ଅତି ଭୟଙ୍କର ହେଉଛି ଫନି, ଓଡିଶାରେ କରିପାରେ ଲ୍ୟାଣ୍ଡଫଲ୍

ଭୁବନେଶ୍ବର () ପୁରୀ ଠାରୁ ୮୩୦ କିଲୋମିଟର ଦୂରରେ ଥିବା ବାତ୍ୟା ଫନି ଧିରେ ଧିରେ ଭୟଙ୍କର ହେବାରେ ଲାଗିଛି । ଧିରେ ଏହା ଓଡିଶା ଉପକୂଳକୁ ଅଗ୍ରସର ହେଉଥିବାବେଳେ କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ତାହା ଆଜି ସଂଧ୍ୟାସୁଦ୍ଧା ସ୍ପଷ୍ଟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଏହା ଜଗତସିଂହପୁର ଓ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।

ପୂର୍ବରୁ ଫୋନି ପୁରୀ ଜିଲ୍ଲାର ଚନ୍ଦ୍ରଭାଗା ଠାରେ ମାଡ ହେବବୋଲି ପୂର୍ବାନୁମାନ କରାଯାଉଥିବାବେଳେ ବର୍ତ୍ତମାନ ସୁଦ୍ଧା ତାହା ସ୍ପଷ୍ଟ ହୋଇପାରିନାହିଁ । ଆମେରିକୀୟ ନୌବାହିନୀ ପକ୍ଷରୁ କିନ୍ତୁ ଫୋନି ଧିରେ ଧିରେ ଓଡିଶା ଉପକୂଳରୁ ସମୁଦ୍ର ଭିତରକୁ ଦୂରେଇ ଯାଉଥିବା ଦର୍ଶାଯାଇଛି । ତେବେ ଏପ୍ରିଲ ମାସରେ ବାତ୍ୟା ଏକ ବିଲକ୍ଷଣ ହୋଇଥିଲେ ବି ଜଳଭାଗରେ ପାଗ ଅନୁକୂଳ ରହୁଥିବାରୁ ଏହି ବାତ୍ୟା ଧିରେ ଅତି ଭୟଙ୍କର ବାତ୍ୟାର ରୂପ ନେଇଛି ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ୍ଦରରେ ଦୁଇ ନମ୍ବର ସତର୍କଘଣ୍ଟି ଦିଆଯାଇଥିବାବେଳେ ଗଞ୍ଜାମ, ପୁରୀ, ଖୋରଧା ଓ କେନ୍ଦ୍ରାପଡା ଜିଲ୍ଲାରେ ସରକାରୀ କର୍ମଚାରୀମାନଙ୍କର ଛୁଟି ବାତିଲ କରାଯାଇଛି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫନିର ସ୍ଥିତି ଏବଂ ସମ୍ଭାବ୍ୟ ବିପର୍ଯ୍ୟୟ ନେଇ ସ୍ବତନ୍ତ୍ର ରିଲିଫ କମିଶନର ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେକୌଣସି ପ୍ରକାର ଅପ୍ରିତିକର ସ୍ଥିତିର ମୁକାବିଲା ପାଇଁ ପ୍ରଶାସନକୁ ପୂରା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଫୋନି ପ୍ରଭାବରେ ଦୁଇ ତାରିଖରୁ ବର୍ଷା ଆରମ୍ଭ ହେଉଥିବାବେଳେ ତିନି ତାରିଖରେ ପ୍ରବଳ ବର୍ଷା ସହିତ ଜୋରରେ ପବନ ପ୍ରବାହିତ ହେବ । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୭୦ ରୁ ୧୮୦ କିଲୋମିଟର ରହିବ ବୋଲି ଆଶଙ୍କା କରାଯାଉଛି ।

ଫୋନି ଭୟଙ୍କର ବାତ୍ୟାର ରୂପ ନେଇଥିବାରୁ ଓଡିଶା ଉପୂକଳରେ ସ୍ଥଳଭାଗ ଛୁଇଁବା ସମୟରେ ସମୁଦ୍ର ଅଶାନ୍ତ ହେବା ସହିତ ୫/୬ ମିଟର ଉଚ୍ଚତାରେ ଜୁଆର ଉଠିବ ବୋଲି ପୂର୍ବାନୁମାନ କରାଯାଉଛି ।

ଇତି ମଧ୍ୟରେ କେନ୍ଦ୍ର ସରକାର ବିପର୍ଯ୍ୟୟ ପ୍ରଶମନ ଲାଗି ଓଡିଶାକୁ ୩୪୦କୋଟି ଟଙ୍କା ମଞ୍ଜୁର କରିବା ସହିତ ନିୟମିତ ଭାବେ ରାଜ୍ୟ ସରକାରଙ୍କ ସହିତ ସମ୍ପର୍କରେ ଥିବା ଜଣାଯାଇଛି ।

Share

Leave a Reply

Your email address will not be published. Required fields are marked *

one × five =