ଚାଲିଗଲେ ବାବୁଲି ଭାଇ …

ଭୁବନେଶ୍ୱର () ସତେ ଯେମିତି କରୋନା ବିଜେଡି ନେତାଙ୍କ ଉପରେ ଦାଉ ସାଧୁଛି । ଜଣେ ପରେ ଜଣେ ଲୋକପ୍ରିୟ ନେତା କରୋନା କିମ୍ବା କୋଭିଡ ପରବର୍ତ୍ତି ଜଟିଳତାରେ ମୃତ୍ୟୁବରଣ କରୁଛନ୍ତି । ଆଜି ବିଜେଡିର ଆଉଜଣେ ଜନପ୍ରିୟ ନେତା ବିଜୟଶ୍ରୀ ରାଉତରାୟଙ୍କ ବିୟୋଗ ହୋଇଛି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଛି ।

ସେ ମେ’ ୪ ତାରିଖରେ କରୋନା ସଂକ୍ରମିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସେ କରୋନା ସଂକ୍ରମଣରୁ ମୁକ୍ତ ହୋଇସାରିଥିଲେ । କିନ୍ତୁ କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ବିଶେଷକରି ଫୁସ୍‌ଫୁସ୍ ଓ ରକ୍ତଚାପ ଜନିତ ସମସ୍ୟା ଯୋଗୁଁ ଚିକିତ୍ସାଧୀନ ଥିଲେ । ଆଜି ସକାଳୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଘଟିଥିବା ବେଳେ ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁତ୍ର ହେଉଛନ୍ତି ବିଜୟଶ୍ରୀ ରାଉତରାୟ। 

ବିଜୟଶ୍ରୀ ଦୁଇ ଥର ଜନତା ଦଳ ଟିକେଟରେ ଓ ୪ଥର ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୬ ଥର ବାସୁଦେବପୁର ନିର୍ବାଚନମଣ୍ଡଳିର ପ୍ରତିନିଧିତ୍ୱ କରିଥିଲେ । ୧୯୫୩ ମସିହାରେ ଜନ୍ମଗ୍ରହଣ କରିଥିବା ବିଜୟଶ୍ରୀ ଭୂଗୋଳରେ ଏମଏ କରିଥିଲେ । ୧୯୮୦ ମସିହାରେ ସେ ସକ୍ରିୟ ରାଜନୀତିରେ ସାମିଲ ହୋଇଥିଲେ । ରେଭେନ୍ସା କଲେଜରେ ଅଧ୍ୟାପକ ଥିବା ବିଜୟଶ୍ରୀ ୧୯୮୦ରେ ଚାକିରିରୁ ଇସ୍ତଫା ଦେଇ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ । ପ୍ରଥମ ଥର ପାଇଁ ୧୯୯୦ରେ ସେ ଭଦ୍ରକର ବାସୁଦେବପୁରରୁ ନିର୍ବାଚନମଣ୍ଡଳିରୁ ଜନତା ଦଳ ଟିକେଟରେ ନିର୍ବାଚନ ଲଢିଥିଲେ ଓ ଜିତିଥିଲେ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ଥିଲେ ସେ ଘନିଷ୍ଠ । ବିଜୁ ବାବୁ ହିଁ ତାଙ୍କୁ ଚାକିରି ଛଡେଇ ରାଜନୀତିକୁ ଆଣଥିଲେ । ୧୯୯୫ରେ ଜନତା ଦଳ ସରକାର ଗଠନ କରିପାରିନଥିଲା । ଯଦିଓ ବିଜୁ ବାବୁ ଓ ବିଜଶ୍ରୀ ଜିତିଥିଲେ କିନ୍ତୁ ସଂଖ୍ୟା ଦୃଷ୍ଟିରୁ ବିରୋଧୀଦଳ ଆସନରେ ଥିଲେ ବିଜୁ ବାବୁ । ସେ ସମୟରେ ବିଜୁ ବାବୁଙ୍କ ଲୋକ ସମ୍ପର୍କ କମିଯାଇଥିଲା ବେଳେ ଯେଉଁ ଅଳ୍ପ କିଛି ନେତା ନିୟମିତ ଭାବେ ବିଜୁବାବୁଙ୍କୁ ଦେଖା କରି ରାଜନୈତିକ ଚର୍ଚ୍ଚା କରୁଥିଲେ ସେ ମଧ୍ୟରୁ ବିଜୟଶ୍ରୀ ଥିଲେ ଅନ୍ୟତମ । 

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ରାଉତରାୟଙ୍କୁ ଜଣେ ଲୋକପ୍ରିୟ ରାଜନେତା ତଥା ଅମାୟିକ ବ୍ୟକ୍ତିତ୍ବ ଭାବରେ ବର୍ଣନା କରିଛନ୍ତି। ଦଳ ମତ ନିର୍ବିଶେଷରେ ସେ ସମସ୍ତଙ୍କ ପ୍ରିୟଭାଜନ ଥିଲେ । ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ଭାବରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦଷତାର ସହ ନିର୍ବାହ କରିଥିଲେ । ତାଙ୍କର ବିୟୋଗରେ ଆମ ସମସ୍ତଙ୍କ ପାଇଁ ଏକ ବିରାଟ ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମର ସଦଗତି କାମନା କରଛନ୍ତି । ବିଜୟଶ୍ରୀଙ୍କ ପରଲୋକ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଫୋନ ଯୋଗ ସ୍ବର୍ଗତ ରାଉତରାୟଙ୍କ ପୁଅ ତଥା ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ସହ କଥା ହୋଇ ସମବେଦନା ଜଣାଇଥିଲେ ।

ସେ ଏକାଧିକ ଥର ମନ୍ତ୍ରୀ ହୋଇଛନ୍ତି । ରାଜସ୍ବ, ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ଭାବେ ଅନେକ ଥର ସେ ସଫଳତାର ସହ ଦାୟିତ୍ବ ନିର୍ବାହ କରିଛନ୍ତି । ତେବେ ଜଙ୍ଗଲ ଓ ପରିବେଶ ବିଭାଗ ତାଙ୍କର ପ୍ରିୟ ଥିଲା । 

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ଟୁକୁନି ସାହୁ, ତୁଷାରକାନ୍ତୀ ବେହେରା, ପଦ୍ମନାଭ ବେହେରା, ପ୍ରତାପ ଜେନା, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଡାକ୍ତର ଦାମୋଦର ରାଉତ, ପ୍ରଫୁଲ୍ଲ ଘଡେଇଙ୍କ ପରି ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । 

 

 

Share

Leave a Reply

Your email address will not be published. Required fields are marked *

4 + 15 =