ପ୍ରାର୍ଥୀଙ୍କ ଭାଗ୍ୟ ଖାକିବାବୁଙ୍କ ହାତରେ

ଭୁବନେଶ୍ବର (ନିପ୍ର): କଂଗ୍ରେସର ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ପୁଲିସ୍‍ ହାତରେ । ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ବଡପଣ୍ଡାମାନେ ନିଜର କେତେକ ଅନୁଗତ ପୁଲିସ୍‍ କର୍ମଚାରୀଙ୍କୁ ଏହି କାମରେ ଲଗାଇଛନ୍ତି । ଏମାନେ ପ୍ରତି ଅଞ୍ଚଳରୁ ଆଶାୟୀ ପ୍ରାର୍ଥୀଙ୍କ ପାଞ୍ଜି ପ୍ରସ୍ତୁତ କରିବାରେ ଲାଗିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି ।

ଆଗାମୀ ନିର୍ବାଚନରେ କଂଗ୍ରେସ ଟିକଟ ବଣ୍ଟନ ନେଇ ବ୍ୟାପକ ଘଣ୍ଟା ଚକଟା ହେବାପରେ ଏବେ ଚଳିତମାସ ଶେଷସୁଦ୍ଧା ଅନ୍ୟୁନ ୫୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ପାଇଁ କଂଗ୍ରେସ ଅଣ୍ଟା ଭିଡିଛି । ସେଥିପାଇଁ ଯେଉଁ ପ୍ରାର୍ଥୀମାନଙ୍କୁ ଦଳ ଟିକଟ ଦେବ ସେମାନଙ୍କ ବିଷୟରେ ସବିଶେଷ ସୂଚନା ସଂଗ୍ରହପାଇଁ ଯୋଜନା ହୋଇଛି । ସରକାରୀଦଳ ଯେଭଳି ଗୁଇନ୍ଦା ରିପୋର୍ଟକୁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ସମୟରେ କାମରେ ଲଗାଇଥାଏ ଅନୁରୂପ ନୀତି ଆପଣେଇଛି କଂଗ୍ରେସ । ଦାୟିତ୍ବ ଦେଇଛି ଜିଲ୍ଲାରେ ଥିବା କିଛି ଅଭିଜ୍ଞ ପୁଲିସ୍‍ କର୍ମଚାରୀଙ୍କୁ ।

ଆଶାୟୀ କଂଗ୍ରେସ ପ୍ରାର୍ଥୀଙ୍କ ସଂକ୍ରାନ୍ତରେ ଟିକିନିଖି ବିବରଣୀ ସଂଗ୍ରହପାଇଁ ପୁଲିସ୍‍ ବାବୁମାନଙ୍କୁ କୁହଯାଇଛି । ପ୍ରାର୍ଥୀମାନେ ନିର୍ବାଚନରେ ଛିଡାହେଲେ ଜିଣିବେ କି ନାହିଁ ତାହା ସ୍ପଷ୍ଟଭାବେ ଦର୍ଶାଇବାକୁ ନିର୍ଦ୍ଦେଶ ଅଛି । ଏଥିପାଇଁ ପୁଲିସ୍‍ କର୍ମଚାରୀମାନେ ମଧ୍ୟ ପାରିଶ୍ରମିକ ପାଇବେ । ସୂଚନା ଅନୁଯାୟୀ ଏବେ ଦାୟିତ୍ବ ନେଇଥିବା ପୁଲିସ୍‍ ବାବୁମାନେ ପୂରା ଦମ୍‍ରେ କାମ ଚଳାଇଛନ୍ତି । ଖୁବ୍‍ଶୀଘ୍ର ସେମାନେ ରିପୋର୍ଟ ପ୍ରଦାନ କରିବେ । କଂଗ୍ରେସ ତାହାର ପ୍ରାର୍ଥୀ ତାଲିକା ପ୍ରସ୍ତୁତବେଳେ ଏହାକୁ ଅଗ୍ରାଧିକାର ଦେବେ ।

କଂଗ୍ରେସର ଏଭଳି ପୁଲିସିଆ କାରବାର ଏବେ ଦଳର ଅନେକ ଆଶାୟୀଙ୍କୁ କ୍ଷୁବ୍‍ଧ କରିଛି । କେତେକ ଦୁର୍ନୀତିଗ୍ରସ୍ତ ପୁଲିସ୍‍ ବାବୁଙ୍କ ହାତରେ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଥିବାରୁ ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ଆଉ କେତେକ ଆଶାୟୀ କଂଗ୍ରେସପ୍ରାର୍ଥୀ ଏବେ ପାଞ୍ଜି ପ୍ରସ୍ତୁତ କରୁଥିବା ପୁଲିସ୍‍ ବାବୁଙ୍କ ଶରଣ ପଶିବାକୁ ଜୋରଦାର ଉଦ୍ୟମ ଚଳାଇଛନ୍ତି । ତେବେ ପୁଲିସ୍‍ ରିପୋର୍ଟ ବାଦ୍‍ ବି ଦଳୀୟ ନେତା ଓ କଂଗ୍ରେସ ହାଇକମାଣ୍ଡ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ଦଳୀୟ କର୍ମୀମାନେ କହୁଛନ୍ତି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଓଡିଶା ପ୍ରଭାରୀ ଦାୟିତ୍ବ ନେବାପରେ ଜିତେନ୍ଦ୍ର ସିଂହ ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା ନେଇ ସୂଚନା ଦେବାପରେ ଗୋଟିଏ ପରିବାରରୁ ଜଣେ ଲୋକ ଟିକଟ ପାଇବ ବୋଲି କୁହାଯାଇଥିଲା । ତେବେ ଏହାକୁ ନେଇ ବିବାଦ ଉଠିବାରୁ ସର୍ତ୍ତ କୋହଳ ହେବବୋଲି ରାଜ୍ୟ କଂଗ୍ରେସ ସଭାପତି ଘୋଷଣା କରିଥିଲେ । ଏବେ ସମସ୍ତ କଂଗ୍ରେସ ବିଧାୟକ ଟିକଟ ପାଇବା ନିଶ୍ଚିତ ବୋଲି କୁହାଯାଉଥିବାବେଳେ ଅନ୍ୟ ଆସନ ଗୁଡିକରେ ପ୍ରାର୍ଥୀ ଚୟନ ନେଇ ଦଳ ପୁଲିସ୍‍ ବାବୁମାନଙ୍କୁ ଭିତିରିଆ କାମରେ ଲଗାଇବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Share

Leave a Reply

Your email address will not be published. Required fields are marked *

seventeen − 17 =