ପୁଅକୁ ହାଣିଲା ବାପା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ନାଉପାଳ ପଞ୍ଚାୟତର ନରଣଖୁଣ୍ଟା ଗ୍ରାମରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ନିଜ ପୁଅକୁ ସାବତ ମା’ ସହ ମିଶି ବାପା ଫାର୍ସାରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି । ବାପାର ତୃତୀୟ ବିବାହକୁ ନେଇ ସୃଷ୍ଟି ହୋଇଥିବା ତିକ୍ତତାରୁ ଘଟିଛି ଏହି ହତ୍ୟାକାଣ୍ଡ । ଆଜି ବାପ ସହିତ ଦେଖା କରିବାକୁ ଯାଇଥିବା ପୁଅକୁ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି ବାପ ଓ ସାବତ ମା’ । ଏହାପରେ ପୁଅର ଶବକୁ ଦାଣ୍ଡରେ ପକାଇଦେଇ ସାବତ ମା’କୁ ସାଥୀରେ ଧରି ଫେରାର ହୋଇଯାଇଛି ଏହି ନୃଶଂସ ବାପା । ବଡ଼ସାହି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ନରଣଖୁଣ୍ଟା ଗ୍ରାମର ଅନୀଲ ପ୍ରଥମେ ସରସ୍ୱତୀ ସିଂଙ୍କୁ ବିବାହ କରିଥିଲେ । ସରସ୍ୱତୀ ଓ ଅନୀଲଙ୍କ ଔରଷରୁ ପ୍ରମୋଦ ଜନ୍ମ ନେଇଥିଲା । ଏହାପରେ ଅନୀଲ ଦ୍ୱିତୀୟ ଓ ପରବର୍ତ୍ତୀ ସମୟରେ ତୃତୀୟ ବିବାହ କରିଥିଲେ । ଏହି ସମୟରେ ଦ୍ୱିତୀୟ ସ୍ତ୍ରୀ ଅନୀଲକୁ ଛାଡ଼ି ପଳାଇଯାଇଥିବାବେଳେ ପ୍ରଥମ ସ୍ତ୍ରୀ ସରସ୍ୱତୀ ତା’ର ପୁଅ ପ୍ରମୋଦ ସିଂ(୨୬)କୁ ଧରି ଚକାପୁରସ୍ଥିତ ନିଜ ବାପ ଘରକୁ ଚାଲିଯାଇଥିଲା । ଗ୍ରାମରେ ଅନୀଲ ତୃତୀୟ ସ୍ତ୍ରୀ ସହିତ ରହୁଥିଲା । ପ୍ରଥମ ସ୍ତ୍ରୀ ସରସ୍ୱତୀଙ୍କ ପୁଅ ପ୍ରମୋଦ ବାରିପଦାର ଜନୈକ ମାର୍ବଲ ମିସ୍ତ୍ରୀଙ୍କ ନିକଟରେ କାମ କରେ । ଏହି ସମୟରେ ପ୍ରମୋଦ ଗତକାଲି ମାମୁଁଘର ଚକାପୁର ଗ୍ରାମକୁ ଯାଇଥିଲା ଏବଂ ଆଜି ବାପ ସହିତ ଦେଖା କରିବାକୁ ନରଣଖୁଣ୍ଟା ଗ୍ରାମକୁ ଯାଇଥିବା ବେଳେ ପୂର୍ବତିକ୍ତତାକୁ କେନ୍ଦ୍ରକରି ବାପ ଅନୀଲ ଓ ସାବତ ମା’ ମିଶି ଫାର୍ସାରେ ପ୍ରମୋଦକୁ ହତ୍ୟା କରି ଫେରାର ହୋଇଯାଇଥିଲେ । ଖବର ପାଇ ବଡ଼ସାହି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି । ଘଟଣାରେ ବ୍ୟବହୃତ ରକ୍ତ ଲାଗିଥିବା ଫାର୍ସାକୁ ପୁଲିସ ଜବତ କରିଛି ।

Share

Leave a Reply

Your email address will not be published. Required fields are marked *

five × five =