ପ୍ରତିଟି ଜୀବନ ମୁଲ୍ୟବାନ : ଶତ ପ୍ରତିଶତ ସ୍ଥାନାନ୍ତରଣକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର () ରାଜ୍ୟର ପ୍ରତିଟି ନାଗରିକଙ୍କ ଜୀବନ ମୂଲ୍ୟବାନ । ତେଣୁ ସମ୍ଭାବ୍ୟ ବାତ୍ୟାରେ ଯେଭଳି ଗୋଟିଏ ହେଲେ ଜୀବନ ହାନୀ ହେବ ନାହିଁ ତା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତକାଲିଠାରୁ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ କରିବା ସହ ବିପଦ ଶଙ୍କୁଳ ଅଂଚଳରେ ଶତ ପ୍ରତିଶତ ସ୍ଥାନାନ୍ତରଣକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ସମୀକ୍ଷା କରି ପୁଣି ଥରେ ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦେଇଛନ୍ତି । ଆସନ୍ତାକାଲିଠାରୁ ଆରମ୍ଭ ହେବ ସ୍ଥାନାନ୍ତରଣ ପ୍ରକ୍ରିୟା । ଏଥର 8 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସିହତ ଆସନ୍ତାକାଲିଠାରୁ ମାଗଣା ରନ୍ଧାଖାଦ୍ୟ ଯୋଗାଣ ବି ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟା ପରବର୍ତ୍ତି ପର୍ଯ୍ୟାୟରେ ତୁରନ୍ତ ପୁନର୍ବାସ କାର୍ଯ୍ୟକୁ ଆଗେଇ ନେବା ସହ ସଡକ ଯୋଗାଯୋଗ, ପାନୀୟ ଜଳ ଯୋଗାଣ ଏବଂ ବିଦ୍ୟୁତ ସଂଯୋଗର ପୁନଃସଂସ୍ଥାପନ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପ୍ରାକ ପ୍ରସ୍ତୁତି କରିବାକୁ ସେ ସବୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ପ୍ରମୁଖ ସଚିବ, ସ୍ବତନ୍ତ୍ର ରିଲିଫ କମିଶନର, ସ୍ବାସ୍ଥ୍ୟ ସଚିବ, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଉନ୍ନୟନ, ଶକ୍ତି, ଗୃହ ଓ ନଗର ଉନ୍ନୟନ ଆଦି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

four × 5 =