ଆସିଲେନି ମନ୍ତ୍ରୀ, ସଚିବ : ବାତିଲ ହେଲା ଗୃହ କମିଟି ବୈଠକ

ଭୁବନେଶ୍ବର (ନିପ୍ର) ରାଜ୍ୟରେ ସହାରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚାଲିଛି ଆଘୋଷିତ ବିଦ୍ୟୁତ କାଟ । ଘୋଷିତ ବିଦ୍ୟୁତ କାଟ କରି ଶକ୍ତି ବିଭାଗ ସମାଲୋଚିତ ହେବାକୁ ଚାହୁଁନଥିବାରୁ ଶକ୍ତି ସଂଚୟର ନୂଆ ତରିକା ହୋଇଛି ଅଘୋଷିତ ବିଦ୍ୟୁତ କାଟ । ଏହାକୁ ନେଇ ରାଜ୍ୟବାସୀ ହନ୍ତସନ୍ତ ହେଲେଣି । ରାଜ୍ୟର ଏହି ଶକ୍ତି ସଙ୍କଟକୁ ଦୃଷ୍ଟିରେ ରଖି ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଶକ୍ତି ସଂପର୍କିତ ଗୃହ କମିଟିର ବୈଠକ ଡାକିଥିଲେ । କିନ୍ତୁ ବୈଠକକୁ ଆସିଲେନି ଶକ୍ତି ମନ୍ତ୍ରୀ କି ଶକ୍ତି ସଚିବ । ଶକ୍ତି ବିଭାଗର ଏହି ଦୁଇ ମୁଖିଆଙ୍କ ଅନୁପସ୍ଥିତି ବାଚସ୍ପତିଙ୍କୁ କ୍ଷୁବ୍ଧ କରିଥିବା ବେଳେ ବିରୋଧୀ ଅଭିଯୋଗ କରିଛନ୍ତି ଯେ, ବିଧାନସଭାକୁ ମନ୍ତ୍ରୀ ଓ ସଚିବଙ୍କ ଖାତିର ନାହିଁ ।

ବାର୍ଷିକ ମରାମତି ପାଇଁ ହେଉ କି କାଳବୈଶାଖୀ ଆଳ, ସହର ଠାରୁ ଗାଁ ଯାଏଁ ସବୁଠି ଚାଲିଛି ବିଦ୍ୟୁତ କାଟ । ଶକ୍ତି ବିଭାଗ କହୁଛି, ବିଦ୍ୟୁତ କାଟ ହେଉନି । ରାଜ୍ୟର ଆବଶ୍ୟକତା ପୂରଣ କରିବାକୁ ବିଭାଗ ସମର୍ଥ । କେତେବେଳେ ବର୍ଷା ଋତୁ ପୂର୍ବରୁ ବାର୍ଷିକ ମରାମତି ପାଇଁ ତ କେତେବେଳେ କାଳ ବୈଶାଖୀରେ ଧନଜୀବନ ହାନିକୁ ଏଡାଇବାର ଆଳ କରି ବିଦ୍ୟୁତ କାଟ ହେଉଛି । ରାଜଧାନୀ ଭୁବନେଶ୍ବରରେ ଯେତେବେଳେ ଦୈନିକ ଅନ୍ୟୁନ ୩ରୁ ୪ ଘଣ୍ଟା ବିଦ୍ୟୁତ କାଟ ହେଉଛି, ସେତେବେଳେ ଗାଁ ଗହଳି କଥା ନକହିବା ଭଲ ।

ଏ ବିଦ୍ୟୁତ କାଟର ପ୍ରଭାବ କେବଳ ସାଧାରଣ ଲୋକଙ୍କ ଉପରେ ପଡୁନି । ସବୁ ବର୍ଗର ଲୋକେ ଏହାଦ୍ୱାରା ପ୍ରଭାବିତ । ରାଜ୍ୟର ସବୁ ଅଂଚଳରୁ ଏଭଳି ଅଭିଯୋଗ ଆସୁଥିବାରୁ ଆଜି ବାଚସ୍ପତି ଶକ୍ତି ସଂପର୍କିତ ଗୃହ କମିଟି ବୈଠକ ଡାକିଥିଲେ । ୪୨ ଜଣ ସଦସ୍ୟ ବିଶିଷ୍ଟ ଏହି କମିଟି ବୈଠକକୁ ଆଜି ଆସିଥିଲେ ମାତ୍ର ୧୪ଜଣ ସଦସ୍ୟ । କଂଗ୍ରେସରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପତି ଓ ବିଧାୟକ ଅଂଶୁମାନ ମହାନ୍ତି ଯୋଗ ଦେଇଥିଲେ । ସରକାରୀ ଦଳର ବହୁ ବିଧାୟକ ବି ଆସିନଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବୈଠକକୁ ଶକ୍ତି ମନ୍ତ୍ରୀ କି ସଚିବ ଆସିନଥିଲେ । କେଉଁ କାରଣ ପାଇଁ ସେମାନେ ବୈଠକରେ ଯୋଗ ଦେଉନାହାଁନ୍ତି ସେ ସଂପର୍କରେ ପୂର୍ବରୁ ବାଚସ୍ପତିଙ୍କୁ ଜଣାଇନାହାଁନ୍ତି । ଆବଶ୍ୟକ ସଂଖ୍ୟକ ସଦସ୍ୟଙ୍କ ଅଭାବ ଯୋଗୁଁ ବୈଠକ ଅନୁଷ୍ଠିତ ହୋଇପାରିନଥିଲା । ଏହି ବୈଠକ ପାଇଁ ପୁଣି ଥରେ ଦିନ ଓ ସମୟ ଧାର୍ଯ୍ୟ କରାଯିବ ।

Share

Leave a Reply

Your email address will not be published. Required fields are marked *

five × 5 =