ସରିଲା ଶ୍ରୀମନ୍ଦିରର ଲେଜର ସ୍କାନିଂ

ପୁରୀ: ମହାପ୍ରଭୁଙ୍କ ଅନୁପସ୍ଥିତିରେ ଶ୍ରୀମନ୍ଦିରର ବାର୍ଷିକ ମରାମତି ପ୍ରସ୍ତୁତି ଆରମ୍ଭ ହୋଇଛି । ବୁଧବାର ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ବୈଷୟିକ କମିଟି ଶ୍ରୀମନ୍ଦିର ପରିଦର୍ଶନ କରି ଆବଶ୍ୟକ ମରାମତିର ସୂଚୀ ପ୍ରସ୍ତୁତ କରିଛି । ଏହା ବ୍ୟତୀତ ନାଟମଣ୍ଡପ, ଜଗମୋହନ, ଭୋଗ ମଣ୍ଡପ କାନ୍ଥ, ଛାତ, ଚାଳି ଆଦିର ସ୍ଥିତିକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଲେଜର ସ୍କାନିଂ କରିଛି ।

ଶ୍ରୀମନ୍ଦିର ପ୍ରଶାସନର ସର୍ତ୍ତ ମୁତାବକ ସ୍କାନିଂ କାମ କରିଛି ଏଏସ୍ଆଇ । ସର୍ତ୍ତ ମୁତାବକ ସ୍କାନିଂ ରିପୋର୍ଟକୁ ଶ୍ରୀମନ୍ଦିର ପ୍ରଶାସନରେ ଦାଖଲ କରାଯିବ । ବର୍ତ୍ତମାନ ଏହି ଲେଜର ସ୍ଥାନିଂ ରେକର୍ଡକୁ ତର୍ଜମା କରାଯିବ । ନାଟମଣ୍ଡପ, ଜଗମୋହନ, ଭୋଗମଣ୍ଡପର ପଥର ଯୋଡ଼େଇ, ପଥର ସ୍ଥିତି, ଛାତର ସ୍ଥିତି ଆଦିକୁ ଲେଜର ସ୍କାନିଂ ପରେ ଡକୁମେଣ୍ଟେସନ କରାଯାଇଛି ବୋଲି ଏଏସ୍ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ବୈଷୟିକ କମିଟି ବୈଠକରେ ନିଷ୍ପତ୍ତି ହୋଇଛି ଶ୍ରୀମନ୍ଦିରର ନିୟମିତ ବାର୍ଷିକ ମରାମତି କରାଯିବ । ଶ୍ରୀମନ୍ଦିର ଗର୍ଭଗୃହ ଏବଂ ରତ୍ନସିଂହାସନରେ ରସାୟନିକ ସଫେଇ କରାଯିବ । ଏହି ରସାୟନିକ ସଫେଇ ପରେ ଗର୍ଭଗୃହର ପ୍ରକୃତ ସ୍ଥିତି ଜଣାପଡ଼ିବ । ଦୁର୍ବଳ ସ୍ଥାନ ତଥା ମରାମତି ମାଗୁଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇ ଆବଶ୍ୟକ ରକ୍ଷଣାବେକ୍ଷଣ କରାଯିବ । ସେହିଭଳି ନାଟମଣ୍ଡପର ଧୁକୁଡ଼ି ଦ୍ୱାର ଆଉ ଗାରଦ ନିକଟ ଛାତରୁ ଚୂନ ଖସିଥିବା ସ୍ଥାନରେ ମରାମତି କରାଯିବ ।

ନାଟମଣ୍ଡପ ଛାତରେ ଏହି ଦୁଇଟି ସ୍ଥାନରେ ଫାଟ ଦେଖା ଦେଇଛି । ତା ବ୍ୟତୀତ ନାଟମଣ୍ଡପ ଗରୁଡ଼ ସ୍ତମ୍ଭ ଉପର ବିମରେ ଦେଖା ଦେଇଥିବା ଫାଟର ବଡ ମରାମତି ହେବାର ଆଶଙ୍କା କରାଯାଉଛି । ଏହି ସ୍ଥାନରେ ଫାଟ ମେଲୁଛି କି ନାହିଁ ତାହା ନିଦାନ କରିବାକୁ କ୍ରାକ୍ ମିଟର ଲାଗିଛି । ଏବେ ନାଟମଣ୍ଡପର ଲେଜର ସ୍କାନିଂ ପରେ ପ୍ରକୃତ ସ୍ଥିତି ଜଣାପଡ଼ିବ । ଏହି ସ୍ଥାନର ମଧ୍ୟ ଆବଶ୍ୟକ ମରାମତି ହେବ । କିନ୍ତୁ ବାର୍ଷିକ ମରାମତିରେ ଏହାକୁ ସାମିଲ କରାଯିବାର ଆଶା ନାହିଁ ।

Share

Leave a Reply

Your email address will not be published. Required fields are marked *

seventeen + six =