଇଁ ମଧ୍ୟ ବୈଠକରେ ସ୍ଥିର ହୋଇଥିଲା  । ଚଳିତ ବର୍ଷ ୫୭ଟି ଅନ୍-ସୋର ଏବଂ ୫ଟି ଅଫସୋର ଏହିପରି ୬୨ଟି ପେଟ୍ରୋଲିଂ କ୍ୟାମ୍ପ୍ କରାଯିବ  ।

ଏ.ପି.ଆ.ର, ପୋଲିସ୍, କୋଷ୍ଟ ଗାର୍ଡ, ପେଟ୍ରୋଲିଂ ସିପ୍ ଏବଂ ସାମୁଦ୍ରିକ ଥାନା ମାନଙ୍କ ମଧ୍ୟରେ ସୂଚନା ଦେଣନେଣ ପ୍ରକ୍ରିୟାକୁ ଅଧିକ ନିୟମିତ ଏବଂ ନିର୍ଦ୍ଧିଷ୍ଟ କରାଯିବ । ସ୍ଥାନୀୟ ପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ପ୍ରକୃତି ପ୍ରେମୀ ବ୍ୟକ୍ତି ବିଶେଷଙ୍କୁ ଏଥିରେ ସାମିଲ କରି ଉପକୂଳରେ ଅଲିଭରିଡ଼ଲେଅଣ୍ଡାର ସୁରକ୍ଷା କରିବା ଏବଂ ଛୁଆ ଫୁଟିବା ପରେ ସେମାନଙ୍କୁ  ସୁରକ୍ଷିତ ସମୁଦ୍ରକୁ ଛାଡିବା କାର୍ଯ୍ୟ କରାଯିବ  । ୨୦୧୭-୧୮ ବର୍ଷ ପ୍ରଜଜନ ଋତୁରେ ଓଡ଼ିଶା ଉପକୂଳରେ ପ୍ରାୟ ୧୧.୧୦ ଲକ୍ଷ ଓଲିଭ୍ ଅଣ୍ଡା ଦେଇଥିଲେ ବୋଲି ଜଣାପଡିଥିଲା  ।

Share

Leave a Reply

Your email address will not be published. Required fields are marked *

fifteen − 8 =