‘କାଳିଆ’କୁ ପ୍ରଶଂସା କଲେ ନନ୍ଦକିଶୋର

ଭୁବନେଶ୍ବର () ପଂଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ଏନ.କେ. ସିଂହ ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ପ୍ରଶଂସା କରିଛନ୍ତି । କୃଷି କ୍ଷେତ୍ର ପାଇଁ ଏହା ଏକ ଅଭିନବ ଯୋଜନା ବୋଲି କହିବା ସହ ଏହାର ଉପଯୁକ୍ତ କାର୍ଯ୍ୟକାରିତା ନେଇ ଆଶା ପ୍ରକାଶ କରିଛନ୍ତି ।

ଓଡିଶା ଗସ୍ତରେ ଆସିଥିବା କମିଶନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ଆଖିଦୃଶିଆ ଅଭିବୃଦ୍ଧି ହାସଲ କରିଛନ୍ତି । ତେବେ ଗତ କିଛି ବର୍ଷ ଧରି ଅଭିବୃଦ୍ଧି ବାଧାପ୍ରାପ୍ତ ହେବା ପାଇଁ ସେ ପ୍ରାକୃତିକ ବିପର୍ଯ୍ୟୟକୁ ଦାୟୀ କରିଛନ୍ତି । ଏଥିସହିତ ସେ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତିକୁ ପ୍ରଶଂସା କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ଓଡିଶା ପାଇଁ ସବୁବେଳେ ଏକ ଚ୍ୟାଲେଂଜ ହୋଇଛି ବୋଲି ସେ କହିଛନ୍ତି ।

ଦାରିଦ୍ର୍ୟ ସଂପର୍କରେ ସେ କହିଥିଲେ ଯେ, ଓଡିଶାରେ ଦାରିଦ୍ର୍ୟ ବହୁ ପରିମାଣରେ ହ୍ରାସ ପାଇଛି । ତଥାପି ଏହା ଏବେ ବି ରାଜ୍ୟପାଇଁ ଏକ ଚିନ୍ତାର ଦିଗ । ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି, କିନ୍ତୁ ଏବେ ବି ଜାତୀୟ ହାର ଠାରୁ କମ ରହିଛି । ରାଜ୍ୟରେ ସାକ୍ଷରତା ହାର ବୃଦ୍ଧି ପାଇଛି, କିନ୍ତୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି । ରାଜ୍ୟରେ କୃଷିର ବିକାଶ ପାଇଁ ଜଳସେଚନ ଏବଂ ବହୁମୁଖୀ ଫସଲ ଉପରେ ଗୁରୁତ୍ବ ଦିଆଯିବା ଉଚିତ ବୋଲି ସେ କହିଥିଲେ ।

ରାଜ୍ୟ ସରକାରଙ୍କ ପକ୍ଷରୁ କୋଇଲା ଖଣି ଅଂଚଳର ବିକାଶ ନିମନ୍ତେ ଖର୍ଚ୍ଚ ଲାଗି ସ୍ବଚ୍ଛ ଶକ୍ତି ସେସ ବସାଯିବା ଲାଗି ଦାବି କରାଯାଇଛି । ଏ ଦିଗରେ ରାଜ୍ୟ ସରକାରଙ୍କୁ ସମର୍ଥନ କରୁଛନ୍ତି ବୋଲି ଆୟୋଗ ପ୍ରତିଶ୍ରୁତି ଦେଇଥିଲେ । ଓଡିଶାରେ ପ୍ରାକୃତିକ ସମ୍ବଳ ଭରପୁର ହୋଇ ରହିଥିବା ବେଳେ ଏହାର ସଦୁପଯୋଗ କରାଯିବା ଆବଶ୍ୟକ । ବିନିର୍ମାଣ କ୍ଷେତ୍ରରେ ଓଡିଶାକୁ ଏକ ହବ୍ରେ ପରିଣତ କରାଯାଇପାରିବ ବୋଲି ଆୟୋଗଙ୍କ ହୃଦବୋଧ ହୋଇଛି ।

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ସହାୟତା ବୃଦ୍ଧି ନେଇ ରାଜ୍ୟ ସରକାର ଦାବୀ ରଖିଥିବା ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ବିପର୍ଯ୍ୟୟ ପରିଚାଳନା ଏବଂ ଅନ୍ୟ ପ୍ରସଙ୍ଗରେ ରାଜ୍ୟର ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଭାବେ ବିବେଚନା କରାଯାଉଥିବା ନେଇ ଆୟୋଗ ରାଜ୍ୟ ସରକାରଙ୍କୁ ଆଶ୍ବାସନା ଦେଇଥିଲେ  । ଓଡିଶାର ସ୍ଥିତି ପ୍ରତି ସ୍ବତନ୍ତ୍ର ବିଚାର କରି କେନ୍ଦ୍ରୀୟ ପ୍ରକଳ୍ପଗୁଡିକୁ ୯୦:୧୦ ଅନୁପାତରେ ସହାୟତା ପ୍ରଦାନର ଆବଶ୍ୟକତା ରହିଛି ବୋଲି ଆୟୋଗଙ୍କ ନିକଟରେ ଦାବୀ କରାଯାଇଛି । ସେହିଭଳି ରାଜସ୍ବ ନିଅଂଟ ବାବଦ ଅନୁଦାନ ପ୍ରଦାନ ଦାବୀ ସମ୍ପର୍କରେ ମଧ୍ୟ ଆୟୋଗ ତର୍ଜମା କରିବେ ବୋଲି ଅଧ୍ୟକ୍ଷ ଶ୍ରୀ ସିଂହ ସାମ୍ବାଦିକମାନଙ୍କୁ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × one =